ବାଙ୍କୀ ନବୋଦୟ ହଷ୍ଟେଲରେ ଛାତ୍ରଙ୍କ ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖି ରଙ୍ଗମିସ୍ତ୍ରୀ ଗିରଫ, କେତେ ସୁରକ୍ଷିତ ଛାତ୍ରାବାସ ?

ନନ୍ଦିଘୋଷ ବ୍ୟୁରୋ: ବାଙ୍କୀ ନବୋଦୟ ବିଦ୍ୟାଳୟ ହଷ୍ଟେଲରୁ ଆସିଲା ସାଂଘାତିକ ଅଭିଯୋଗ । ଛାତ୍ରାବାସରେ ପଶି ଜଣେ ଛାତ୍ରଙ୍କ ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲେ ରଙ୍ଗମିସ୍ତ୍ରୀ । ଘଟଣା ପ୍ରଘଟ ପରେ ଅଭିଯୁକ୍ତକୁ ପୋଲିସ ଗିରଫ କରିଥିବା ବେଳେ ହଷ୍ଟେଲର ସୁରକ୍ଷା ବ୍ୟବସ୍ଥା ନେଇ ଉଠିଛି ପ୍ରଶ୍ନ । ଛାତ୍ରାବାସରେ ଘଟିଥିବା ଏହି ଲଜ୍ଜାଜନକ ଘଟଣା ପରେ ଏଠାର ଅନ୍ତେବାସୀ ଛାତ୍ରଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠାଇଛନ୍ତି ବୁଦ୍ଧିଜୀବୀ ଓ ଅଭିଭାବକ । ଏଥିପାଇଁ ପ୍ରିନ୍ସପାଲ ଓ ହଷ୍ଟେଲ ୱାର୍ଡେନଙ୍କ ଅବହେଳାକୁ ଦାୟୀ କରାଯାଉଛି ।
କେତେ ସୁରକ୍ଷିତ ଛାତ୍ର ହଷ୍ଟେଲ ? ଛାତ୍ରାବାସରେ ରାତିରେ ପଶୁଛନ୍ତି ଅପରାଧୀ । ଅଧ୍ୟକ୍ଷ ଓ ୱାର୍ଡେନଙ୍କ ନିକଟରେ ନାହିଁ ଖବର । ଛାତ୍ରଙ୍କ ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖି ରଙ୍ଗମିସ୍ତ୍ରି ଗିରଫ । ଏମିତି ଏକ ସାଂଘାତିକ ଅଭିଯୋଗ ଆସିଛି ବାରଙ୍ଗ ଥାନା ମୁଣ୍ଡଳି ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟ ଛାତ୍ରାବାସରୁ । ରାତିରେ ହଷ୍ଟେଲ ଭିତରେ ପଶି ଜଣେ ରଙ୍ଗ ମିସ୍ତ୍ରୀ ନାବାଳକଙ୍କ ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବା ଘଟଣାରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ଏହି ଘଟଣା ପରେ ହଷ୍ଟେଲରେ ଛାତ୍ରଙ୍କ ସୁରକ୍ଷା ନେଇ ଉଠିଛି ପ୍ରଶ୍ନ । ପ୍ରିନ୍ସପାଲ ଓ ହଷ୍ଟେଲ ୱାର୍ଡେନଙ୍କ ଦାୟିତ୍ବହୀନତା କାରଣରୁ ଏପରି ଘଟିଥିବା ଅଭିଯୋଗ କରିଛନ୍ତି ବୁଦ୍ଧିଜୀବୀ ଓ ଅଭିଭାବକ । ଘଟଣା ପରେ ଉଭୟ ଅଧିକାରୀଙ୍କ ବିରୋଧରେ ସେମାନେ କାର୍ଟ୍ରାନୁଷ୍ଠାନ ଦାବି କରିଛନ୍ତି ।
୪ ଦିନ ତଳେ ଘଟିଥିଲା ଏପରି ଘଟଣା । ଠିକା ସଂସ୍ଥା ପକ୍ଷରୁ ହଷ୍ଟେଲରେ ମରାମତି କାର୍ଯ୍ୟ ଚାଲିଛି । ଅଭିଯୁକ୍ତ ରଙ୍ଗମିସ୍ତ୍ରୀ ନାବାଳକଙ୍କୁ ପ୍ରଲୋଭିତ କରିବା ସହ ଅସୁସ୍ଥତା ଦର୍ଶାଇ ହଷ୍ଟେଲରେ ରହିଥିବା ଅଭିଯୋଗ ହୋଇଛି । ଘଟଣା ପରେ ଛାତ୍ର ଜଣକ ମାନସିକ ଓ ଶାରୀରିକ ସ୍ତରରେ ଅସୁସ୍ଥ ହୋଇ ଜଣେ ସାଙ୍ଗଙ୍କୁ ଘଟଣା ସମ୍ପର୍କରେ କହିବା ପରେ କଥା ସାମ୍ନାକୁ ଆସିଥିଲା । ବାରଙ୍ଗ ଥାନାରେ ଲିଖିତ ଅଭିଯୋଗ ହେବା ପରେ ଅଭିଯୁକ୍ତ ରଙ୍ଗ ମିସ୍ତ୍ରୀକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ୍ । ସେପଟେ ଅଧ୍ୟକ୍ଷଙ୍କ କହିବା କଥା, ଅସୁସ୍ଥତା ଦର୍ଶାଇ ଶ୍ରମିକ ରହିବାକୁ ଅନୁମତି ମାଗିଥିଲେ । ଛାତ୍ର ଓ ଶ୍ରମିକ ଗୋଟିଏ ଜିଲ୍ଲାର ଥିବାରୁ ଉଭୟଙ୍କ ମଧ୍ୟରେ ଭଲ ସମ୍ପର୍କ ହୋଇଥିଲା । ତେବେ ଘଟଣା ପରେ ଆମେ ପୋଲିସକୁ ଜଣାଇଛୁ । ସିକ୍ୟୁରିଟି ନେଇ କୌଣସି କମ୍ପ୍ରମାଇଜ କରାଯାଏ ନାହିଁ ।
ଏଠି ପ୍ରଶ୍ନ ଉଠୁଛି । ଘଟଣା ସମ୍ପର୍କରେ କିପରି ଜାଣି ପାରିଲେନି କର୍ତ୍ତୃପକ୍ଷ ? ଜାଣିବା ପରେ ଲୁଚାଇବାକୁ ଉଦ୍ୟମ କରାଯାଇଛି କି ? ଟାଇଟ୍ ସିକ୍ୟୁରିଟି ଭିତରେ ଏପରି ଲଜ୍ଜାଜନକ ଘଟଣା ଘଟିଲା କିପରି ? ଶିକ୍ଷା ବିଭାଗ ଘଟଣାକୁ ଗୁରତର ସହ ନେଇ ଛାତ୍ରଙ୍କ ସୁରକ୍ଷା ପ୍ରତି ଯତ୍ନବାନ ହେବାକୁ ଦାବି ହୋଇଛି ।