ବିହାର ବିଧାନସଭା ନିର୍ବାଚନ: କଂଗ୍ରେସର ଦାବିକୁ ନେଇ ଆରଜେଡିର ସହମତି, ୧୪୪ ଆସନରେ ଲଢ଼ିବ ଦଳ

1 min read

ପଟଣା: ବିହାର ବିଧାନସଭା ନିର୍ବାଚନ ନେଇ ମହାମେଣ୍ଟରେ ଆସନ ଭାଗବଣ୍ଟା  । ଲାଲୁ ପ୍ରସାଦ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ୧୪୪, ଭାରତୀୟ ଜାତୀୟ କଂଗ୍ରେସ ୭୦, ବାମ୍ ଦଳକୁ ୨୯ଟି ସିଟ୍‌ରେ ମିଳିତ ଭାବେ ଲଢ଼ିବା ନେଇ ସହମତି ପ୍ରକାଶ ପାଇଛି । ଏ ନେଇ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଆରଜେଡି ନେତା ତେଜସ୍ୱୀ ଯାଦବ । ଶନିବାର ଅନୁଷ୍ଠିତ ଏହି ସାମ୍ୱାଦିକ ସମ୍ମିଳନୀରେ ମହାମେଣ୍ଟର ସମସ୍ତ ପ୍ରତିନିଧି ଉପସ୍ଥିତ ଥିଲେ । ଆରଜେଡି, କଂଗ୍ରେସ ଓ ସିପିଆଇ (ଏମ୍ଏଲ୍) , ସିପିଆଇ(ଏମ୍), ସିପିଆଇ ଏବଂ ଭିଆଇପିକୁ ଗଠିତ ହୋଇଛି ମହାମେଣ୍ଟ । ୨୦୧୫ ବିଧାନସଭା ନିର୍ବାଚନରେ ଆରଜେଡି ୧୦୧ ଏବଂ କଂଗ୍ରେସ ୪୧ ସିଟରେ ନିର୍ବାଚନ ଲଢ଼ିଥିଲେ । ତେବେ ସେତେବେଳେ ନୀତିଶ କୁମାରଙ୍କ ଜନତା ଦଳ (ଜେଡିୟୁ) ମଧ୍ୟ ମହାମେଣ୍ଟର ଅଂଶ ଥିଲା । କିନ୍ତୁ ଚଳିତ ନିର୍ବାଚନରେ ନିଜ ପୁରୁଣା ସହଯୋଗୀ ବିଜେପି ସହିତ ଏନଡିଏ ପ୍ରମୁଖ ଭାଗିଦାରୀ ରହିଛି । ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନେତୃତ୍ୱରେ ହିଁ ଚଳିତ ଥର ଏନଡିଏ ନିର୍ବାଚନ ଲଢ଼ିବ ।

            ସୂଚନା ଯୋଗ୍ୟ ଯେ, ସିଟ୍ ଭାଗବଣ୍ଟା ନେଇ ମହାମେଣ୍ଟ ମଧ୍ୟରେ ସହମତି ହୋଇପାରୁନଥିଲା । କଂଗ୍ରେସ ଅଧିକ ସିଟରେ ନିର୍ବାଚନ ଲଢ଼ିବା ପାଇଁ ଜିଦ୍‌ରେ ଅଟଳ ଥିଲା । କିନ୍ତୁ ଆରଜେଡି ସେହି ସଂଖ୍ୟକ ସିଟ୍ ଦେବା ପାଇଁ ରାଜି ନଥିଲା । ଆସନ ଭାଗବଣ୍ଟା ନେଇ ଉଭୟ ପକ୍ଷରୁ ହୋଇଥିବା ଟଣାଓଟାରା ମଧ୍ୟରେ କଥା କଟାକଟି ମଧ୍ୟ ଆରମ୍ଭ ହୋଇସାରିଥିଲା । କଂଗ୍ରେସ ତେଜସ୍ୱୀଙ୍କ ନେତୃତ୍ୱ ନେଇ ପ୍ରଶ୍ନ ଉଠାଇଥିଲା । ଜବାବରେ ଆରଜେଡି ପକ୍ଷରୁ କଂଗ୍ରେସକୁ ମଧ୍ୟ ଚେତାବନୀ ଦିଆଯାଇଥିଲା । ଆରଜେଡି ନେତା ମୃତ୍ୟୁଞ୍ଜୟ ତିଓ୍ୱାରୀ ମଧ୍ୟ କହିଥିଲେ ବିହାରର ଜନତା ତେଜସ୍ୱୀଙ୍କ ଉପରେ ଭରସା କରନ୍ତି । ସେ ଆହୁରୀ କହିଥିଲେ ଯେ, ତେଜସ୍ୱୀଙ୍କ ନାଲିଆଖି ଦେଖାଉଥିବା ଲୋକଙ୍କୁ ଛଡ଼ାଯିବନାହିଁ । ସେ କଂଗ୍ରେସ ହିଁ ହେଉନା କାହିଁକି । କିନ୍ତୁ ଏବେ ସିଟ୍ ଭାଗବଣ୍ଟାରେ ସ୍ପଷ୍ଟ ହୋଇଛି ଯେ, କଂଗ୍ରେସର ଦାବିକୁ ମାନିନେଇଛି ।

୨୦୧୫ ମହାମେଣ୍ଟରେ ଜିତିଥିଲା ୧୭୮ ସିଟ୍

୨୦୧୫ ବିଧାନସଭା ନିର୍ବାଚନରେ ମହାମେଣ୍ଟ ବିପୁଳ ସଂଖ୍ୟକ ସିଟ୍‌ରେ ବିଜୟୀ ହୋଇଥିଲା । ୨୪୩ ସିଟ୍ ବିଶିଷ୍ଟ ବିହାର ବିଧାନସଭାର ୧୭୮ ସିଟ୍‌ରେ ମହାମେଣ୍ଟ ବିଜୟୀ ହୋଇଥିଲା । ନୀତିଶ କୁମାର ବିହାରର ନୂଆ ମୁଖ୍ୟମନ୍ତ୍ରୀ ନିର୍ବାଚିତ ହୋଇଥିଲେ । କିନ୍ତୁ ନିର୍ବାଚନ ୨ ବର୍ଷ ପରେ ଜେଡିୟୁ ମହାମେଣ୍ଟରୁ ଅଲଗା ହୋଇଯାଇଥିଲେ । ଏବଂ ବିଜେପି ସହିତ ହାତ ମିଳାଇଥିଲେ ।

Leave a Reply