ଗେଟ୍ ଭାଙ୍ଗି ଇମ୍ରାନଙ୍କ ଘରେ ପଶିଲା ପୋଲିସ: ସମର୍ଥକଙ୍କ ସହ ଧସ୍ତାଧସ୍ତି, ପୋଲିସ ଉପରକୁ ଗୁଳି ମାଡ଼

ଲାହୋର: ଯେକୌଣସି ସମୟରେ ଗିରଫ ହୋଇ ପାରନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ । ପୋଲିସ ତାଙ୍କୁ ଗିରଫ କରିବାକୁ ଗେଟ୍ ଭାଙ୍ଗି ତାଙ୍କ ଘରେ ପଶିଛି । ଯାହାକୁ ନେଇ ଇମ୍ରାନଙ୍କ ଘର ଆଗରେ ଉତ୍ତେଜନା ଦେଖା ଦେଇଛି । ଇମ୍ରାନଙ୍କ ସମର୍ଥକ ହୋହାଲ୍ଲା କରୁଛନ୍ତି ।

ପୋଲିସ ବୁଲଡୋଜର ଲଗାଇ ଗେଟ ଭାଙ୍ଗି ଘରେ ପଶିବା ବେଳେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ସେଠାରେ ଇମ୍ରାନଙ୍କ ଦଳ ପାକିସ୍ତାନ ତେହେରକି ଇ ଇନସାଫର କର୍ମୀଙ୍କ ସହ ପୋଲିସର ଧସ୍ତାଧସ୍ତି ହୋଇଥିଲା । ଏହି ସମୟରେ ପୋଲିସ ଉପରକୁ ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି ।

ତୋଷଖାନା ମାମଲାରେ ଏବେ ସୁଦ୍ଧା ଇମ୍ରାନଙ୍କ ଉପରୁ ବିପଦ ଟଳିନାହିଁ । ଆଜି କୋର୍ଟରେ ହାଜର ହେବା ଲାଗି ଇସଲାମାବାଦ ଗଲାବେଳେ ବାଟରେ ତାଙ୍କୁ ଟୋଲ ପ୍ଲାଜା ନିକଟରେ ଅଟକାଇ ଦିଆଯାଇଥିଲା । ଲାହୋର ଘର ଛାଡିବା ପରେ ପୋଲିସ ତାଙ୍କ ଘରେ ପଶିବାକୁ ଉଦ୍ୟମ କରିଥିଲା  । ଏହି ସମୟରେ ପିଟିଆଇ କର୍ମୀ ଓ ପୋଲିସ ମୁହାଁମୁହିଁ ହୋଇଥିଲେ । ଇସଲାମାବାଦ ଗସ୍ତ ବାଟରେ ଇମ୍ରାନ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି, ଇସଲାମାବାଦରେ ପହଞ୍ଚିବା ମାତ୍ରେ ତାଙ୍କୁ ଗିରଫ କରିନିଆଯିବ । ନୱାଜ ସରିଫଙ୍କ ନିର୍ଦ୍ଦେଶରେ ଲଣ୍ଡନ ପ୍ଲାନ ଅନୁସାରେ ତାଙ୍କୁ ଗିରଫ କରାଯିବ ବୋଲି ଭିଡିଓ ବାର୍ତ୍ତାରେ କହିଛନ୍ତି ଇମ୍ରାନ ।