ଓଡ଼ିଶା ହେବ ଆଇଟି ହବ୍, ଫେରିବେ ଓଡ଼ିଆ ଆଇଟି ପ୍ରଫେସନାଲ୍

ଭୁବନେଶ୍ବର: ସାକାର ହେବ ଆଇଟି ହବ୍ ସ୍ବପ୍ନ । ଆଇଟି, ବିପିଓ ଓ ଇଏସଡିଏମ ନୀତିକୁ ଆହୁରି ବ୍ୟାପକ କରିବାରେ ଲାଗିଛନ୍ତି ରାଜ୍ୟ ସରକାର । ଓଡ଼ିଆ ଆଇଟି ପ୍ରଫେସନାଲଙ୍କୁ ଅନୁକୂଳ ବାତାବରଣ ଦେଇ ରାଜ୍ୟକୁ ଫେରାଇ ଆଣିବାକୁ ରହିଛି ମୁଖ୍ୟମନ୍ତ୍ରୀଙ୍କ ଡ୍ରିମ ଭିଜନ । କିଛିଦିନ ତଳେ ଦ୍ବିତୀୟ ଇନଫୋସିଟି ପାଇଁ ୨୫୦ ଏକର ଜମି ପ୍ରଦାନ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ତାମିଲନାଡ଼ୁ, କେରଳ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ଦିଲ୍ଲୀ ଓ ମହାରାଷ୍ଟ୍ରରେ ଥିବା ଓଡ଼ିଆ ଆଇଟି ଛାତ୍ରଙ୍କୁ ଫେରାଇ ଆଣିବାକୁ ଫୋକସରେ ରଖାଯାଇଛି । ଏନେଇ ଦୀର୍ଘ ମିଆଦି ଯୋଜନା ପ୍ରସ୍ତୁତ କରାଯାଉଛି । ଯେଉଁଥିରେ ଚାଇନା ସହ ସଂପର୍କ ଛିନ୍ନ କରୁଥିବା କମ୍ପାନୀଗୁଡିକର ଓଡ଼ିଶାରେ ପୁଞ୍ଜିନିବେଶକୁ ଲକ୍ଷ୍ୟ ରଖଯାଇଛି । କାରଣ ଏସବୁ କମ୍ପାନୀ ଏବେ ଭିଏତନାମ ସହ ଭାରତମୁହାଁ ହେଲେଣି । ଏଥିସହ ଦୁଇ ବର୍ଷରୁ କରୋନା ଯୋଗୁଁ ବନ୍ଦ ପଡ଼ିଥିବା ଆଇଟି ପ୍ରକଳ୍ପ କାମ ପୁଣି ତୀବ୍ର ଗତିରେ ଆରମ୍ଭ ହେଲାଣି ।

୨୦୦୫ ପରଠାରୁ ଓଡ଼ିଆ ଛାତ୍ରଛାତ୍ରୀ ଆଇଟି କାମ ସନ୍ଧାନରେ ମେଟ୍ରା ସିଟିକୁ ଯାଉଛନ୍ତି । ଏବେ ସେଠାରେ ଓଡ଼ିଶାର ୨୦ ପ୍ରତିଶତରୁ ଅଧିକ ଆଇଟି ପେଶାଦାର କାମ କରୁଛନ୍ତି । ସେହିପରି ୨୦୦୭ରୁ ଓଡ଼ିଶାରେ ଓ୍ବିପ୍ରୋ, ସତ୍ୟମ, ଟେକ୍ ମହିନ୍ଦ୍ରା, ଟିସିଏସ୍ ଓ ଇନଫୋସିସ୍‌ ପରି କମ୍ ସଂଖ୍ୟକ ଆଇଟି କମ୍ପାନୀ ଥିଲେ । ଏଥିରୁ ସତ୍ୟମ କଳା ତାଲିକାଭୁକ୍ତ ହୋଇଥିଲା । ଅଧିକ କମ୍ପାନୀ ଓ ଅଧିକ ବେତନ ପାଇଁ ମାଟି ଛାଡ଼ୁଥିଲେ ଓଡ଼ିଆ ଛାତ୍ରଛାତ୍ରୀ । ହେଲେ ଏବେ କରୋନା ଯୋଗୁଁ ଦୁଇ ବର୍ଷ ହେଲା ସେମାନେ ଓଡ଼ିଶାରେ ରହି ଓ୍ବାର୍କ ଫ୍ରମ୍ ହୋମ୍‌ରେ କାମ କରୁଛନ୍ତି । ଫଳରେ ବାହାର ରାଜ୍ୟ ପ୍ରତି ସେମାନଙ୍କ ମୋହ ତୁଟିବାରେ ଲାଗିଛି ।

ରାଜ୍ୟର ଆଇଟି ମନ୍ତ୍ରୀ ଜଣେ ଆଇଆଇଟିଆନ୍ । ଆଇଟି ଶିଳ୍ପର ବିକାଶ ପାଇଁ ସେ ଆଇଟି ସମୃଦ୍ଧ ରାଜ୍ୟକୁ ଗସ୍ତ କରି ସେଠାର ବୈଷୟିକ ବାତାବରଣ ନେଇ ଅନୁଧ୍ୟାନ କରୁଛନ୍ତି । କିଛିଦିନ ତଳେ ସେ ପୁଣେ ଯାଇ ୫ରୁ ୬ କମ୍ପାନୀଙ୍କ ସହ ଆଲୋଚନା କରିଛନ୍ତି । ଏପରିକି ୨ରୁ ୩ ଓଡିଆ ଉଦ୍ୟୋଗୀ ରାଜ୍ୟକୁ ଫେରି ଷ୍ଟାର୍ଟଅପ୍‌ କରିବା ପାଇଁ ମନ ବଳାଇଛନ୍ତି ।