ହାତୀ-ମଣିଷ ଲଢେଇ କମିବ; ସୋଲାର ଫେନ୍ସିଂ ଉପରେ ଗୁରୁତ୍ୱ…

1 min read

ଭୁବନେଶ୍ୱର: ଥମିବ ହାତୀ-ମଣିଷ ଲଢେଇ । ଧନ, ଜୀବନ ନଷ୍ଟ ଭୟରୁ ମିଳିବ ମୁକ୍ତି । ହାତୀଙ୍କୁ ରୋକିବାକୁ ବନ ବିଭାଗର ନୂଆ ପ୍ରୟାସ । ଜଙ୍ଗଲ ଚାରିପଟେ ସୋଲାର ଫେନ୍ସିଂ ଲାଗିବ ।  ସମ୍ବଲପୁର ଜନବସତି ଗୁଡିକରେ ହାତୀ ଉପଦ୍ରବ ରୋକିବାକୁ ଏପରି ନିଷ୍ପତ୍ତି ନେଇଛି ବନ ବିଭାଗ । ଜିଲ୍ଲାର ରେଙ୍ଗାଲୀ, ଧମା, ପଡ଼ିଆବାହାଲ, ସଦର ରେଞ୍ଜର ୧୮ଟି ଗ୍ରାମରେ ଲାଗିବ ଏହି ସୋଲାର ବାଡ ।

୭୨ ଜଣ ଚାଷୀଙ୍କ ୩୨୯.୯୩ ଏକର ଜମିର ଚାରିପଟେ ପ୍ରାୟ ୨୪.୭ କିଲୋମିଟର ସୋଲାର ଫେନସିଂ କାର୍ଯ୍ୟକାରୀ ହେବ । ଇଛୁକ ଗ୍ରାମବାସୀ ଗ୍ରାମ ସଭାରେ ପ୍ରସ୍ତାବ ପାରିତ କରି ଡିଏଫଓଙ୍କୁ ଜଣାଇବେ । ଏକ କିଲୋମିଟର ସୋଲାର ଫେନସିଂ ପାଇଁ ପ୍ରାୟ ୩ ରୁ ସାଢ଼େ ୩ ଲକ୍ଷ ଖର୍ଚ୍ଚ ହେବ । ଏହାଦ୍ୱାରା ହାତୀଙ୍କୁ ଜନବସତିମୁହାଁ ହେବାରେ ରୋକାଯାଇ ପାରିବ ବୋଲି ଆଶା କରାଯାଉଛି । ହାତୀ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାରଙ୍କୁ ଏହି ପ୍ରସ୍ତାବ ଦେଇଥିଲା ବନ ବିଭାଗ ।

ଏହାପରେ PCCF ପ୍ରକଳ୍ପ ବାବଦରେ ବ୍ୟୟ ଅଟକଳ ବିଷୟରେ ଜାଣିବାକୁ OREDAକୁ ଚିଠି ଦେଇଥିଲେ । ଅଞ୍ଚଳରେ ୨ ପ୍ରକାର ସୋଲାର ଫେନ୍ସିଂର ବ୍ୟବସ୍ଥା ହେବ । ବନ ବିଭାଗ ଓ ପଞ୍ଚାୟତର ମିଳିତ ଆର୍ଥିକ ସହାୟତାରେ ଏହା ତିଆରି ହେବ । ଏଥିପାଇଁ ବନ ବିଭାଗ ୯୦ ପ୍ରତିଶତ ଖର୍ଚ୍ଚ ବହନ କରୁଥିବା ବେଳେ ପଞ୍ଚାୟତକୁ ୧୦ ପ୍ରତିଶତ ଖର୍ଚ୍ଚ ବହନ କରିବାକୁ ପଡିବ । କୌଣସି ଚାଷୀ ବ୍ୟକ୍ତିଗତ ସ୍ତରରେ ନିଜର ଚାଷ ଜମିରେ ସୋଲାର ଫେନ୍ସିଂ କରିବାକୁ ଇଚ୍ଛା ପ୍ରକାଶ କଲେ ୫୦ ପ୍ରତିଶତ ସବସିଡି ମିଳିବ । ବନ ବିଭାଗର ଏହି ବ୍ୟବସ୍ଥାକୁ ସାଧାରଣ ଲୋକେ ସ୍ୱାଗତ କରିଥିବାବେଳେ ଏହା କେତେଦୂର ଉପଯୋଗୀ ହେବ ସେନେଇ ସନ୍ଦେହ ପ୍ରକଟ କରିଛନ୍ତି ।

Leave a Reply