ରାଜ୍ୟର ଐତିହ୍ୟ କ୍ୟାବିନେଟ ନିଷ୍ପତ୍ତିକୁ କେନ୍ଦ୍ରର ଅଣଦେଖା: ଏଯାଏଁ ଓଡ଼ିଶୀ ସଙ୍ଗୀତକୁ ମିଳିଲାନି ଶାସ୍ତ୍ରୀୟ ମାନ୍ୟତା

ଭୁବନେଶ୍ୱର: ଏଯାଏଁ ମିଳିଲାନି ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା । ରାଜ୍ୟର ଐତିହ୍ୟ କ୍ୟାବିନେଟ ନିଷ୍ପତ୍ତିକୁ କେନ୍ଦ୍ର ଅଣଦେଖା କରିଛି । କୌଣସି ପ୍ରାଚୀନ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବା ଆମ କାମ ନୁହେଁ ବୋଲି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ କହିଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କ ଏପରି ଅବାନ୍ତର ଯୁକ୍ତି ନେଇ ଆଖିଲାଲ କରିଛନ୍ତି ରାଜ୍ୟର ଶାସକ ଓ ବିରୋଧୀ ଦଳ ଏବଂ ସଙ୍ଗୀତ ଶିଳ୍ପୀ । ରାଜ୍ୟ ସଂସ୍କୃତି ମନ୍ତ୍ରୀ କହିଛନ୍ତି, ଓଡ଼ିଶା ପ୍ରତି କେନ୍ଦ୍ର ଘୋର ଅବିଚାର କରୁଛି । ଏହାର ଦୃଢ଼ ପ୍ରତିବାଦ କରାଯିବ ।

ତାଳ, ଛନ୍ଦ, ଲୟ, ମାଧୁର୍ଯ୍ୟ । ସବୁଥିରେ ରହିଛି ସ୍ୱତନ୍ତ୍ର ପରିଚୟ । ଏହା ଓଡ଼ିଶୀ ସଙ୍ଗୀତ । କିନ୍ତୁ କେନ୍ଦ୍ର ଆଗରେ ଏହା ଅର୍ଥହୀନ । ଓଡ଼ିଶୀ ସଙ୍ଗୀତକୁ କେନ୍ଦ୍ର ସରକାର ଶାସ୍ତ୍ରୀୟ ମାନ୍ୟତା ଦେବା ପାଇଁ ବହୁଦିନରୁ ଦାବି ହେଉଛି । ରାଜ୍ୟ ସରକାର ବି ଏ ନେଇ ବହୁବାର କେନ୍ଦ୍ର ଆଗରେ ଦାବି ରଖିଛନ୍ତି । ୨୦୨୦ ସେପ୍ଟେମ୍ବରରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ଐତିହ୍ୟ କ୍ୟାବିନେଟ ବୈଠକରେ ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବା ପାଇଁ ନିଷ୍ପତ୍ତି ହୋଇଥିଲା । ଏହି ନିଷ୍ପତ୍ତି ସମ୍ପର୍କରେ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀ ଚିଠି ଲେଖିଲେ । ହେଲେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ ବିତଣ୍ଡା ଯୁକ୍ତି, ଭାରତରେ କେବଳ ହିନ୍ଦୁସ୍ଥାନୀ ଓ କର୍ଣ୍ଣାଟକୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ମିଳିଛି । କୌଣସି ପ୍ରାଚୀନ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବା କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟର କାମ ନୁହେଁ । କେବଳ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ଦୁଇ ଶାସ୍ତ୍ରୀୟ ସଙ୍ଗୀତ ସହିତ ଓଡ଼ିଶୀ ସଙ୍ଗୀତ ପାଇଁ ପୁରସ୍କାର ଦେଉଛି । କେନ୍ଦ୍ରମନ୍ତ୍ରୀଙ୍କ ଏପରି ବିତଣ୍ଡା ଯୁକ୍ତିରେ ସଂଗୀତ ଶିଳ୍ପୀ ଖପ୍ପା । ସେମାନେ ପ୍ରଶ୍ନ ଉଠାଇଛନ୍ତି, ଯଦି ସଂସ୍କୃତି ମନ୍ତ୍ରାଳୟ ଶାସ୍ତ୍ରୀୟ ସଙ୍ଗୀତ ମାନ୍ୟତା ଦେଉନାହିଁ, ତେବେ ହିନ୍ଦୁସ୍ଥାନୀ ଓ କର୍ଣ୍ଣାଟକୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେଲା କିଏ ?

ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ନେଇ ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ସଂସଦରେ ପ୍ରଶ୍ନ କରିଥିଲେ । କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି.କିଶନ ରେଡ୍ଡୀ ଭଳି ବିଭ୍ରାନ୍ତିକର ତଥ୍ୟ ରଖିଛନ୍ତି, ସେଥିରେ ବିଜେଡି ଅସନ୍ତୋଷ ପ୍ରକାଶ କରିଛି । କଂଗ୍ରେସ ମଧ୍ୟ ଏହି ପ୍ରସଙ୍ଗରେ ଜନଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି । ରାଜ୍ୟ ସଂସ୍କୃତି ମନ୍ତ୍ରୀ କହିଛନ୍ତି, ଗତ ୬ ତାରିଖରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ନିଜେ ଭେଟି ଏ ନେଇ ପୁଣି ଏକ ସ୍ମାରକପତ୍ର ଦେଇଥିଲେ । କେନ୍ଦ୍ରମନ୍ତ୍ରୀଙ୍କ ଉତ୍ତର ସାଢ଼େ ଚାରି କୋଟି ଓଡ଼ିଆଙ୍କ ହୃଦୟକୁ ଆଘାତ ଦେଇଛି । ଏହାର କଡ଼ା ପ୍ରତିବାଦ କରାଯିବ ।

ଏଥିସହିତ ପଢ଼ନ୍ତୁ: ଓଡ଼ିଶାକୁ ଅଲିମ୍ପିକ୍ସ ପଦକ ବିଜୟର ଶ୍ରେୟ ଦେଲେ ନରିନ୍ଦର ବାତ୍ରା: ମୁଖ୍ୟମନ୍ତ୍ରୀଙ୍କ ସହଯୋଗ ଓ ଦୂରଦୃଷ୍ଟି ପାଇଁ ଜଣାଇଲେ ଧନ୍ୟବାଦ

Leave a Reply