spot_img

Latest Posts

ଆଜି ପ୍ଯାରିସ୍ ଅଲିମ୍ପିକ୍ସର ଉଦଘାଟନୀ ଉତ୍ସବ, ଝଲସିବ ସେନ୍ ନଦୀ ଉପକୂଳ

ନୂଆଦିଲ୍ଲୀ : ଆଜିଠୁ ପ୍ଯାରିସ୍ ଅଲିମ୍ପିକ୍ସ। ଫ୍ରାନ୍‌ସ ରାଜଧାନୀ ପ୍ୟାରିସ୍‌ରେ ଆରମ୍ଭ ହେଉଛି କ୍ରୀଡ଼ାର ଏହି ମହାକୁମ୍ଭ ଅଲିମ୍ପିକ୍ସ। ଅଲିମ୍ପିକ୍‌ସ ଇତିହାସରେ ପ୍ରଥମଥର ଉଦ୍‌ଘାଟନୀ ଉତ୍ସବ ଷ୍ଟାଡିୟମ୍‌ରେ ନୁହେଁ ବରଂ ନଦୀରେ ଅନୁଷ୍ଠିତ ହେବ। ପ୍ୟାରିସ୍ ସହର ମଧ୍ୟ ଦେଇ ବହିଯାଇଥିବା ସେନ୍ ନଦୀରେ ଏହି ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହେବ।

ନଦୀରେ ୮୦ରୁ ୧୦୦ ନୌକାରେ କ୍ରୀଡ଼ାବିତ୍‌ଙ୍କ ପରେଡ୍‌ ହେବ। ୨୦୬ଟି ପ୍ରତିଯୋଗୀ ଦେଶଙ୍କ ପ୍ରତିନିଧି ସୁସଜ୍ଜିତ ନୌକାରେ ସହର ପରିକ୍ରମା କରିବେ। ନଦୀର ଉଭୟ ପାର୍ଶ୍ବରେ ରହି ପ୍ୟାରିସ୍‌ବାସୀ କ୍ରୀଡ଼ାବିତ୍‌ଙ୍କ ଏହି ଅଭିନବ ଯାତ୍ରା ଦେଖିବେ। ଏହି ଯାତ୍ରାରେ ସାମିଲ ହେବେ ୮୦ରୁ ୧୦୦ ନୌକା। ସେନ ନଦୀରେ ପ୍ରାୟ ୬ କିଲୋମିଟର ଯାତ୍ରା କରିବେ। ଏଫିଲ୍ ଟାୱର ନିକଟସ୍ଥ ପଣ୍ଟ୍ ଡି ଲୋନା ନିକଟରେ ପ୍ରତିଯୋଗୀଙ୍କର ଏହି ନୌକା ଯାତ୍ରା ସମ୍ପନ୍ନ ହେବ। ଐଫେଲ୍‌ ଟାୱର ନିକଟରେ ଥିବା ଚାମ୍ପିଅନ୍‌ ପାର୍କକୁ ଏକ ଅସ୍ଥାୟୀ ଷ୍ଟାଡିୟମ୍‌ରେ ପରିଣତ କରାଯାଇଛି। ଏହି ଷ୍ଟାଡିୟମ୍‌ରେ ପ୍ୟାରିସ୍‌ ଅଲିମ୍ପିକ୍‌ସ ଉଦ୍‌ଘାଟନୀ ଉତ୍ସବର ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହିଠାରେ ଫ୍ରାନ୍‌ସ ରାଷ୍ଟ୍ରପତି ଇମାନୁଏଲ୍‌ ମାକ୍ରନ୍‌ ଅଲିମ୍ପିକ୍‌ସର ଶୁଭାରମ୍ଭ କରିବେ।

ଉଦ୍‌ଘାଟନୀ ଉତ୍ସବରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ। ୩ ହଜାରରୁ ଅଧିକ କଳାକାର ନୃତ୍ୟ, ସଂଗୀତ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପରିବେଷଣ କରିବେ। ଦର୍ଶକ ଯେପରି ଉଦ୍‌ଘାଟନୀ ଉତ୍ସବ ଦେଖିପାରିବେ ସେଥିପାଇଁ ସାରା ସହରରେ ୮ଟି ବଡ଼ ପରଦା ଲଗାଯାଇଛି। ନୌକାଯାତ୍ରାର ଆରମ୍ଭରୁ ଉଦ୍‌ଘାଟନୀ ଉତ୍ସବସ୍ଥଳୀ ପର୍ଯ୍ୟନ୍ତ ବ୍ୟାପକ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଉଦ୍‌ଘାଟନୀ ଉତ୍ସବ ଭାରତୀୟ ସମୟ ରାତି ୧୧ଟାରୁ ଆରମ୍ଭ ହୋଇ ପାଖାପାଖି ୨ ଘଣ୍ଟା ଧରି ଚାଲିବ।

Latest Posts

Don't Miss