ସରକାରଙ୍କୁ ବ୍ୟବସାୟୀ ମହାସଙ୍ଘର ଚରମବାଣୀ; କହିଲା- ଦୋଷ ଦେବା ବନ୍ଦ କର, ଭଲ ଆଲୁ ୨୦ ଟଙ୍କାରେ ବିକ୍ରି ହେବନି

ଭୁବନେଶ୍ବର: ଆଳୁ ମୂଲ୍ୟ ବୃଦ୍ଧ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଓଡିଶା ବ୍ୟବସାୟୀ ମହାସଂଘର ଟାର୍ଗେଟ । ସରକାର ବିନା ଦୋଷରେ ବ୍ୟବସାୟୀଙ୍କୁ ଦୋଷ ଦେଇ ଆସୁଛନ୍ତି । ସରକାର ସମସ୍ତଙ୍କ କଥା ବୁଝିବା ଦରକାର। କାହାକୁ ବଦନାମ କରିବା କାହା ଉପରେ ଚଢ଼ାଉ କରିବା ସମସ୍ୟାର ସମାଧାନ ନୁହେଁ । ସବୁ କଥା ଆଲୋଚନା ମାଧ୍ୟମରେ ସମାଧାନ କରିବା ଦରକାର ବୋଲି କହିଛି ଓଡ଼ଇଶା ବ୍ୟବସାୟୀ ମହାସଙ୍ଘ ।

ମହାସଙ୍ଘ ପକ୍ଷରୁ କୁହାଯାଇଛି, ଭଲ ଆଲୁର ଦର ବଜାରରେ ସର୍ବାଧିକ ୩୦ଟଙ୍କା ରହିବା ଦରକାର । ଭଲ ଆଳୁ କେବେ ୨୦ ଟଙ୍କାରେ ମିଳିପାରିବ ନାହିଁ । ମନ୍ତ୍ରୀ କେଉଁ ଉତ୍ସରୁ ଏହା କହିଛନ୍ତି ତାହା ଜଣାପଡୁନାହିଁ । ଆଳୁ ଯେଉଁଠି ଅଧିକ ଦରରେ ବିକ୍ରି ହେଉଛି ସେଠି ରୋକିବାକୁ କିଛି ପ୍ରଶାସନିକ କ୍ଷମତା ବ୍ୟବସାୟୀ ସଂଘ ହାତରେ ନାହିଁ । ଏହା ସରକାରଙ୍କ ହାତରେ ଅଛି । ସେଥିପାଇଁ ବାରମ୍ବାର ସରକାରଙ୍କ ନିକଟରେ ଦାବି ମଧ୍ୟ କରାଯାଇଛି । ଏ ନେଇ ଏକ ନୀତି ଆଣିବାକୁ ସରକାରଙ୍କୁ ବାରମ୍ବାର କୁହାଯାଇଛି । ଗ୍ରାହକମାନେ ଅଧିକ ଦରରେ କିଣିବା ପ୍ରସଙ୍ଗକୁ ବ୍ୟବସାୟୀ ସଂଘ ଗ୍ରହଣ କରିପାରୁ ନାହିଁ । ଏ ସମ୍ପର୍କରେ ଆଲୋଚନା ପାଇଁ ଆସନ୍ତା ଏକ ତାରିଖରେ ବ୍ୟବସାୟୀମାନଙ୍କ ଏକ ରାଜ୍ୟସ୍ତରୀୟ ବୈଠକ ଅଛି । ସେଠାରେ ଏ ସମ୍ପର୍କରେ ଆଲୋଚନା ହେବ ।

ଦରଦାମ ନିୟନ୍ତ୍ରଣ ପାଇଁ ବ୍ୟବସାୟୀମାନଙ୍କ ଏକ ରାଜ୍ୟସ୍ତରୀୟ ବୈଠକ ଆସନ୍ତା ଏକ ତାରିଖରେ କଟକରେ ହେବ । ସବୁ ଗ୍ରାହକ କେମିତି ଗୋଟିଏ ଦରରେ ଆଳୁ ପାଇପାରିବେ ସେ ନେଇ ବୈଠକରେ ଆଲୋଚନା ହେବ ବୋଲି ସୂଚନା ଦେଇଛନ୍ତି ବ୍ୟବସାୟୀ ମହାସଂଘ ମହାସଚିବ ସୁଧାକର ପଣ୍ଡା ।

ବାରମ୍ବାର ଆଲୋଚନା ପାଇଁ ଡାକିବାକୁ କହୁଥିଲେ ମଧ୍ୟ ସରକାର ଡାକୁ ନାହାନ୍ତି । ତେଣୁ ସରକାରଙ୍କୁ ଆଉ ଅନୁରୋଧ କରିବ ନାହିଁ ବ୍ୟବସାୟୀ ମହାସଂଘ ବୋଲି ରୋକଠୋକ ଜଣାଇଛି । ପଶ୍ଚିମବଙ୍ଗରୁ ସ୍ୱାଭାବିକ ଭାବେ ଆଳୁ ଆସୁଛି । ଗୋଦାମରେ ଆଳୁ ସର୍ବାଧିକ ୨୪ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି । ରାଜ୍ୟକୁ ଆଜି ୩୦୦ ଟ୍ରକରୁ ଅଧିକ ଆଳୁ ଆସିଛି । ସରକାର ଟ୍ରେନ ମାଧ୍ୟମରେ ଯେଉଁ ଆଳୁ ଆଣିବା କଥା କହିଥିଲେ ସରକାର ହିଁ କହିପାରିବେ ସେ ଆଳୁ କେବେ ଆସିବ ସୁଧାକର କହିଛନ୍ତି ।