ନନ୍ଦିଘୋଷ ବ୍ୟୁରୋ: ଦିନକୁ ଦିନ ମୂଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଅଡୁଆ ବଢିବାରେ ଲାଗିଛି । ଏସଆଇଆର ପ୍ରସଙ୍ଗରେ ବିବାଦ ତୁଟି ନଥିବା ବେଳେ ଏବେ ତାଙ୍କ ବିରୋଧରେ ଭିଜିଲାନ୍ସ ତଦନ୍ତ ଆରମ୍ଭ ହେବାକୁ ଯାଉଛି । ଯାହାଫଳରେ ତାଙ୍କ ସମସ୍ୟା ଆହୁରି ବଢିଯାଇଛି । ଜଣେ କଂଗ୍ରେସ ନେତାଙ୍କ ଅଭିଯୋଗ ପରେ କେରଳ ସରକାର ୨୦ ବର୍ଷ ପୁରୁଣା ଦୁର୍ନୀତି ମାମଲାରେ ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଦୁଇ ଦିନ ପୂର୍ବରୁ ସରକାର ମାମଲାର ଫାଇଲ୍ ସମନ କରିଥିଲେ । ଯାହାପରେ ଆଜି କେରଳ ଗୃହମନ୍ତ୍ରୀ ରମେଶ ଚେନ୍ନିଥଲା ସିଇସି ଜ୍ଞାନେଶ କୁମାରଙ୍କ ବିରୋଧରେ ଭିଜିଲାନ୍ସ ତଦଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲା ୨୦୦୬ ମସିହାରେ କେରଳର ପିଡବ୍ଲୁ୍ଡି ଡିପାର୍ଟମେଣ୍ଟର ସଚିବ ଭାବରେ ତାଙ୍କର କାର୍ଯ୍ୟକାଳ ସମୟରେ ହୋଇଥିବା ଅନିୟମିତତା ସହ ଜଡିତ । ଯେଉଁଥିରେ ସିଇସି ଜ୍ଞାନେଶ କୁମାରଙ୍କ ବିରୁଦ୍ଧରେ ଅନୁୟମିତତାର ଅଭିଯୋଗ ଆସିଛି । ଏହି ମାମଲାରେ ମାଲେସିଆନ୍ ସିଭିଲ୍ ଇଞ୍ଜିନିୟର ଲି ସି ବିନ୍ ଆତ୍ମହତ୍ୟା କରିଥିଲେ । ଯିଏ କେରଳ ରାଜ୍ୟ ପରିବହନ ପ୍ରକଳ୍ପ ଅଧୀନରେ MC ରୋଡ ପ୍ରୋଜେକ୍ଟରେ PATI-BEL କନସୋର୍ଟିୟମ ସହିତ ଜଡିତ ଥିଲେ । ସେ ତାଙ୍କ ସୁଇସାଇଡ୍ ନୋଟରେ ସିଇସି ଜ୍ଞାନେଶ କୁମାରଙ୍କ ନାମ ଉଲ୍ଲେଖ କରିଥିଲେ । ହେଲେ ବାହ୍ୟ ଚାପ ପ୍ରୟୋଗ କରାଯାଇ ମାମଲାରେ ମୂଳ ତଦନ୍ତକୁ ବାଟବଣା କରାଯାଇଥିବା ଅଭିଯୋଗ ହେବା ପରେ ଏବେ ଏହାର ତଦନ୍ତ ପୁଣି ଆରମ୍ଭ ହୋଇଛି । କଂଗ୍ରେସ ନେତା ମଲୟିନକୀଜ ବେଣୁଗୋପାଲଙ୍କ ଅଭିଯୋଗ ପରେ ଗୃହମନ୍ତ୍ରୀ ରମେଶ ଚେନ୍ନିଥଲା ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ସହ ଜଡିତ ମାମଲାରେ ବାହ୍ୟ ପ୍ରଭାବର ଅଭିଯୋଗର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ଏବଂ ଫଳାଫଳ ଆଧାରରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
କହିରଖୁଛୁ ଯେ, ଜ୍ଞାନେଶ କୁମାର ହେଉଛନ୍ତି କେରଳ କ୍ୟାଡରର ୧୯୮୮ ବ୍ୟାଚର ଆଇଏଏସ୍ ଅଧିକାରୀ । ସେ କେରଳରେ ଅନେକ ଉଚ୍ଚପଦସ୍ଥ ପଦବୀରେ କାର୍ଯ୍ୟ କରିଛନ୍ତି । ବର୍ତ୍ତମାନ ଜ୍ଞାନେଶ କୁମାର ଭାରତୀୟ ନିର୍ବାଚନ କମିଶନ ର ମୁଖ୍ୟ ନିର୍ବାଚନ କମିଶନର ଅଛନ୍ତି, କିନ୍ତୁ ଦୁଇ ନିର୍ବାଚନ କମିଶନର ବିକାଶ ଜୋଶୀ ଏବଂ ସୁଖବିନ୍ଦର ସିଂ ସନ୍ଧୁଙ୍କ ଦ୍ବାରା ଭୋଟର ତାଲିକା ଏବଂ ଏସଆଇଆର ସମ୍ପର୍କରେ ଉଠାଇଥିବା ପ୍ରଶ୍ନ ଯୋଗୁଁ ସେ ବିବାଦରେ ଫସିଛନ୍ତି । ଆଉ ଏହି ସମୟରେ ଜ୍ଞାନେଶ କୁମାରଙ୍କ ସହ ଜଡିତ ପୁରୁଣା ମାମଲା ସାମ୍ନାକୁ ଆସିଛି । ଯେଉଁଥିରେ କେରଳର ମାମଲା ମଧ୍ୟ ରହିଛି । ଆଉ ଏହାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ଏବଂ କେରଳ ସରକାର ଯଥାଶୀଘ୍ର ତଦନ୍ତ ରିପୋର୍ଟ ଦାଖଲ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଯଦି ସେ ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ତାଙ୍କ ଭବିଷ୍ୟତ ଉପରେ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇପାରେ ।

