ତିନି ଦିବ୍ୟାଙ୍ଗଙ୍କୁ କୃତ୍ରିମ ଅଙ୍ଗ ଯୋଗାଇ ଦେଲା ଓଡ଼ିଶା ମୋ ପରିବାର

ଭୁବନେଶ୍ବର: ତିନି ଜଣ ଦିବ୍ୟାଙ୍ଗଙ୍କୁ କୃତ୍ରିମ ଅଙ୍ଗ ଯୋଗାଇ ଦେଲା ଓଡ଼ିଶା ମୋ ପରିବାର । ଭୁବନେଶ୍ବର ନୟାପଲ୍ଲୀ ଅଞ୍ଚଳର ୧୩ ବର୍ଷିୟା ଝିଅ କିରଣ ବେହେରାଙ୍କୁ କୃତ୍ରିମ ହାତ ପ୍ରଦାନ କରାଯାଇଥିବା ବେଳେ କଟକ ଜିଲ୍ଲା ଟାଙ୍ଗୀ ଅଞ୍ଚଳର ଭରତ ଚନ୍ଦ୍ର ବାଇ ଏବଂ କୋରାପୁଟର ଜୟପୁରର ପ୍ରଫୁଲ୍ଲ ଚନ୍ଦ୍ର ପାଣିଗ୍ରାହୀଙ୍କୁ କୃତ୍ରିମ ଗୋଡ ଯୋଗାଇ ଦିଆଯାଇଛି ।

କିରଣ ଜଣେ ମେଧାବୀ ଛାତ୍ରୀ ହୋଇଥିବା ବେଳେ ଜନ୍ମରୁ ତାଙ୍କର ବାମ ହାତ ନଥିଲା । ତଥାପି ସେ ଗୋଟିଏ ହାତରେ ଭଲ ପାଠ ପଢିବା ସହ ଟାଇକୋଣ୍ଡ ଏବଂ ଭଲ ଡ୍ୟାନ୍ସ କରନ୍ତି । ଓଡ଼ିଶା ମୋ ପରିବାର ପକ୍ଷରୁ ସଚେତନତା ଶିବିରରେ କିରଣ କୃତ୍ରିମ ହାତ ଲଗାଇବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ ।

ଟାଙ୍ଗୀର ଭରତ ଚନ୍ଦ୍ର ବାଇଙ୍କ ଡାହାଣ ଗୋଡରେ ଫାଇଲେରିଆ ହୋଇଥିଲା । ପରେ ସଂକ୍ରମଣ ହେବାରୁ ଗୋଡଟି କାଟିବାକୁ ପଡିଥିଲା । ଗୋଟିଏ ଗୋଡରେ ଚାଲିବା କଷ୍ଟ ହେବାରୁ ଭରତ ସ୍ଥାନୀୟ ବିଧାୟକ ପ୍ରଶାନ୍ତ ବେହେରାଙ୍କ ମାଧ୍ୟମରେ ଓଡ଼ିଶା ମୋ ପରିବାର ସହ ଯୋଗାଯୋଗ କରିଥିଲେ ।

କୋରାପୁଟର ପ୍ରଫୁଲ୍ଲ ଚନ୍ଦ୍ର ପାଣିଗ୍ରାହୀଙ୍କ ବାମ ଗୋଡରେ ବାରମ୍ବାର ଟ୍ୟୁମର ହେବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ ଗୋଡଟି କଟା ଯାଇଥିଲା । ଗୋଟିଏ ଗୋଡରେ ବଡ କଷ୍ଟରେ ଜୀବ ବିତାଉଥିଲେ ପ୍ରଫୁଲ୍ଲ । ପରେ ସେ ମଧ୍ୟ ଓଡ଼ିଶା ମୋ ପରିବାରକୁ ଯୋଗାଯୋଗ କରିଥିଲେ । ଓଡ଼ିଶା ମୋ ପରିବାରର କନଭେନର ରୁଦ୍ର ସାମନ୍ତରାୟ କ୍ୟାପିଟାଲ ହସ୍ପିଟାଲର ଏଆରସି ସହ ସମନ୍ବୟ ରକ୍ଷା କରି ଆଜି ତିନିଜଣଙ୍କୁ କୃତ୍ରିମ ଅଙ୍ଗ ପ୍ରଦାନ କରିଛନ୍ତି ।