ଦୀର୍ଘ ୫୦ ବର୍ଷ ଧରି ପାମ୍ପଡ ବିକି ଚର୍ଚ୍ଚାରେ ଚକ୍ରଧର ରଣା

ଉଦଳା : ହାତରେ ରହିଛି ପାମ୍ପଡ ଡାଲା । ହସ ହସ କଣ୍ଠରେ ଡାକୁଛନ୍ତି ପାମ୍ପଡ ନେବ, ପାମ୍ପଡ । ଆଉ ତା ସହିତ କେତେବେଳେ କେମିତି ଗାଇ ଦେଉଛନ୍ତି ଗୀତ । ଏ ହେଉଛନ୍ତି ଉଦଳା ଅଞ୍ଚଳରେ ପାମ୍ପଡ ବିକ୍ରି କରୁଥିବା ପାମ୍ପଡ ମ୍ଯାନ ଚକ୍ରଧର ରଣା । ପାଦରେ ମୋଜା ସହିତ ଜୋତା, ହାପ ପ୍ୟାଣ୍ଟ ଆଉ ଦେହରେ ସବୁବେଳେ ଧଳା ସାର୍ଟଟିଏ । ଏସବୁ ଭିତରେ ବାମ ହାତରେ ଡାଲାଟିଏ ଧରି ସେଥିରେ ପାମ୍ପଡ଼ ରଖି ସବୁଦିନ ବିକ୍ରି ନିମନ୍ତେ ବାହାରି ଆସନ୍ତି ଚକ୍ରଧର । ସକାଳୁ ଚାଲି ଚାଲି ଉଦଳା ସହିତ ବିଭିନ୍ନ ଅଞ୍ଚଳରେ ବିକ୍ରି କରନ୍ତି ପାମ୍ପଡ଼ । ଦୀର୍ଘ ୫୦ ବର୍ଷରୁ ଅଧିକ ହେବ ସେ ଏହି ପାମ୍ପଡ଼ ବେପାର କରି ଆସିଛନ୍ତି । ଦିନରେ ପ୍ରାୟ ୩୦ ରୁ ୪୦ କିଲୋମିଟର ଦୂରତା ଚାଲିବା ସହିତ ବିଭିନ୍ନ ହାଟରେ ବୁଲି ପାମ୍ପଡ଼ ବିକ୍ରି କରିଥାନ୍ତି । ୫ ପଇସାରୁ ପାମ୍ପଡ଼ ବିକ୍ରି ଆରମ୍ଭ କରି ଏବେ ସେ ଗୋଟିଏ ପାମ୍ପଡ଼ ୧୦ ଟଙ୍କା ଲେଖାଏଁ ବିକ୍ରି କରୁଛନ୍ତି । ସେହିଥିରେ ହିଁ ପରିବାର ଚଳାଇ ଆସୁଛନ୍ତି ଚକ୍ରଧର ।
ପାମ୍ପଡ଼ ବେପାର କରିବା ସହିତ ସବୁବେଳେ ହସ ହସ ମୁହଁ ପାଇଁ ସେ ଲୋକଙ୍କ ପାଖରେ ବେଶ ଆଦୃତ। ଏହା ସହିତ ଅନେକ ସମୟରେ ଛୋଟ ପିଲାଙ୍କୁ ସେ ମାଗଣାରେ ପାମ୍ପଡ ଦେଇଦିଅନ୍ତି । ଏବେ ସେ କଲିକତାରୁ ପାମ୍ପଡ ଆଣି ବିକ୍ରି କରୁଛନ୍ତି । କେବଳ ଯେ ପାମ୍ପଡ଼ ବେପାର କରୁଛନ୍ତି ତାହା ନୁହେଁ ସ୍ୱାସ୍ଥ୍ୟ ପାଇଁ ଚାଲିବା କେତେ ଜରୁରୀ ତାହାର ଏକ ସୁନ୍ଦର ବାର୍ତ୍ତା ଦେଇଛନ୍ତି ଚକ୍ରଧର।