ମରଣ ମୁହଁରୁ ଫେରିଲେ ଜିତେନ୍ଦ୍ର, ଏମ୍ସରେ ହେବ ଚିକିତ୍ସା

ଭୁବନେଶ୍ବର: ସାହା ହେଲା ଓଡ଼ିଶା ମୋ ପରିବାର । ସଠିକ ଚିକତ୍ସା ପାଇଁ ମରଣ ମୁହଁରୁ ଉଦ୍ଧାର ହେଲେ ଯୁବକ । ଭେଲୋରରୁ ଭୁବନେଶ୍ବର ଅଣାଯିବା ପରେ ଏମ୍ସରେ ହେଲେ ଭର୍ତ୍ତି ।

ସୂଚନାଯୋଗ୍ୟ, ଭୁବନେଶ୍ବର ନୟାପଲ୍ଲୀ ଅଞ୍ଚଳର ଜିତେନ୍ଦ୍ର ପ୍ରଧାନ ସପ୍ତାହେ ପୂର୍ବରୁ ରେଳ ଦୁର୍ଘଟଣାର ସମ୍ମୁଖୀନ ହୋଇ ଭେଲ୍ଲୋର ସ୍ଥିତ ଏକ ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତାଙ୍କ ଦୁଇ ଗୋଡ଼ ଭାଙ୍ଗିଯାଇଥିଲା । ବଡ଼ ଭାଇ ହସ୍ପିଟାଲରେ ପହଞ୍ଚି ତାଙ୍କୁ ଦେଖିବା ପରେ ସେଠାରେ ଭଲ ଚିକିତ୍ସା ହେଉନଥିବାର ଅନୁଭବ କରିଥିଲେ । ପରେ ଜିତେନ୍ଦ୍ରଙ୍କୁ ଭୁବନେଶ୍ବର ନେଇ ଏମ୍ସ ହସ୍ପିଟାଲରେ ଚିକିତ୍ସା କରାଇବା ପାଇଁ ମନସ୍ଥ କରିଥିଲେ । ହେଲେ ଆର୍ଥ ଅଭାବ ଯୋଗୁଁ ଚିନ୍ତାରେ ପଡିଥିଲେ । ଏନେଇ ଓଡ଼ିଶା ମୋ ପରିବାର ସଦସ୍ୟ ଭାରତୀ ସିଂହଙ୍କୁ ସହାୟତା ପାଇଁ ସେ ଅନୁରୋଧ କରିଥିଲେ । ଏ ସମ୍ପର୍କରେ ଭୁବନେଶ୍ବର ଉତ୍ତର ବିଧାୟକ ତଥା ଓଡ଼ିଶା ମୋ ପରିବାର ସଦସ୍ୟ ସୁଶାନ୍ତ ରାଉତଙ୍କୁ ଜଣାଇଥିଲେ ଭାରତୀ । ଭାରତୀ ଓ ସୁଶାନ୍ତ ଓଡ଼ିଶା ମୋ ପରିବାର ଆବାହକଙ୍କ ସହ ଘଟଣା ବିଷୟରେ ଆଲୋଚନା କରିଥିଲେ । ପରେ ଓଡ଼ିଶା ମୋ ପରିବାର ଆବାହକଙ୍କ ତତ୍ତ୍ବାବଧାନେ ଜିତେନ୍ଦ୍ରଙ୍କୁ ଭେଲୋରରୁ ଭୁବନେଶ୍ବର ଅଣାଯାଇଥିଲା ।

ଭାରତୀ ସିଂହଙ୍କ ସମେତ ଓଡ଼ିଶା ମୋ ପରିବାର ଟିମ୍ ଭୁବନେଶ୍ବର ରେଳ ଷ୍ଟେସନରେ ଉପସ୍ଥିତ ରହି ତାଙ୍କୁ ଆମ୍ବୁଲାନ୍ସରେ ଏମ୍ସ ହସ୍ପିଟାଲ ପଠାଇବାକୁ ବ୍ୟବସ୍ଥା କରିଥିଲେ । ଏଭଳି ସଙ୍କଟମୟ ପରିସ୍ଥିତିରେ ଜିତେନ୍ଦ୍ରଙ୍କ ପରିବାର ବର୍ଗଙ୍କୁ ସହାୟତା ଯୋଗାଇ ଦେଇଥିବାରୁ ସେମାନେ ମୁଖ୍ୟମନ୍ତ୍ରୀ ଓ ଓଡ଼ିଶା ମୋ ପରିବାରକୁ ଧନ୍ୟବାଦ୍ ଜଣାଇଛନ୍ତି ।