ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ : ୨୩ ତାରିଖ ପରେ ଉପକୂଳରେ ହାଲୁକା ବର୍ଷା ସମ୍ଭାବନା !

1 min read

ଭୁବନେଶ୍ୱର :  ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ । ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ପ୍ରଭାବରେ ଆସନ୍ତାକାଲି କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ । ହେଲେ ଲଘୁଚାପର ପ୍ରଭାବ କେଉଁଠି ରହିବ ତାହା ଏବେ ଆକଳନ କରାଯାଇ ନାହିଁ । ସାରା ରାଜ୍ୟରେ ଏବେ ପାଗ ମୁଖ୍ୟତଃ ଶୁଖିଲା ରହିଥିବା ବେଳେ ତାପମାତ୍ରା ସ୍ବାଭାବିକ ଠାରୁ ୧ ରୁ ୨ ଡିଗ୍ରୀ ଉପରେ ରହୁଛି ।

ତେବେ ପଶ୍ଚିମା ଝଡ ପ୍ରଭାବରେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । କାଲିଠୁ ୨୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଗ ସଂପୂର୍ଣ୍ଣ ଶୁଖିଲା ରହିବ ବୋଲି ସୂଚନା ଦେଇଛି ପାଣିପାଗ କେନ୍ଦ୍ର । ୨୩ ତାରିଖ ପରେ ଉପକୂଳ ଓଡ଼ିଶାର ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ନୟାଗଡ ଆଦି ଜିଲ୍ଲାରେ ବର୍ଷାର ପରିମାଣ ବଢିପାରେ । ଯଦି ଲଘୁଚାପଟି ଘନୀଭୁତ ହୁଏ ଏବଂ ଓଡ଼ିଶା ଉପକୂଳକୁ ଆସେ ତେବେ ବର୍ଷାର ପରିମାଣ ଅଧିକ ରହିପାରେ ।

କିନ୍ତୁ ବର୍ତ୍ତମାନ ସୁଦ୍ଧା ଲଘୁଚାପ ପ୍ରଭାବରେ ଓଡ଼ିଶାରେ କେତେ ପରିମାଣର ବର୍ଷା ହେବ ସେ ନେଇ ଆଇଏମଡି କୌଣସି ସୂଚନା ପ୍ରଦାନ କରିନାହିଁ । କିନ୍ତୁ ଅନ୍ୟାନ୍ୟ ମଡେଲ ଗୁଡିକର ଆକଳନ ହିସାବରେ ଲଘୁଚାପଟି ଆହୁରି ଅଧିକ ଘନୀଭୁତ ହେବାକୁ ପାଗ ଅନୁକୂଳ ରହିଛି । ଯଦି ତାହା କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇ ଦକ୍ଷିଣ ଓଡ଼ିଶା-ଆନ୍ଧ୍ର ପ୍ରଦେଶ ମୁହାଁ ହେବ ତେବେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉପକୂଳ ଏବଂ ସଂଲଗ୍ନ ଜିଲ୍ଲାରେ ବର୍ଷା ହୋଇପାରେ । ଯଦି ତାହା ପଶ୍ଚିମବଙ୍ଗ –ବାଂଲାଦେଶ ମୁହାଁ ହୁଏ ତେବେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକା ବର୍ଷା ହୋଇପାରେ ।