ପାଇଲେ ହୀରା, ଶ୍ରମିକରୁ ରାତାରାତି ହୋଇଗଲେ ଲକ୍ଷପତି

ଭୋପାଳ: ରାତାରାତି ବଦଳିଗଲା ଶ୍ରମିକଙ୍କ ଭାଗ୍ୟ । ହଠାତ୍ ହୋଇଗଲେ ଲକ୍ଷପତି । ଆପଣ ଭାବୁଥିବେ ଆମେ କାହାଣୀ କହୁଛୁ । କିନ୍ତୁ ନା ଜଣେ ଶ୍ରମିକଙ୍କ କ୍ଷେତ୍ରରେ ଏପରି ହୋଇଛି । ଶ୍ରମିକ ଜଣଙ୍କ ହଠାତ୍ ପାଇଛନ୍ତି ଏକ ହୀରା । ଆଉ ହୀରାର ମୂଲ୍ୟ ହେଉଛି ୫୦ ଲକ୍ଷ ଟଙ୍କା ।

ହୀରା ନଗରୀ ନାମରେ ପରିଚିତ ମଧ୍ୟପ୍ରଦେଶର ପନ୍ନା ଜିଲ୍ଲାରେ ରୁହନ୍ତି ଶ୍ରମିକ ଜଣଙ୍କ । ତାଙ୍କ ନାଁ ହେଉଛି ପ୍ରତାପ ସିଂ ଯାଦବ । ପ୍ରତାପ ଜଣେ ଶ୍ରମିକ । ସେ ଦିନ ମଜୁରିଆଭାବେ କାମ କରନ୍ତି । ପ୍ରତିଦିନ ଯେଉଁଠି କାମ ମିଳେ କରନ୍ତି ଏବଂ ସେଇ ଟଙ୍କାରେ ତାଙ୍କର ଘର ଚଳେ । କିନ୍ତୁ ଗତ ବୁଧବାର ଦିନ ପ୍ରତାପ କୃଷ୍ଣ କଲ୍ୟାଣପୁର ଉଥଲି ଖଣିରେ କାମ କରୁଥିଲେ । ସେଠାରେ ତାଙ୍କ ହାତରେ ଏପରି ଜିନିଷ ଲାଗିଲା ଯେ, ରାତାରାତି ତାଙ୍କ ଜୀବନ ବଦଳିଗଲା ।

ପ୍ରତାପ ଖଣିରେ କାମ କରୁଥିବା ସମୟରେ ଚମକୁଥିବା ହୀରା ପାଇଥିଲେ । ଯାହା ୧୧. ୮୮ କ୍ୟାରେଟର ଥିଲା । ଏହାର ମୂଲ୍ୟ ୫୦ ଲକ୍ଷ ହେବ ବୋଲି ଆକଳନ କରାଯାଉଛି । ଗତ କିଛି ଦିନ ତଳେ ପ୍ରତାପ ଖଣି ଖୋଳିବା ପାଇଁ ଅନୁମତି ପାଇଥିଲେ ।  ଟାଣ ଖରାକୁ ଖାତିର ନ କରି ହୀରା ଖୋଜିବାରେ ଲାଗିଥିଲେ ପ୍ରତାପ । ଶେଷରେ ସେ ଏହି ହୀରା ପାଇଥିଲେ । ଏହା ପରେ ତାଙ୍କ ଭାଗ୍ୟ ବଦଳି ଯାଇଥିଲା ।

ସେ ଏହି ହୀରାକୁ ଜିଲ୍ଲା ମୁଖ୍ୟାଳୟରେ ଜମା କରିଛନ୍ତି । ହୀରାକୁ ପ୍ରଶାସନ ନିଲାମ କରିବ । ଏବଂ ଏଥିରୁ ମିଳିଥିବା ଲାଭର ୧୨ ପ୍ରତିଶତ ପ୍ରଶାସନ ରଖିବ ଏବଂ ୧ ପ୍ରତିଶତ ଟିକସ କଟିବ । ବାକି ସବୁ ଅର୍ଥ ପ୍ରତାପଙ୍କ ଆକାଉଣ୍ଟରେ ଜମା କରାଯିବ ।