ବିଶ୍ୱ ଦରବାରରେ ସମ୍ମାନିତ ହେଲା ଓଡ଼ିଶା

1 min read

ଭୁବନେଶ୍ୱର: ବିଶ୍ୱ ଦରବାରରେ ସମ୍ମାନିତ ହେଲା ଓଡ଼ିଶା। ଜାଗା ମିଶନରେ ରାଜ୍ୟ ସରକାରଙ୍କ ଓଡ଼ିଶା ଲିଭେବଲ୍‌ ହାବିଟାଟ୍‌ ମିଶନ ବା ଓଏଲଏଚଏମ୍‌କୁ ଇଂଲଣ୍ଡର ଓ୍ୱାଲଡ୍‌ ହାବିଟାଟ୍‌ ସଂସ୍ଥା ପକ୍ଷରୁ ବ୍ରୋଞ୍ଜ ପଦକ ମିଳିଛି । ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶାକୁ  ଏହି ସମ୍ମାନ ମିଳିଛି ।

ହଜାର ହଜାର ସଂଖ୍ୟାରେ ବସ୍ତିବାସିନ୍ଦାଙ୍କୁ ଜମି ଅଧିକାର ପ୍ରଦାନ କରିବାରେ ପୂର୍ବ ଭାରତରେ ଓଏଲଏଚଏମ୍‌କୁ ସବୁ ସମୟରେ ପ୍ରଶଂସା ମିଳିଛି। ଏପରିକି ଜାତୀୟସ୍ତରର ଟେଲିଭିଜନ୍‌ ସୋ ସତ୍ୟମେବ ଜୟତେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ଜଣେ ବ୍ୟକ୍ତି ଓଡ଼ିଶାରେ ବସ୍ତିବାସିନ୍ଦାଙ୍କୁ ଜମି ଅଧିକାର ପ୍ରଦାନ କରିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭୂୟସୀ ପ୍ରଶଂସା କରିଥିଲେ। ଏଯାଏଁ ୫୦ହଜାର ଅଧିକ ପରିବାରକୁ ଜମି ଅଧିକାର ମିଳିଛି ।

୨ ହଜାର ୯୧୯ ବସ୍ତିର  ବାସିନ୍ଦାମାନଙ୍କ ଜୀବନ ଧାରଣର ମାନ ବଢ଼ାଇବା ସହ ସେମାନଙ୍କୁ ଜମି ଅଧିକାର ପ୍ରଦାନ କରିବା ପାଇଁ  ରାଜ୍ୟ ସରକାର ସ୍ୱତନ୍ତ୍ର ଆଇନ୍ ପ୍ରଣୟନ କରିଛନ୍ତି । ୨୦୧୭ ମସିହାରେ ପ୍ରଣିତ ଏହି ଆଇନ ବସ୍ତି ବାସିନ୍ଦାଙ୍କ ବିକାଶ ଦିଗରେ ରାଜ୍ୟ ସରକାରଙ୍କ ପ୍ରଥମ ପଦକ୍ଷେପ ।

ରାଜ୍ୟ ସରକାରଙ୍କ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଏହି ବସ୍ତି ଉନ୍ନୟନ ପ୍ରକଳ୍ପରେ ଡ୍ରୋନ୍ ଓ ଜିଆଇଏସ୍‌ ଟେକ୍ନୋଲୋଜି ମାଧ୍ୟମରେ ୧୭୨୫ ବସ୍ତି ଅଞ୍ଚଳର ସର୍ଭେ କରାଯାଇଛି । ବସ୍ତିବାସିନ୍ଦାଙ୍କ ଜୀବନ ଧାରଣର ମାନ ବଢ଼ାଇବା ପାଇଁ ଖୁବ୍‌ଶୀଘ୍ର ୨୫୫ ବସ୍ତିକୁ ଲିଭେବଲ୍‌ ହାବିଟାଟ୍‌ରେ ପରିଣତ କରିବାକୁ ଓଏଲ୍‌ଏଚ୍‌ଏମ୍‌ର କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

ରାଜ୍ୟ ସରକାରଙ୍କ ଏହି ବସ୍ତି ଉନ୍ନୟନ ପ୍ରକଳ୍ପ ସାରା ରାଜ୍ୟରେ ପୂର୍ଣ୍ଣ କାର୍ଯ୍ୟକାରୀ ହେଲେ ରାଜ୍ୟର ୨ଲକ୍ଷ୬ ହଜାର ପରିବାରର ୧୦ ଲକ୍ଷ ଲୋକ ଉପକୃତ ହେବେ । ସରକାରୀ ଜମିରେ ଗୃହ ନିର୍ମାଣ କରି ୦.୮ ମିଲିୟନ ଲୋକଙ୍କୁ ୨୦୨୧-୨୦୨୩ ମଧ୍ୟରେ ଶସ୍ତା ଦରରେ ଘର ଯେଗାଇଦେବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର।

ଓ୍ୱାଲଡ୍‌ ହାବିଟାଟ୍‌ ଆଓ୍ୱର୍ଡ ନେଇ ଟ୍ୱିଟ୍‌ କରି ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମିଶନରେ ଜଡ଼ିତ ଟିମ୍‌କୁ ଜଣାଇଲେ ଶୁଭେଚ୍ଛା । କହିଲେ, ୧.୭ ମିଲିୟନ୍‌ ସହରାଞ୍ଚଳ ଗରିବଙ୍କ ବିକାଶ ନେଇ କାର୍ଯ୍ୟ ଜାରି ରହିବ ।

ରାଜ୍ୟ ସରକାରଙ୍କ ଏହି ଉପଲବ୍ଧି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଟାଟା ଟ୍ରଷ୍ଟ ଚେୟାରମ୍ୟାନ୍‌ ରତନ ଟାଟା । ସହରାଞ୍ଚଳରେ ଥିବା ଗରିବଙ୍କ ବିକଶା ନେଇ ରାଜ୍ୟ ସରକାରଙ୍କ  ପ୍ରତିବଦ୍ଧତାକୁ ଓ୍ୱାଲଡ୍‌ ହାବିଟାଟ୍‌ ସଂସ୍ଥା ସମ୍ମାନିତ କରିଥିବା କହିଛନ୍ତି ରତନ ଟାଟା ।

 

Leave a Reply