ଦିଲ୍ଲୀରୁ ପଲ୍ଲୀ ସବୁଠି ଦୀପାବଳିର ଉତ୍ସବ

1 min read

ନୂଆଦିଲ୍ଲୀ: ଦିଲ୍ଲୀରୁ ପଲ୍ଲୀ ସବୁଠି ଦୀପାବଳିର ଉତ୍ସବ । କାଶ୍ମୀରଠୁ କନ୍ୟାକୁମାରୀ ଜଳିଲା ଦୀପ । ଦୀପରେ ଦୀପରେ ପାଳନ ହେଲା ଆଲୋକର ପର୍ବ । ଦେଶର ବିଭିନ୍ନ ପ୍ରାନ୍ତରେ ଦୀପାବଳିକୁ ଢେର ଉତ୍ସାହର ସହ ପାଳନ କରିଛନ୍ତି ଦେଶବାସୀ । ଦୀପରେ ସଜେଇ ହୋଇଛି ଅମୃତସରର ଗୋଲଡେନ ଟେମ୍ପୁଲ । ଦୀପାବଳିକୁ ବନ୍ଦିଚୋର ଦିବସ ଭାବେ ସେଠାରେ ପାଳନ କରାଯାଏ । ଏହି ଅବସରରେ ଗୋଲଡେନ୍‌ ଟେମ୍ପୁଲର ପୂରା ଅଞ୍ଚଳରେ ଦୀପରେ ସଜାଯାଇଛି । ଆଖି ଝଲସି ଉଠିଲା ଭଳି ଦୃଶ୍ୟ ଦେଖିବାକୁ ମିଳିଛି । ପଞ୍ଜାବର ବିଭିନ୍ନ ଅଞ୍ଚଳରୁ ଲୋକେ ଏଠାକୁ ଆସି ଦୀପ ପ୍ରଜ୍ଜଳନ କରିଛନ୍ତି ।

କେବଳ ପଞ୍ଜାବ ନୁହେଁ ଦେଶର ରାଜଧାନୀ ଦିଲ୍ଲୀରେ ମଧ୍ୟ ଦେଖିବାକୁ ମିଳିଛି ଦୀପାବଳିର ଝଲକ । ଲାଇଟ୍ ଓ ଦୀପରେ ସଜେଇ ହୋଇଛି ରାଷ୍ଟ୍ରପତି ଭବନ । ସବୁଦିନଠାରୁ ଦୀପାବଳିରେ ଅଳଗା ଦିଶୁଛି ରାଷ୍ଟ୍ରପତି ମାର୍ଗ । ସେହିଭଳି ଲାଇଟରେ ଝଲସୁଛି ସଂସଦ ଭବନ । ଆଖି ଝଲସିଲା ଭଳି ଦୃଶ୍ୟ ଦେଖିବା ପାଇଁ ଲାଗୁଛି ଦିଲ୍ଲୀବାସୀଙ୍କ ଭିଡ଼ । ସେହିଭଳି କୋଲକାତାର ଭିକ୍ଟୋରିଆ ପ୍ୟାଲେସ୍ ଓ ହାଉଡ଼ା ବ୍ରିଜ ମଧ୍ୟ ସଜେଇ ହୋଇଛି । ହାଉଡ଼ା ବ୍ରିଜ ଉପରେ ଯାଉଥିବା ଯାତ୍ରୀ ଅଟକି ଯାଇ ସେଲଫି ନେବା ସହ ଦୀପାବଳିର ମଜା ନେଇଛନ୍ତି । ସେପଟେ ଉତ୍ତର ପ୍ରଦେଶର ଅଯୋଧ୍ୟାରେ ଜାରି ରହିଛି ଦୀପୋତ୍ସବ କାର୍ଯ୍ୟକ୍ରମ । କାଲିଠୁ ଆରମ୍ଭ ହୋଇଥିବା ଦୀପ ଉତ୍ସବ ତିନି ଦିନ ଧରି ଚାଲିବ । ରଙ୍ଗବେରଙ୍ଗର ଆଲୋକମାଳାରେ ଝଲିସି ଉଠୁଛି ଅଯୋଧ୍ୟା ଧାମ ।

Leave a Reply