ଦ୍ରୁତ ଗତିରେ ମାଡ଼ି ଆସୁଥିଲା ଟ୍ରେନ୍, ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଖୋର୍ଦ୍ଧା: ଟ୍ରେନ୍ ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଅଳ୍ପକେ ବର୍ତ୍ତିଲା ଜୀବନ । ଟ୍ରେନ୍ ଆସୁଥିଲା, ହେଲେ ରେଳ ଫାଟକ  ଖୋଲି ଦେଇଥିଲେ ରେଳବାଇର ଗାର୍ଡ । ବହୁ ସମୟ ଧରି ଛିଡ଼ା ହୋଇଥିବା ଲୋକ ବି ଟ୍ରାକ୍ ଅତିକ୍ରମ କରିଚାଲିଲେ । ହେଲେ ଦ୍ରୁତ ଗତିରେ ମାଡ଼ି ଆସୁଥିବା ଟ୍ରେନ ଦେଖି ଲୋକ ବି ହଠାତ୍ କିଛି କରିପାରୁନଥାନ୍ତି । ଭିଡ଼ ଏତେ ଥିଲା ଯେ, ଟ୍ରେନ୍ ଲୋକଙ୍କ ଉପରେ ମାଡିଯାଇଥାନ୍ତା । ହେଲେ ଟ୍ରେନ୍ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଅନେକ ଜୀବନ ବଞ୍ଚିଯାଇଛି ।

ଖୋର୍ଦ୍ଧା ରେଳ ଡିଭିଜନ୍ କାଳୁପଡ଼ା ଘାଟ ଷ୍ଟେସନ  ନିକଟରେ ଗତକାଲି ରାତିରେ ଦେଖିବାକୁ ମିଳିଥିଲା ଏହି ଘଟଣା । ସୂଚନା ଅନୁସାରେ ୨ ଟି ଟ୍ରେନ୍ ଦୁଇ ଦିଗକୁ  ଯିବା ପାଇଁ  ରେଳ ବିଭାଗ ପକ୍ଷରୁ ସିଗନାଲ ଦିଆଯାଇଥିଲା । ଗୋଟିଏ ମାଲ ଗାଡ଼ି କାଳୁପଡା ଘାଟ ଷ୍ଟେସନରେ  ଛିଡ଼ା ହୋଇଥିଲା । ସିଗନାଲ ମିଳିବା ପରେ ସେହି ମାଲ ଗାଡ଼ିଟି ଖୋର୍ଦ୍ଧା ଅଭିମୁଖେ ଯାତ୍ରା କରିଥିଲା । ତେବେ  ଅନ୍ୟପଟ ସିଗନାଲ କ୍ଲିଅର ନ ହେଉଣୁ  ଫାଟକ ଖୋଲିଥିଲା ।

ଲୋକ ରେଳ ଟ୍ରାକ୍ ପାର ହେବା ବେଳେ ସାଲିମାର  ସିକନ୍ଦରାବାଦ ସୁପର ମାଡ଼ି ଆସୁଥିଲା । ଲୋକେ ଭୟଭୀତ ହୋଇ ପଡ଼ିଥିଲେ । ଯିଏ ଯୁଆଡ଼େ ପାରିଲେ ପଛକୁ ହଟିବାକୁ ଲାଗିଲେ । ସେପଟେ ଦୂରରୁ  ଟ୍ରେନ ଚାଳକ ଗେଟ୍ ଖୋଲା ଥିବା ଜାଣିପାରି ଜରୁରୀ କାଳୀନ ବ୍ରେକ୍ ଲଗାଇଥିଲେ । ଫଳରେ ବଂଚି ଯାଇଥିଲା ଅନେକ ଜୀବନ । ଲୋକେ ରେଳ ବିଭାଗର ଏପରି ଅବହେଳାକୁ ନିନ୍ଦା କରିଛନ୍ତି । ତୁରନ୍ତ ଦୋଷୀ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।