ଆମେରିକାର ନ୍ୟୁୟର୍କ ସିଟି ଅପେକ୍ଷା ମାୟାନଗରୀରେ ପେଟ୍ରୋଲ ଦର ଦୁଇଗୁଣା

ଭୁବନେଶ୍ୱର: ମାୟାନଗରୀରେ ମହଙ୍ଗା ପେଟ୍ରୋଲ । ମୁମ୍ବାଇ ତୁଳନାରେ ଆମେରିକାର ନ୍ୟୁୟର୍କ ସିଟିରେ ଶସ୍ତା ରହିଛି ପେଟ୍ରୋଲ ଦାମ୍। ନ୍ୟୁୟର୍କରେ ପେଟ୍ରୋଲ ଲିଟର ପିଛା ୦.୭୯ ଡଲାର ଅର୍ଥାତ୍ ୫୭ଟଙ୍କା ୫୮ ପଇସା ରହିଥିବା ବେଳେ ମୁମ୍ବାଇରେ ଶହେ ଉପରେ ରହିଛି ଦର । କରୋନା ମହାମାରୀ ସାଙ୍ଗକୁ ତୈଳ ଦରର ମହଙ୍ଗା ମାଡ଼ରେ ଆଣ୍ଠେଇ ପଡ଼ିଛି ଦେଶର ଅର୍ଥନୈତିକ ରାଜଧାନୀ । ଦେଶର ଅନ୍ୟ ସହର ତୁଳନାରେ ମୁମ୍ବାଇରେ ପେଟ୍ରୋଲ ଦର ସବୁଠୁ ଅଧିକ । ମେ ୪ ତାରିଖରୁ ଲଗାତାର ପେଟ୍ରୋଲ, ଡିଜେଲ ଦର ବଢୁଥିବା ବେଳେ ମୁମ୍ବାଇରେ ମେ ୨୯ ତାରିଖରୁ ଶହେ ଟଙ୍କା ଟପିଛି ପେଟ୍ରୋଲ ଦାମ୍ । ଆଜି ୨୫ ପଇସା ବୃଦ୍ଧି ଘଟି ପେଟ୍ରୋଲ ଦାମ୍ ୧୦୦ଟଙ୍କା ୭୨ ପଇସା ରହିଛି । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ମୁମ୍ବାଇ ତୁଳନାରେ ଆମେରିକାରେ ପେଟ୍ରୋଲ ଦାମ୍ଶସ୍ତା ବୋଲି ରିପୋର୍ଟ ଦେଇଛି ବ୍ଲୁମବର୍ଗ  ।

ମୁମ୍ବାଇରେ ଚଳିତବର୍ଷ ପେଟ୍ରୋଲ ଦାମ୍ ପାଖାପାଖି ୧୧ ପ୍ରତିଶତ ବଢ଼ିଛି । କେନ୍ଦ୍ର ସରକାର ବିକ୍ରି କର ଲଗାତାର ବୃଦ୍ଧି କରୁଥିବାରୁ ଏହାର ସିଧା ପ୍ରଭାବ ପଡୁଛି ଗ୍ରାହକଙ୍କ ପକେଟରେ । ୨୦୧୩ ପରେ କେନ୍ଦ୍ର ସରକାର ତୈଳ ଦରରେ ୬ଗୁଣା ଟିକସ ବୃଦ୍ଧି କରିଛନ୍ତି । କେନ୍ଦ୍ର ସରକାର ପେଟ୍ରୋଲ ଉପରେ ପାଖାପାଖି ୬୦ ପ୍ରତିଶତ ଟିକସ ଆଦାୟ କରୁଛନ୍ତି । ଯାହାଫଳରେ ଲଗାତାର ପେଟ୍ରୋଲ, ଡିଜେଲ ଦର ବଢ଼ିବାରେ ଲାଗିଛି।

Leave a Reply