ଦାୟିତ୍ୱହୀନ ଖବରରେ ଲାଗିବ ରୋକ୍, ବଢିପାରେ ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମା

1 min read

ଯାଜପୁର: ମିଛ ଓ ଦାୟିତ୍ୱହୀନ ଖବର ଉପରେ ଲାଗିବ ରୋକ୍‌ । ରାଜ୍ୟ ସରକାର ଖୁବଶୀଘ୍ର ଓ୍ବେବ୍‌ ମିଡିଆ ନୀତି ଆଣବେ । ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜ ଏହି ସୂଚନା ଦେଇଛନ୍ତି । ସେହିପରି ସାମ୍ବାଦିକଙ୍କ ସ୍ୱାସ୍ଥ୍ୟବୀମା ରାଶି ବୃଦ୍ଧି ପାଇଁ ରାଜ୍ୟ ସରକାର ବିଚାର କରିବେ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି । ମିଛ ଓ ଦାୟିତ୍ବହୀନ ଖବର ଉପରେ ରୋକ୍‌ ଲାଗିବ। ଖୁବଶୀଘ୍ର ରାଜ୍ୟ ସରକାର ଓ୍ବେବ୍‌ ମିଡିଆ ନୀତି ଆଣିବେ । ଯାଜପୁରରେ ଓଡ଼ିଶା ସାମ୍ବାଦିକ ୟୁନିୟନର ରାଜ୍ୟ କାର୍ଯ୍ୟକାରିଣୀ ଓ ସୁବର୍ଣ୍ଣ ଜୟନ୍ତୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜ ଏହି ସୂଚନା ଦେଇଛନ୍ତି ।

ସେହିପରି ଗଣମାଧ୍ୟମ ତା’ ଦାୟିତ୍ବ ଠିକ ଭାବେ ତୁଲାଉ ଓ ସୁସ୍ଥ ସମାଜ ଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରୁ ବୋଲି ସେ ପରାମର୍ଶ ଦେଇଥିଲେ । ସାମ୍ବାଦିକଙ୍କ ସ୍ବାସ୍ଥ୍ୟବୀମା ରାଶି ୨ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି, ବୀମାରେ ବାପା-ମାଆଙ୍କୁ ସାମିଲ ଓ ପେନସନ ଲାଗୁ ସହ ସାମ୍ବାଦିକ ଅଧିସ୍ବୀକୃତି କମିଟି ଗଠନ ସମ୍ପର୍କରେ ରାଜ୍ୟ ସରକାର ବିଚାର କରିବେ ବୋଲି ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜ ପ୍ରତିଶ୍ରୁତି ଦେଇଛନ୍ତି । ଏହି ଅବସରରେ ପଦ୍ମଶ୍ରୀ ପାଇଥିବା ନନ୍ଦ କିଶୋର ପୃଷ୍ଟିଙ୍କୁ ସମ୍ବର୍ଦ୍ଧନା ଦିଆଯିବା ସହ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ୨୦ରୁ ଅଧକ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଥିଲା ।

ସାମ୍ବାଦିକମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ସମ୍ମିଳନୀରେ ଆଲୋଚନା ହୋଇଛି । ଓୟୁଜେର ସୂବର୍ଣ୍ଣ ଜୟନ୍ତୀ ସମାରୋହରେ ମାନବାଧିକାର କମିଶନ ସଭ୍ୟ ଅସୀମ ଅମିତାଭ ଦାସ ଯୋଗଦେଇ ସାମ୍ବାଦିକମାନଙ୍କ ନାଁରେ ମିଥ୍ୟା ଅଭିଯୋଗ ସମ୍ପର୍କରେ ଆଲୋକପାତ କରିଥିଲେ । ସବୁ ପ୍ରତିକୂଳ ପରିସ୍ଥିତିରେ ସାମ୍ବାଦିକଙ୍କ ଭୂମିକାକୁ ଅତିଥିମାନେ ପ୍ରଶଂସା କରିଥିଲେ । ଓୟୁଜେର ସୂବର୍ଣ୍ଣ ଜୟନ୍ତୀ ଉତ୍ସବରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଶତାଧିକ ସାମ୍ବାଦିକ ଯୋଗଦେଇଥିଲେ । କରୋନା ମହାମାରୀ ସମୟରେ ପ୍ରାଣ ହରାଇଥିବା ୩୮ ଜଣ ସାମ୍ବାଦିକଙ୍କୁ କୋଭିଡ୍‌ ଯୋଦ୍ଧାର ମାନ୍ୟତା ଦେଇ ସେମାନଙ୍କ ପରିବାରକୁ ଆର୍ଥିକ ସହାୟତା ଦେଇଥିବାରୁ ଉତ୍ସବରେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦିଆଯାଇଥିଲା ।

Leave a Reply