ଭୁବନେଶ୍ୱର ପଳାଶୁଣି ସିରିଜ ଦୁର୍ଘଟଣା, ବେଗୁନିଆରୁ ଅଭିଯୁକ୍ତ ଡ୍ରାଇଭରକୁ ଗିରଫ କଲା ପୋଲିସ

ଭୁବନେଶ୍ୱର: ଭୁବନେଶ୍ୱର ପଳାଶୁଣି ଛକରେ ହୋଇଥିବା ସିରିଜ ଦୁର୍ଘଟଣା ମାମଲାରେ ଅଭିଯୁକ୍ତ ହାଇଓ୍ୱା ଡ୍ରାଇଭରକୁ ଗିରଫ କଲା ମଞ୍ଚେଶ୍ୱର ଥାନା ପୋଲିସ । ଗିରଫ ହୋଇଥିବା ଅଭିଯୁକ୍ତ ହେଉଛି ଖୋର୍ଦ୍ଧା ଜିଲ୍ଲାର ସୌଭାଗ୍ୟ ପାତ୍ର । ଅଭିଯୁକ୍ତକୁ ବେଗୁନିଆରୁ ଗିରଫ କରିଛି ପୋଲିସ । ତେବେ ଏହି ଗାଡିଟି ଏଲ.ଜି କନଷ୍ଟ୍ରକସନର ଗାଡି ବୋଲି ଜାଣିବାକୁ ପାଇଛି ପୋଲିସ । ତେବେ ଜବତ ହୋଇଥିବା ଗାଡିର କାଗଜ ପତ୍ର ଠିକ୍ ଥିବା ଜଣାପଡ଼ିଛି । ପୋଲିସ ତଦନ୍ତ ସମୟରେ ସ୍ପଷ୍ଟ କରିଛି କି ଗାଡି ଓଭର ଲୋଡ ରହିଥିଲା । ତେବେ ଅସାବଧାନତା ଓ ବେପରୁଆ ଗାଡ଼ି ଚାଳନା ହିଁ ଦୁର୍ଘଟଣାର ମୁଖ୍ୟ କାରଣ ବୋଲି କହିଛି ପୋଲିସ ।

ସୂଚନା ଅନୁସାରେ ଗତ ସୋମବାର ପଳାଶୁଣି ଛକରେ ହୋଇଥିଲା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ପଳାଶୁଣି ଛକରେ ୪ଟି କାରକୁ ପଛରୁ ପିଟିଥିଲା ଟ୍ରକ । ଏହି ଦୁର୍ଘଟଣାରେ ଗୋଟିଏ କାର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବାବେଳେ ଘଟଣାସ୍ଥଳରେ ହିଁ କାର ଡ୍ରାଇଭରଙ୍କର ମୃତ୍ୟୁ ହୋଇଥିଲା । ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ଡ୍ରାଇଭର ।