ଆଜିଠୁ ବିଜୁଳି ଘଡଘଡି ବର୍ଷା, ଦକ୍ଷିଣ ଓଡିଶାରେ ୪୦ କିମି ବେଗରେ ବହିବ ପବନ

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି କାଳବୈଶାଖୀ ତାଣ୍ଡବ । ଆଜିଠୁ ବଢିବ ଝଡ ପବନ । ୯ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶା ସମେତ ପ୍ରଭାବିତ ହେବ ଦକ୍ଷିଣ ଓଡ଼ିଶା । ବାଂଲାଦେଶ ଏବଂ ଏହାର ଆଖପାଖରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟର ଏକ ଟ୍ରପ୍ ଲାଇନ୍ ସମୁଦ୍ର ପତ୍ତନ ଠାରୁ ୦.୯ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଛି । ଯାହାର ପ୍ରଭାବରେ ଆଜିଠୁ ପୁଣି ବର୍ଷାର ପରିମାଣ ଏବଂ ବିସ୍ତୃତି ବଢିବ ।

ବିଜୁଳି ଘଡଘଡି ବର୍ଷା ସହ ଘଣ୍ଟାପ୍ରତି ୩୦ ରୁ ୪୦ କିଲୋମିଟର ବେଗରେ ପବନ ବହିବ । ଏଥିପାଇଁ ଉତ୍ତର, ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର ୧୬ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । କାଲି ଘଡଘଡି ବିଜୁଳି ସମେତ ବର୍ଷାପବନ ପାଇଁ ୧୦ ଜିଲ୍ଲା ଏବଂ ପବନ ସମେତ ବଜ୍ରପାତ ପାଇଁ ୧୩ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି ।

ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ପାଗ ଜାରି ରହିବ । ଅଧିକାଂଶ ଜିଲ୍ଲାରେ ମଧ୍ୟାହ୍ନରେ ତାତି ରହିବା ସହ ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।