ହୀରା ସହରରେ ପିଆଜ ଚୋରଙ୍କ କାରନାମା
1 min read
ଗାନ୍ଧି ନଗର: ପିଆଜ ଦରକୁ ନେଇ ପୂରା ଦେଶରେ ହାହାକାର । କେଉଁଠି ପିଆଜ କେଜି ପିଛା ୧୦୦ ଟଙ୍କା ଡେଇଁଛି ତ ଆଉ କେଉଁଠି ମିଳୁନି । ଜମ୍ମୁ କଶ୍ମୀରରୁ ତାମିଲନାଡ଼ୁ, ଗୁଜରାଟରୁ ମିଜୋରାମ ଦେଶ ସାରା ଗୋଟିଏ ସ୍ଥିତି । ସବୁଠି କାଟିଲା ବେଳେ କନ୍ଦାଉଥିବା ପିଆଜକୁ କିଣିବା ତ ଦୂର କଥା ଛୁଇଁଲେ ଆଖିରୁ ଲୁହ ଆସି ଯାଉଛି । ପିଆଜର ଘୋର ଅଭାବ ଦେଖା ଦେଇଥିବା ବେଳେ ଏକ ମଣ୍ଡିରୁ ଚୋରି ହୋଇଛି ପିଆଜ । କେଜିଏ କି ୨ କେଜି ନୁହେଁ ପୂରା ୨୫୦ କେଜି ପିଆଜ ଚୋରି ହୋଇଛି ।

ପ୍ରଧାନମନ୍ତ୍ରୀ ମୋଦି ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଗୃହ ରାଜ୍ୟ ଗୁଜରାଟରୁ ୫ ବସ୍ତା ପିଆଜ ଚୋରି ହୋଇଛି । ଗୁରବାର ସୁରଟର ପାଳନପୁର ପାଟିୟାର ପିଆଜ ମଣ୍ଡି ଖୋଲିଥିଲା । ସକାଳେ ଦୋକାନ ଖୋଲିବା ପରେ ଠିକ୍ ଠାକ୍ ଚାଲିଥିଲା କିଣାବିକା । ହଠାତ୍ ପ୍ରହ୍ଲାଦ ଭାଇ ଦେଖିଥିଲେ ୫ ବସ୍ତା ପିଆଜ ନାହିଁ । କୁଆଡ଼େ ଗାୟବ ହୋଇଯାଇଛି । ସେ ଏ ସମ୍ପର୍କରେ ପାଖ ଦୋକାନୀଙ୍କୁ ପଚାରିବା ପରେ ପିଆଜ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ । ୫ ବସ୍ତା ପିଆଜ ଚୋରିରେ ଆର୍ଥିକ କ୍ଷତିଗ୍ରସ୍ତ ପ୍ରହ୍ଲାଦ ମାନସିକ ସ୍ତରରେ ମଧ୍ୟ ଭାଙ୍ଗି ପଡ଼ିଛନ୍ତି । ଏନେଇ ଥାନାରେ ଅଭିଯୋଗ ହୋଇଛି ।

ମଣ୍ଡିରୁ ପିଆଜ ଚୋରି ନେଇ ପୋଲିସରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ ହୋଇଛି । ପୋଲିସ ସିସିଟିଭି ଫୁଟେଜ ଆଧାରରେ ପିଆଜ ଚୋରକୁ ଖୋଜୁଛି ।