ଦେଶର ସବୁଠୁ ଉତ୍ତପ୍ତ ସ୍ଥାନ ପାଲଟିଛି ଓଡ଼ିଶା, ଆଗକୁ ୩ରୁ ୪ଡିଗ୍ରୀ ବଢିପାରେ ପାରଦ

1 min read

ଭୁବନେଶ୍ୱର: ଜଳୁଛି ପଶ୍ଚିମ ଓଡ଼ିଶା । ଲଗାତାର ଦୁଇ ଦିନ ଓଡ଼ିଶାର ସହର ପାଲଟୁଛି ଦେଶର ସବୁଠୁ ଉତ୍ତପ୍ତ ସ୍ଥାନ । ଆଗକୁ ମଧ୍ୟ ଏପରି ସ୍ଥିତି ଜାରି ରହିବ ବୋଲି ସତର୍କ କରାଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ରାଜ୍ୟରେ ସ୍ୱାଭାବିକ ତାପମାତ୍ରାଠାରୁ ୩ରୁ ୪ ଡିଗ୍ରୀ ସେଲସିୟସ ବଢିପାରେ ପାରଦ । ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ ତାପମାତ୍ରା ବଢିବ । ଗତକାଲି ୪୪.୨ ଡିଗ୍ରୀ ସହିତ ସୋନପୁର ପାଲଟିଥିଲା ଦେଶର ସବୁଠାରୁ ତତଲା ସହର ।

ସେପଟେ ଉପକୂଳ ଜିଲ୍ଲାରେ ପଡ଼ିବ କାଳବୈଶାଖୀ ପ୍ରଭାବ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ବିଜୁଳି ସହିତ ବର୍ଷା ପାଇଁ ୧୭ଟି ଜିଲ୍ଲାକୁ ସତର୍କ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବିଶେଷ କରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ନୟାଗଡ଼, ପୁରୀ, ଖୋର୍ଦ୍ଧା ଆଦି ଜିଲ୍ଲାରେ କାଳବୈଶାଖୀର ପ୍ରଭାବ ପଡ଼ିବ । ଏଥିପାଇଁ ସତର୍କ ରହିବାକୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନ ।