ଜୀବନକୁ ବାଜି ଲଗାଇ ଆଫଗାନିସ୍ତାନ ଛାଡ଼ୁଛନ୍ତି ଲୋକେ: ବିମାନରୁ ଖସି ପଡ଼ିଲେ ୩ଜଣ, ଦେଖନ୍ତୁ ଭିଡିଓ

1 min read

କାବୁଲ: ତାଲିବାନ ଆତଙ୍କବାଦୀ ଆଫଗାନିସ୍ତାନ ରାଜଧାନୀ କାବୁଲକୁ ନିଜ ଅକ୍ତିଆରକୁ ନେବା ପରେ ଏବେ ଭୟଭୀତ ସାଧାରଣ ଲୋକେ । ଯୁଦ୍ଧ ଶେଷ ନେଇ ତାଲିବାନ ପକ୍ଷରୁ ଘୋଷଣା କରାଯାଇଥିଲେ ହେଁ, ନିଜ ଦେଶରେ ନିଜକୁ ସୁରକ୍ଷିତ ମଣୁନାହାନ୍ତି ସାଧାରଣ ଜନତା । କାବୁଲ ଛାଡ଼ି ଅନ୍ୟତ୍ର ପଳାୟନ ନେଇ ଜୀବନକୁ ବାଜି ଲଗାଉଛନ୍ତି ଲୋକେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଛି ।

ଭିଡିଓଟି କାବୁଲର ହାମିଦ କର୍ଜାଇ ଅନ୍ତର୍ଜାତୀୟ ବିମାନବନ୍ଦର । ଯେଉଁଠାରେ କାବୁଲ ଛାଡ଼ି ପଳାୟନ କରିବାକୁ ଜନ ସମୁଦ୍ର ଦେଖିବାକୁ ମିଳିଛି ।  ସ୍ଥିତି ଏପରି ହୋଇଛି ଯେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଛି । ଲୋକେ ଯେକୌଣସି ଉପାୟରେ କାବୁଲ ଛାଡ଼ିବାକୁ ଚାହୁଁଛନ୍ତି । ଏଥିପାଇଁ ନିଜର ଜୀବନକୁ ମଧ୍ୟ ବାଜି ଲଗାଇବାକୁ ପଛଘୁଞ୍ଚା ଦେଉନାହାନ୍ତି ।

ଏଭଳି ସ୍ଥିତିରେ ଏକ ଛାତିଥରା ଦୃଶ୍ୟ ଏବେ ସାମ୍ନାକୁ ଆସିଛି । ବିମାନରେ ସିଟ୍ ନ ମିଳିବାରୁ ଦୁଇଜଣ ବ୍ୟକ୍ତି ବିମାନର ଚକରେ ନିଜକୁ ବାନ୍ଧି ପଳାଇଯିବାକୁ ଉଦ୍ୟମ କରିଥିଲେ । କିନ୍ତୁ ଦୁର୍ଭାଗ୍ୟବଶତଃ ଉଭୟ ଉପରୁ ଖସିପଡ଼ି ପ୍ରାଣ ହରାଇଛନ୍ତି । ଏ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଅନ୍ୟ ଏକ ସୋସିଆଲ୍ ମିଡିଆ ଭିଡିଓରେ ବହୁ ସଂଖ୍ୟାରେ ଲୋକେ ଜବରଦସ୍ତି ବିମାନରେ ଚଢ଼ିବାକୁ ଉଦ୍ୟମ କରୁଥିଲେ । ଏଥିଲାଗି ଆମେରିକୀୟ ସୈନ୍ୟଙ୍କ ପକ୍ଷରୁ ଫାଙ୍କା ଗୁଳିଚଳାନା କରିବାକୁ ପଡ଼ିଥିଲା । ଏଥିଲାଗି ଦଳାଚକଟା ହୋଇଥିଲା ଏବଂ ପ୍ରାୟ ୫ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି ।

ଏଥିସହିତ ଅନ୍ୟ ଏକ ଭିଡିଓରେ ବିମାନଟି ଉଡ଼ାଣ ଭରିବା ଆରମ୍ଭ କରୁଥିବା ସମୟରେ ମଧ୍ୟ କିଛି ଲୋକ ତା’ ଉପରେ ଲଟକି ହୋଇ ଯିବା ପାଇଁ ପ୍ରୟାସ କରୁଥିବା ଦେଖିବାକୁ ମିଳିଛି । ଏଥିରୁ ଲୋକଙ୍କ ମନରେ ଥିବା ଭୟ ସ୍ପଷ୍ଟ ଭାବେ ଜଣାପଡ଼ୁଛି । କାବୁଲ ଅକ୍ତିଆର ପରେ ତାଲିବାନୀ ସଂଗଠନ ପକ୍ଷରୁ ଯୁଦ୍ଧ ସମାପ୍ତ ନେଇ ଘୋଷଣା କରାଯାଇଛି । କିନ୍ତୁ ତାଲିବାନୀ ଶାସନ ଉପରେ ଲୋକେ ଭରସା କରିପାରୁନାହାନ୍ତି । ନିଜକୁ ଆଫଗାନିସ୍ତାନରେ ସୁରକ୍ଷିତ ମଣୁନାହାନ୍ତି ।

Leave a Reply