କରୋନା ସମୟରେ ବଢ଼ିଛି କୃଷି ଉତ୍ପାଦନ, ଲେମ୍ବୁ ଓ ଛତୁ ଉତ୍ପାଦନରେ ଆଗରେ ଓଡ଼ିଶା

ଭୁବନେଶ୍ୱର: ଛତୁ ଓ ଲେମ୍ବୁ ଉତ୍ପାଦନରେ ଓଡ଼ିଶା ୧ ନମ୍ବର ରାଜ୍ୟ ହୋଇଛି । ସେହିପରି ବାଇଗଣ ଉତ୍ପାଦନରେ ଓଡ଼ିଶାରେ ଦୁଇ ନମ୍ବରରେ ରହିଛି । ସେହିପରି ଚାଉଳ ଉତ୍ପାଦନରେ ବଳକା ରାଜ୍ୟ ଓଡ଼ିଶା ଚର୍ତୁଥ ସ୍ଥାନରେ ରହିଛି । ବିଦେଶକୁ ୭୦୦ ମେଟ୍ରିକ ଟନ୍ ଚାଉଳ ପଠା ଯାଉଥିବା ବେଳେ ଆଗକୁ ୧ ହଜାର ମେଟ୍ରିକ ଟନ୍ ଚାଉଳ ପଠାଇବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । ବିଧାନସଭାର ପ୍ରଶ୍ନକାଳରେ କୃଷି ମନ୍ତ୍ରୀ ଅରୁଣ ସାହୁ ଏହି ଉତ୍ତର ରଖିଛନ୍ତି ।

ରାଜ୍ୟରେ ମୋଟ ୧୧୩ଟି ଶୀତଳ ଭଣ୍ଡାର ଥିବାବେଳେ ସେଥି ମଧ୍ୟରୁ ୭୯ଟି ଅଚଳ ହୋଇପଡ଼ିଛି । ସଚଳ ଥିବା ଶୀତଳ ଭଣ୍ଡାର ମଧ୍ୟରୁ କୃଷି ବିଭାଗର ୪ଟି ଶୀତଳ ଭଣ୍ଡାର ରହିଛି । ଯାହାର କ୍ଷମତା ୪ ହଜାର ମେଟ୍ରିକ ଟନ୍ । ସମବାୟ ବିଭାଗ ଅଧୀନରେ ୧୮ଟି ଶୀତଳ ଭଣ୍ଡାର ରହିଛି । ଏଥିରୁ କେତେ ଅଚଳ ଓ କେତେ ସଚଳ ତାହାର ତଥ୍ୟ ମୋ ପାଖରେ ନାହିଁ ବୋଲି କହିଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ । ଏହା ସହ ଆହୁରି କହିଛନ୍ତି ଯେ ଯେହେତୁ ଶୀତଳ ଭଣ୍ଡାର ଗୁଡିକୁ ଶିଳ୍ପ ଭାବେ ଗଣା ଯାଉଛି ତାହାର ବିଦ୍ୟୁତ ଦର ୟୁନିଟ ପିଛା ୪ ଟଙ୍କା ୩୦ ପଇସା ରହିଛି । ତେଣୁ ରାଜ୍ୟ ସରକାର ଓଇଆରସିକୁ ପ୍ରସ୍ତାଵ ଦେଇଛନ୍ତି ଶୀତଳ ଭଣ୍ଡାର ଗୁଡିକୁ କୃଷି ଭିତ୍ତିକ ଶିଳ୍ପରେ ପରିଣତ କରିବା ପାଇଁ । ଏହା ଦ୍ୱାରା ବିଦ୍ୟୁତ ଜନିତ ଖର୍ଚ୍ଚ କମିବ । ବର୍ତ୍ତମାନ ରାଜ୍ୟ ସରକାର ପ୍ରତି ବର୍ଷ ଶୀତଳ ଭଣ୍ଡାରରେ ଖର୍ଚ୍ଚ ହେଉଥିବା ବିଦ୍ୟୁତ ଦେୟ ଉପରେ ୫୦ ପ୍ରତିଶତ ରିହାତି ଦେଉଛନ୍ତି ।