ନନ୍ଦିଘୋଷ ବ୍ୟୁରୋ : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ରାଇପୁର ପ୍ରାଥମିକ କୃଷି ସମବାୟ ସମିତିର ପୂର୍ବତନ ସଭାପତିଙ୍କ ଦାଦାଗିରି ଦେଖିବାକୁ ମିଳିଛି। ପ୍ୟାକ୍ସ କାର୍ଯ୍ୟାଳୟରେ କାର୍ଯ୍ୟରତ ସମ୍ପାଦକ ଓ ଉପସଭାପତିଙ୍କୁ ବାଉଁଶ ଠେଙ୍ଗା ଧରି ମରଣାନ୍ତକ ଆକ୍ରମଣ କରିଛନ୍ତି ପୂର୍ବତନ ସଭାପତି ପ୍ରେମାନନ୍ଦ ବେହେରା। ଆକ୍ରମଣ କରିଥିବା ସମୟର ସମ୍ପୂର୍ଣ୍ଣ ଭିଜୁଆଲ୍ ସିସିଟିଭି (CCTV) କ୍ୟାମେରାରେ କଏଦ୍ ହୋଇଛି।
ଗତକାଲି ପ୍ୟାକ୍ସର କିଛି ପ୍ରଶାସନିକ ଓ ସମବାୟ ସମ୍ବନ୍ଧୀୟ କାର୍ଯ୍ୟ ଚାଲିଥିବା ବେଳେ ନିଲମ୍ବିତ ସଭାପତି ପ୍ରେମାନନ୍ଦ ସେଠାରେ ପହଞ୍ଚିଥିଲେ। କେହି କିଛି ବୁଝିବା ଆଗରୁ ପ୍ରେମାନନ୍ଦ ଏକ ବାଉଁଶ ଠେଙ୍ଗା ନେଇ ଅଫିସ ଭିତରକୁ ପ୍ରବେଶ କରି ଅଶ୍ଳୀଳ ଭାଷାରେ ଗାଳିଗୁଳଜ କରିଥିଲେ। ଠେଙ୍ଗାରେ ସେ ଉଭୟ ସମ୍ପାଦକ ମଦନମୋହନ ମହାପାତ୍ର ଏବଂ ଉପସଭାପତି ଗାୟତ୍ରୀ ପ୍ରଧାନଙ୍କୁ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ସମ୍ପାଦକ ଏବଂ ଉପସଭାପତି ଗୁରୁତର ଆହତ ହୋଇଛନ୍ତି।
ଘଟଣାକୁ ନେଇ ସମ୍ପାଦକ ଏବଂ ଉପସଭାପତି ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ସଦର ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସୂଚନାଯୋଗ୍ୟ ଯେ, ରାଇପୁର ପ୍ୟାକ୍ସରେ ଗତ କିଛି ମାସ ଧରି ଧାନ କ୍ରୟ ପ୍ରକ୍ରିୟାକୁ ନେଇ ଗୁରୁତର ମତଭେଦ ଦେଖା ଦେଇଥିଲା। ବହିଷ୍କୃତ ସଭାପତି ପ୍ରେମାନନ୍ଦ ବେହେରା ଧାନ କିଣାବିକାରେ ଅନିୟମିତତା, ସମବାୟ ନିୟମର ଉଲ୍ଲଂଘନ କରିବା ସହ ପ୍ୟାକ୍ସରୁ ଋଣ ନେଇ ଶୁଝୁନଥିବାରୁ ତାଙ୍କୁ ପରିଚାଳନା ପରିଷଦ ପଦବୀରୁ ବହିଷ୍କାର କରାଯାଇଥିଲା ।
ଏହାକୁ ନେଇ ଅନେକ ବାଦ ବିବାଦ ଥିବାବେଳେ ପ୍ରେମାନନ୍ଦ ପ୍ୟାକ୍ସର କାର୍ଯ୍ୟରେ ବାରମ୍ବାର ବେଆଇନ ହସ୍ତକ୍ଷେପ କରୁଥିଲେ। ପ୍ରେମାନନ୍ଦଙ୍କୁ ବହିଷ୍କାର କରାଯିବା ପରେ ଉପସଭାପତି ଗାୟତ୍ରୀ ପ୍ରଧାନ ପରିଚାଳନା ପରିଷଦର ସର୍ବସମ୍ମତି ନିଷ୍ପତ୍ତି କ୍ରମେ ସଭାପତି ରୁପେ ଦାୟିତ୍ଵ ତୁଲାଉଛନ୍ତି। ଏହା ଜାଣିପାରି ବହିଷ୍କୃତ ସଭାପତି ଉତକ୍ଷିପ୍ତ ହୋଇ ଆସି ବାଉଁଶଠେଙ୍ଗା ଦ୍ୱାରା ଉପସଭାପତି ଓ ସମ୍ପାଦକଙ୍କୁ ସମିତି ପରିସରରେ ଆକ୍ରମଣ କରିଥିଲେ।
ଏହି ନିନ୍ଦନୀୟ ଆକ୍ରମଣକୁ ନୟାଗଡ ଜିଲ୍ଲା ପ୍ୟାକ୍ସ ସମ୍ପାଦକ ସଂଘ ନିନ୍ଦା କରିଛି। ଏହା ସହିତ ଅଭିଯୁକ୍ତଙ୍କ ବିରୁଦ୍ଧରେ ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସଂଘ ପକ୍ଷରୁ ଡିଆରସିଏସ୍ ଙ୍କୁ ଲିଖିତ ଭାବେ ଅବଗତ କରାଯାଇଛି।

