ସୁଶାନ୍ତ ସିଂ ମୃତ୍ୟୁ ମାମଲା: ଆଜି ମୁମ୍ବାଇରେ ପହଂଚିବ ସିବିଆଇ, ରିୟା ସମେତ ୫୬ ଜଣଙ୍କୁ ହେବ ପଚରାଉଚରା

ପାଟନା: ସୁଶାନ୍ତ ସିଂ ରାଜପୂତଙ୍କ ମୃତ୍ୟୁ ମାମଲାରେ ସୁପ୍ରିମକୋର୍ଟ ଆଦେଶ ଦେବା ପରେ ଏବେ ସିବିଆଇ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ପରିବାର ସମେତ ସେହି ସମସ୍ତ ବ୍ୟକ୍ତିଙ୍କୁ ପଚରାଉଚରା କରିବ ଯେଉଁ ମାନଙ୍କ ବିରୁଦ୍ଧରେ ପାଟନାର ରାଜୀବ ନଗର ଥାନାରେ ଅଭିଯୋଗ ଦାଖଲ ହୋଇଛି । ସିବିଆଇର ଏସଆଇଟି ଗୁରୁବାର କିମ୍ବା ଶୁକ୍ରବାରକୁ ଏଥିପାଇଁ ମୁମ୍ବାଇ ପହଂଚି ପାରନ୍ତି । ଏହି ଏସଆଇଟି ସୁଶାନ୍ତଙ୍କ ମୃତ୍ୟୁ ମାମଲାକୁ ହତ୍ୟାର ଭିତ୍ତିଭୂମିରେ ତଦନ୍ତ କରିବ । ତେବେ ପ୍ରଥମେ ରିୟା ଓ ତାଙ୍କ ପରିବାରର ବୟାନ୍ ରେକର୍ଡ଼ ହୋଇପାରେ ।
ଖବର ଅନୁସାରେ ଏହାକୁ ତଦନ୍ତ କରୁଥିବା ସିବିଆଇ ପ୍ରଥମେ ଏହି ମୃତ୍ୟୁ ଦୃଶ୍ୟକୁ ରିକ୍ରିଏଟ କରିବ । ଏହା ସହିତ ମୁମ୍ବାଇ ପୋଲିସ କରିଥିବା ତଦନ୍ତର ରିପୋର୍ଟ ନେବ ସିବିଆଇ । ପାଟନା ପୋଲିସ ପ୍ରଥମେ ସବିଆଇକୁ ସମସ୍ତ ରିପୋର୍ଟ ହସ୍ତାନ୍ତର କରି ସାରିଛି । କେବଳ ସେତିକି ନୁହେଁ ମୁମ୍ବାଇ ପୋଲିସ ଯେଉଁ ୫୬ ଜଣଙ୍କୁ ପଚରାଉଚରା କରିଥିଲା ପୁଣିଥରେ ସେମାନଙ୍କୁ ସିବିଆଇ ମଧ୍ୟ ପଚରାଉଚରା କରିବ । ଏହା ବ୍ୟତୀତ ସୁଶାନ୍ତଙ୍କ ପୋଷ୍ଟ ମର୍ଟମ ରିପୋର୍ଟ, ଏଫଏସଏଲ ରିପୋର୍ଟ ଏବଂ ଇଲେକ୍ଟ୍ରୋନିକ୍ସ ସାକ୍ଷୀ ମଧ୍ୟ ନେବ । ସୁଶାନ୍ତଙ୍କ ପୋଷ୍ଟମର୍ଟମ କରିଥିବା ଏବଂ ରିପୋର୍ଟ ଦେଇଥିବା ଡାକ୍ତରଙ୍କୁ ମଧ୍ୟ ପଚରାଉଚରା କରିବ ସିବିଆଇ ।

ସିବିଆଇ ଏହି ମାମଲାରେ ମହେଶ ଭଟ୍ଟ,ଆଦିତ୍ୟ ଚୋପ୍ରା,ଶେଖର କପୂର,ଅଙ୍କିତା ଲୋଖଣ୍ଡେ ଓ ସଞ୍ଜୟ ଲୀଲା ଭଂସାଲୀଙ୍କ ସମେତ ୫୬ ଲୋକଙ୍କୁ ପଚରାଉଚରା କରିପାରେ । ଅବଶ୍ୟ ଏହି ମାମଲାରେ ମୁମ୍ବାଇ ପୋଲିସ ପ୍ରଥମେ ସେମାନଙ୍କର ବୟାନ ନେଇ ସାରିଛି । ସୁପ୍ରିମ କୋର୍ଟଙ୍କ ନିଷ୍ପତ୍ତି ପରେ ରିୟା ଚକ୍ରବର୍ତ୍ତୀଙ୍କ ପାଇଁ ସମସ୍ୟା ଅଧିକ ବଢିପାରେ, କାରଣ ଏହି ମାମଲାରେ ପୋଲିସ ତାଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବୁଛି । ଦେଶର ଏହି ହାଇପ୍ରୋଫାଇଲ ମାମଲାରେ ମୁମ୍ବାଇ ପୋଲିସ ଉପରେ ପ୍ରମାଣ ନଷ୍ଟ କରିଥିବା ଅଭିଯୋଗ ହୋଇଛି । ଏଭଳି ପରିସ୍ଥିତିରେ ଯଦି ଏହି ଘଟଣା ସତ୍ୟ ପ୍ରମାଣିତ ହୁଏ ତେବେ ସରକାରୀ ଅଫିସର ମାନଙ୍କ କାର୍ଯ୍ୟକଳାପକୁ ନେଇ ତଦନ୍ତ ଆରମ୍ଭ ହୋଇପାରେ ।
କହିରଖୁଛୁ ସୁପ୍ରିମକୋର୍ଟ ସୁଶାନ୍ତ ସିଂ ରାଜପୂତଙ୍କ ମୃତ୍ୟୁ ମାମଲାରେ ସିବିଆଇକୁ ସବୁଜ ସଙ୍କେତ ଦେଇ ସାରିଛନ୍ତି । ଜଷ୍ଟିସ ଋଷିକେଶ କହିଛନ୍ତିଯେ, ନିହାତି ଭାବରେ ଏହି ମାମଲା ମୁମ୍ବାଇ ପୋଲିସ ଅଧୀନରେ ଆସୁଛି । କିନ୍ତୁ ଦେଶର ପ୍ରତ୍ୟେକ ଲୋକ ସତ ଜାଣିବାକୁ ଚାହୁଁ ଥିବାରୁ କୋର୍ଟ ଏହି ମାମଲା ସିବିଆଇକୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଉଛନ୍ତି ।

Leave a Reply