ଶପଥ ଗ୍ରହଣ କଲେ ଓଡ଼ିଶାର ନୂଆ ରାଜ୍ୟପାଳ ରଘୁବର ଦାସ

1 min read

ଭୁବନେଶ୍ବର: ଶପଥ ଗ୍ରହଣ କଲେ ଓଡ଼ିଶାର ନୂଆ ରାଜ୍ୟପାଳ । ରାଜଭବନରେ ଏକ ବର୍ଣ୍ଣାଢ଼୍ୟ ପରିବେଶରେ ଶପଥ ଗ୍ରହଣ କଲେ ନୂଆ ରାଜ୍ୟପାଳ ରଘୁବର ଦାସ । ଓଡ଼ିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଶପଥ ଗ୍ରହଣ କରାଇଛନ୍ତି । ଏହି ଶପଥ ଗ୍ରହଣରେ ମୁଖ୍ୟମନ୍ତ୍ରୀଙ୍କ ସମେତ ବରିଷ୍ଠ ବ୍ୟକ୍ତିମାନେ ଉପସ୍ଥିତ ରହିଥିଲେ । ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ନେଲେ ରଘୁବର ଦାସ । ଓଡ଼ିଶାର ୨୬ତମ ରାଜ୍ୟପାଳ ଭାବେ ଦାୟିତ୍ବ ନେଇଛନ୍ତି ରଘୁବର ଦାସ । ନୂଆ ରାଜ୍ୟପାଳଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ । ରାଜଭବନ ପରିସରରେ ରାଜ୍ୟପାଳଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା । ଶପଥ ଗ୍ରହଣ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ଥିଲେ ।

ଶପଥ ଗ୍ରହଣ ପୂର୍ବରୁ ଆଜି ସକାଳେ ଲିଙ୍ଗରାଜଙ୍କୁ ଦର୍ଶନ କରିଥିଲେ ରଘୁବର ଦାସ । ଗତକାଲି ସକାଳେ ରଘୁବର ପ୍ରଥମେ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ଗତକାଲି ରଘୁବର ଦାସ ଭୁବନେଶ୍ବର ରାଜଭବନରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବାଚସ୍ପତି ପ୍ରମିଳା ମଲ୍ଲିକ ତାଙ୍କୁ ସ୍ବାଗତ କରିଥିଲେ । ରଘୁବର ଦାସ ଥିଲେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ । ସେ ପାଞ୍ଚ ଥର ଝାଡ଼ଖଣ୍ଡ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଝାଡ଼ଖଣ୍ଡର ଉପମୁଖ୍ୟମନ୍ତ୍ରୀ ଓ ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀ ଭାବରେ ଅବସ୍ଥାପିତ ହୋଇଥିଲେ । ୧୯୫୫ ମେ ୩ ତାରିଖରେ ଜନ୍ମ ଗ୍ରହଣ କରିଥିବା ରଘୁବର ଭାଲୁବସା ହରିଜନ ହାଇସ୍କୁଲର ମାଟ୍ରିକ ଓ ଜାମସେଦପୁର କୋ-ଅପରେଟିଭ୍ କଲେଜରୁ ସ୍ନାତକ ଶିକ୍ଷା ଶେଷ କରିଥିଲେ । ପରବର୍ତ୍ତୀ ସମୟରେ ସେ ଆଇନରେ ସ୍ନାତକ ଡ଼ିଗ୍ରୀ ହାସଲ କରି ଟାଟା କମ୍ପାନୀରେ ଯୋଗ ଦେଇଥିଲେ ।

୧୯୭୭ରେ ଜନତା ପାର୍ଟିରେ ଯୋଗ ଦେଇଥିଲେ ଓ ପରେ ୧୯୮୦ରେ ବିଜେପିର ପ୍ରତିଷ୍ଠାତା ସଦସ୍ୟ ରହିଥିଲେ । ଜାମସେଦପୁର ପୂର୍ବ ବିଧାନସଭା ଆସନରୁ ବିଧାନସଭାକୁ ୧୯୯୫ରେ ନିର୍ବାଚିତ ହୋଇଥିଲେ । ୨୦୦୪ରେ ଝାଡ଼ଖଣ୍ଡ ରାଜ୍ୟ ବିଜେପିର ସଭାପତି ରୂପେ ଅବସ୍ଥାପିତ ହୋଇଥିଲେ । ୨୦୦୫ରେ ଅର୍ଜୁନ ମୁଣ୍ଡାଙ୍କ ନେତୃତ୍ୱାଧୀନ ଝାଡ଼ଖଣ୍ଡ ବିଜେପି ସରକାରରେ ସେ ସହରାଞ୍ଚଳ ବିକାଶ ମନ୍ତ୍ରୀ ରୂପେ ନିଯୁକ୍ତି ପାଇଥିଲେ । ୨୦୦୯ରେ ସେ ଶିବୁ ସୋରେନଙ୍କ ସରକାରରେ ଉପମୁଖ୍ୟମନ୍ତ୍ରୀ ପଦରେ ଅବସ୍ଥାପିତ ହୋଇଥିଲେ । ୨୦୧୪ରେ ସେ ବିଜେପି ଜାତୀୟ କମିଟିରେ ସ୍ଥାନ ପାଇଥିଲେ ଓ ତାଙ୍କୁ ଦଳର ରାଷ୍ଟ୍ରୀୟ ଉପସଭାପତି ପଦ ମିଳିଥିଲା । ମାତ୍ର ରାଜ୍ୟରେ ସେହିବର୍ଷ ବିଜେପି ସଂଖ୍ୟା ଗରିଷ୍ଠତା ହାସଲ କରିବା ପରେ ଝାଡ଼ଖଣ୍ଡର ପ୍ରଥମ ଅଣ ଆଦିବାସୀ ମୁଖ୍ୟମନ୍ତ୍ରୀ ଭାବରେ ରଘୁବର ଦାସ ଅଧିଷ୍ଠିତ ହୋଇଥିଲେ । ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଥିଲେ ରଘୁବର ଦାସ । ଆଜି ସେ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି ।