ଜାନୁଆରୀ ୩ରେ ନାଗାଲାଣ୍ଡକୁ ଭେଟିବ ଟିମ୍ ଓଡ଼ିଶା, କାର୍ତ୍ତିକଙ୍କ ଉପରେ ରହିବ ସମସ୍ତଙ୍କ ନଜର

କଟକ: ଜାନୁଆରୀ ୩ଠାରୁ ୬ ତାରିଖ ପର୍ଯ୍ୟନ୍ତ କଟକ ଟାଙ୍ଗୀ ଡ୍ରିମସ୍ ଗ୍ରାଉଣ୍ଡରେ ଓଡ଼ିଶା ଓ ନାଗାଲାଣ୍ଡ ମଧ୍ୟରେ ଖେଳାଯିବ ରଣଜୀ ମ୍ୟାଚ । ଚଳିତ ରଣଜୀ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ନାଗାଲାଣ୍ଡ ବିପକ୍ଷରେ ତା’ର ଚତୁର୍ଥ ମ୍ୟାଚ ଖେଳିବ । ଚଳିତ ରଣଜୀ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ଏ ପର୍ଯ୍ୟନ୍ତ ତିନୋଟି ମ୍ୟାଚ ଖେଳି ଦୁଇଟି ମ୍ୟାଚରେ ଡ୍ର’ ଓ ଗୋଟିଏ ପରାଜୟ ସହ ୩ ପଏଣ୍ଟ ପାଇଛି । ନାଗାଲାଣ୍ଡ ଟିମ୍ ଅପେକ୍ଷାକୃତ ଦୁର୍ବଳ ଥିବାରୁ ଏହି ମ୍ୟାଚରୁ ପୂରା ପଏଣ୍ଟ ପାଇବାକୁ ଲକ୍ଷ୍ୟ ରଖିଛି ଟିମ୍ ଓଡ଼ିଶା ।

ଓଡ଼ିଶା ଘରୋଇ ପରିବେଶରେ ଗତ ମ୍ୟାଚ ହରିୟାଣା ବିପକ୍ଷରେ ଭଲ ପ୍ରଦର୍ଶନ କରିଥିଲା । ତେଣୁ ନାଗାଲାଣ୍ଡ ବିପକ୍ଷ ମ୍ୟାଚରେ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି । ବିଶେଷ କରି ଯୁବ ଖେଳାଳି କାର୍ତ୍ତିକ ବିଶ୍ୱାଳଙ୍କ ଉପରେ ସମସ୍ତଙ୍କ ନଜର ରହିବ । କାହିଁକି ନା ଚଳିତ ବର୍ଷ କାର୍ତ୍ତିକ ଦମଦାର ଫର୍ମରେ ରହିଛନ୍ତି । ବିଜୟ ହଜାରେ ଟ୍ରଫିରେ ପଞ୍ଜାବ ବିପକ୍ଷରେ ଦମଦାର ଶତକ ପରେ ସେହି ଫର୍ମ ରଣଜୀରେ ମଧ୍ୟ ଜାରି ରଖିଛନ୍ତି କାର୍ତ୍ତିକ ।

ହରିଆଣା ବିପକ୍ଷ ମ୍ୟାଚରେ ମଧ୍ୟ ଦମଦାର ଶତକ ହାସଲ କରି ଓଡ଼ିଶାକୁ ଭଲ ସ୍ଥିତିକୁ ଆଣିଥିଲେ କାର୍ତ୍ତିକ । ତେଣୁ ନାଗାଲାଣ୍ଡ ବିପକ୍ଷ ମ୍ୟାଚରେ କାର୍ତ୍ତିକ ବିଶ୍ୱାଳଙ୍କ ଉପରେ ସମସ୍ତଙ୍କ ନଜର ରହିବ । ସେହିପରି ଶୁଭ୍ରାଂଶୁ ସେନାପତି, ଅନୁରାଗ ଷଡ଼ଙ୍ଗୀ ଓ ସାନ୍ତୁନୁ ମିଶ୍ର ଭଲ ଫର୍ମରେ ଥିବାରୁ ଓଡ଼ିଶାର ପ୍ରଦର୍ଶନ ନେଇ ସମସ୍ତେ ଆଶାବାଦୀ ରହିଛନ୍ତି ।