ଶୀତୁଆ ସକାଳରେ ମନମୋହିଲା ପଥୋତ୍ସବ

ଭୁବନେଶ୍ବର: ଶୀତୁଆ ସକାଳରେ ମନୋରଞ୍ଜନର ମାହୋଲ । ଛୁଟି ଦିନରେ ରାସ୍ତା ଉପରେ ମଉଜ କରୁଛନ୍ତି ରାଜଧାନୀ ବାସିନ୍ଦା । ପଥୋତ୍ସବରେ ଝୁମିଛି ରାଜଧାନୀ ଭୁବନେଶ୍ବର । ରବିବାରରେ ସ୍ମାର୍ଟସିଟିରେ ଚାଲିଛି ଧୁମ ମସ୍ତି । ଉତ୍ତର ନିର୍ବାଚନ ମଣ୍ଡଳୀର ଶିଖରଚଣ୍ଡିରୁ ଇନଫୋସିଟି ମଧ୍ୟରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ନାଚଗୀତକୁ ଝୋଟି ମୋହିଲା ଲୋକଙ୍କ ମନ । ସେହିପରି ପ୍ରଥମ ଥର ପାଇଁ ପୋଲିସ ବ୍ୟାଣ୍ଡ ପଥୋତ୍ସବରେ ସାମିଲ ହୋଇଥିଲା । କିଟ ଓ କିସ୍ ଛାତ୍ରଛାତ୍ରୀଙ୍କ ମ୍ୟୁଜିକାଲ ବ୍ୟାଣ୍ଡ ଲୋକଙ୍କ ହୃଦୟକୁ ଛୁଇଁଥିଲା ।

ପଥୋତ୍ସବରେ କିଏ ଝୋଟି ପକାଉଛି ଆଉ କିଏ ନାଚୁଛି । ପୁଣି ଆଉ କିଏ ଖେଳି ବୁଲି ମଜା କରୁଛି । ସକାଳୁ ସକାଳୁ ପଥୋତ୍ସବର ମଜା ନେଉଛନ୍ତି ରାଜଧାନୀ ବାସିନ୍ଦା । କାର୍ଯ୍ୟକ୍ରମରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ, ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ମେୟର ସୁଲୋଚନା ଦାସ, ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ସହ ବହୁ କର୍ପୋରେଟର ସାମିଲ ହୋଇ ଲୋକଙ୍କ ମଧ୍ୟରେ ଉତ୍ସାହ ଭରିଥିଲେ ।

ସକାଳ ଓ ନନ୍ଦିଘୋଷ ଟିଭି ଷ୍ଟଲରେ ଭିଡ଼

ପଥୋତ୍ସବରେ ଦୈନିକ ଖବର କାଗଜ ସକାଳ ଓ ନନ୍ଦିଘୋଷ ଟିଭି ପକ୍ଷରୁ ପଡ଼ିଥିବା ଷ୍ଟଲରେ ଭିଡ଼ ଦେଖିବାକୁ ମିଳିଥିଲା । ଉତ୍ସବରେ ଲୋକଙ୍କୁ ତାଜା ଖବର ସହ ଅପଡେଟ୍ କରିଥିଲା ସକାଳ ଓ ନନ୍ଦିଘୋଷ ଟିଭି । ବିଭିନ୍ନ ବର୍ଗଙ୍କ ମଧ୍ୟରେ ନାଚଗୀତ, କୁଇଜ ସହ ଏକାଧିକ ପ୍ରତିଯୋଗିତା ହୋଇଥିଲା । ଏଥିରେ ଅଶଂଗ୍ରହଣ କରିଥିବା ସାଧାରଣ ଲୋକଙ୍କୁ ପୁରସ୍କୃତ କରାଯାଇଛି ।

କାର୍ଯ୍ୟକ୍ରମରେ ସକାଳ ଖବରକାଗଜର ସିଇଓ ସୁବ୍ରତ ଦାସ ଓ ନନ୍ଦିଘୋଷ ଟିଭି ମୁଖ୍ୟ ସମ୍ପାଦକ ଶିଶିର ଭଟ୍ଟମିଶ୍ର ସାମିଲ ହୋଇ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । ସେହିପରି ଷ୍ଟଲକୁ ଆସି ଉତ୍ସାହ ଭରିଥିଲେ ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ମେୟର ସୁଲୋଚନା ଦାସ, ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ସହ ବହୁ କର୍ପୋରେଟର ଓ ଜୋନ ୬ ଏସିପି ସାମିଲ ହୋଇଥିଲେ । ଆଗକୁ ହକି ବିଶ୍ବକପ ଆସୁଥିବା ବେଳେ ପଥୋତ୍ସବ ଲୋକଙ୍କ ମନରେ ନୂଆ ଉତ୍ସାହ ଭରିଛି । କରୋନା ପାଇଁ ୩ ବର୍ଷ ହେବ ପଥୋତ୍ସବ ବନ୍ଦ ରହିଥିଲା ।