spot_img

Latest Posts

ମୌସୁମୀରେ ଅନିୟମିତତା ଯୋଗୁଁ ନଭେମ୍ବରରେ ପୁଣି ବଢିପାରେ ପିଆଜ ଦର

ନୂଆଦିଲ୍ଲୀ: ଦେଶରେ ପ୍ରାୟ ପ୍ରତ୍ୟେକଙ୍କ ଘରେ ପିଆଜ ବ୍ୟବହାର ହୋଇଥାଏ। ପ୍ରତି ବର୍ଷ ସେପ୍ଟେମ୍ବରରୁ ନଭେମ୍ବର ମାସ ମଧ୍ୟରେ ପିଆଜ ଦାମ ବଢ଼ିଯାଇଥାଏ। ଏଥର ମଧ୍ୟ ଅନିୟମିତ ମୌସୁମୀ କାରଣରୁ ସେପ୍ଟେମ୍ବରରୁ ନଭେମ୍ବର ମଧ୍ୟରେ ପିଆଜ ଦାମ ବୃଦ୍ଧି ପାଇବ । କ୍ରିସିଲ ରିସର୍ଚ୍ଚର ଏକ ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷ ମୌସୁମୀର ଅନିୟମିତ ବର୍ଷା ଯୋଗୁଁ ଖରିଫ ଫସଲ କାଟିବାକୁ ବିଳମ୍ବ ହୋଇପାରେ । ଯାହାଫଳରେ ପାର୍ବଣ ଋତୁରେ ଚାହିଦା ବଢିବା ପରେ ପିଆଜ ଦାମ ବଢିବାର ସମ୍ଭାବନା ରହିଛି।

ଚଳିତ ବର୍ଷ ଜୁନ ୩ରୁ ମୌସୁମୀ ଆରମ୍ଭ ହୋଇଛି। ମୌସୁମୀ ଖରିଫ ଫସଲ ପାଇଁ ଭଲ ଋତୁ ଆରମ୍ଭ ହୋଇଥିବା ସଂକେତ ଦେଇଥିଲା। ସେଥିପାଇଁ ଚାଷୀ ଶୀଘ୍ର ନଷ୍ଟ ହୋଇଯାଉଥିବ ଟମାଟୋ ଚାଷ ବଦଳରେ ଲଙ୍କା ଓ ପିଆଜ ଚାଷ କରିଥିଲେ। ତେବେ ରିପୋର୍ଟରେ କୁହାଯାଇଛି ଯେ ଜୁଲାଇରେ ମୌସୁମୀରେ ବ୍ରେକ ଲାଗିଥିଲା ଏବଂ ୨% କମ୍ ବର୍ଷା ରେକର୍ଡ କରାଯାଇଥିଲା। ଅଗଷ୍ଟ ମାସରରେ ପ୍ରତିରୋପଣ ପାଇଁ ଭଲ ସମୟ ଥିଲା କିନ୍ତୁ ସେତେବେଳେ ବର୍ଷା ଆହୁରି କମିଯାଇଥିଲା ଓ ମୌସୁମୀ ବର୍ଷା ୯ ପ୍ରତିଶତ କମ ହୋଇଥିଲା।

ଖରିଫ ପିଆଜ ଫସଲ ସାଧାରଣତଃ ଜୁନ-ଜୁଲାଇରେ କରାଯାଇଥାଏ। ଅକ୍ଟୋବର-ନଭେମ୍ବରରେ ଫସଲ କଟାଯାଇଥାଏ। ଏହି ସମୟରେ ରବି ପିଆଜ ଷ୍ଟକ ପ୍ରାୟ ସରିଆସିଥାଏ। ଯାହାର ଫଳସ୍ୱରୂପ ସେପ୍ଟେମ୍ବରରୁ ନଭେମ୍ବର ମାସରେ ବଜାରକୁ ନୂଆ ପିଆଜ ଆସିଥାଏ। ଏହି ସମୟରେ ଦେଶର ବିଭିନ୍ନ ସ୍ଥାନରେ ପାର୍ବଣ ଋତୁ ଥାଏ।

ଚଳିତ ବର୍ଷ ସଂଗୃହିତ ରବି ଫସଲ ମଧ୍ୟ ବାତ୍ୟା ତୌକତେ କାରଣରୁ ପ୍ରଭାବିତ ହୋଇଥିଲା। ୨୦୨୧ ମେ’ରେ ବାତ୍ୟା ମହାରାଷ୍ଟ୍ର ଓ ଗୁଜୁରାଟର ପ୍ରମୁଖ ପିଆଜ ଉତ୍ପାଦକ କ୍ଷେତ୍ରକୁ ପ୍ରଭାବିତ କରିଥିଲା। ଫଳରେ ପିଆଜ ଦାମ ବୃଦ୍ଧି ପାଇବା ନେଇ ଆଶଙ୍କା ପ୍ରକାଶ କରାଯାଇଛି। ପ୍ରତି ବର୍ଷ ସେପ୍ଟେମ୍ବର-ନେଭେମ୍ବର ମାସରେ ପିଆଜ ଦର ଆକାଶଛୁଆଁ ହୋଇଥାଏ। ଏଥର ମଧ୍ୟ ଦର ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି। ତେବେ ଏଥର ପିଆଜ ଦର କେତେ ହେଉଛି ତାହା ଦେଖିବା ବାକି ରହିଲା।

Latest Posts

Don't Miss