ଧାରାଶ୍ରାବଣରେ ବର୍ଷାର ଅଭାବ, ସ୍ୱାଭାବିକ ବର୍ଷାଠାରୁ ୨୯ ପ୍ରତିଶତ କମ୍

ଭୁବନେଶ୍ୱର: ଧାରାଶ୍ରାବଣରେ ବର୍ଷାର ଅଭାବ । ଅଗଷ୍ଟ ମାସରେ ଦୁଇ ଦୁଇଟି ଲଘୁଚାପ ହୋଇଥିଲେ ମଧ୍ୟ ଆବଶ୍ୟକ ପରିମାଣର ବର୍ଷା ହୋଇନାହିଁ । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ମଧ୍ୟ ଆଶାନୁରୂପକ ବର୍ଷା ହେବାର ସମ୍ଭାବନା ନାହିଁ । ତେବେ ଦକ୍ଷିଣ ପଶ୍ଚିମ ମୌସୁମୀ ଟ୍ରାପ୍ ଲାଇନ୍ ସକ୍ରିୟ ରହିଥିବା ବେଳେ ବଙ୍ଗୋପ ସାଗରରେ ଏକ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି । ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ ।

ଆସନ୍ତାକାଲି ଉପକୂଳ ଓଡ଼ିଶାର କିଛି ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ରାଜ୍ୟରେ ଜୁନ୍ ୧ ତାରିଖରୁ ଅଗଷ୍ଟ ୨୦ ତାରିଖ ପର୍ଯ୍ୟନ୍ତ ୮୧୧.୫ ମିଲିମିଟର ବର୍ଷା ହେବାକଥା । କିନ୍ତୁ ଏହି ସମୟ ମଧ୍ୟରେ ୫୭୪.୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ବାଭାବିକ ବର୍ଷାଠାରୁ ୨୯ ପ୍ରତିଶତ କମ୍ । ବର୍ତ୍ତମାନ ସୁଦ୍ଧା ରାଜ୍ୟର ୨୬ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ବେଳେ ୪ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ରେକର୍ଡ କରାଯାଇଛି ।

ସେହିପରି ଯାଜପୁରରେ ସର୍ବନିମ୍ନ ୫୪ ପ୍ରତିଶତ କମ୍ ବର୍ଷା ରେକର୍ଡ ହୋଇଥିବା ବେଳେ ଭଦ୍ରକରେ ୫୨ ପ୍ରତିଶତ, କେନ୍ଦୁଝର ଏବଂ ବଲାଙ୍ଗିରରେ ୪୨ ପ୍ରତିଶତ କମ୍ ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

Leave a Reply