ପୁଞ୍ଜି ନିବେଶର ପେଣ୍ଠସ୍ଥଳ ପାଲଟିଛି ଓଡ଼ିଶା

1 min read

ଭୁବନେଶ୍ବର: ପୁଞ୍ଜିନିବେଶର ଫେଭରେଟ ଡେଷ୍ଟିନେସନ ପାଲଟିଥିବା ଓଡ଼ିଶା ଶିଳ୍ପ ଜଗତରେ ଉଦାହରଣ ସୃଷ୍ଟି କରୁଛି । କେବଳ ପୁଞ୍ଜିନିବେଶର ପ୍ରତିଶ୍ରୁତି ମିଳୁନାହିଁ, ବରଂ ସ୍ଥାୟୀ ସରକାର, ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି, ପ୍ରଶାସନିକ ତତ୍ପରତା, ସମୟ ଉପଯୋଗୀ ନୀତି ଯୋଗୁଁ ଏଥିରେ ବିବିଧତା ଆସିବା ସହ ଗ୍ରାଉଣ୍ଡ ଜିରୋରେ ମିଳୁଛି ସଫଳତା । ଜାତୀୟ ହାରଠାରୁ ଅଧିକ ପୁଞ୍ଜି ପାଇଥିବା ଓଡ଼ିଶା, ଦେଶର ବଡ଼ ବଡ଼ ରାଜ୍ୟକୁ ବି ପଛରେ ପକାଇ ନିର୍ମାଣ କ୍ଷେତ୍ରରେ ଶିଳ୍ପ ସ୍ଥାପନ କରିବାରେ ଏକ ନମ୍ବର ହୋଇଛି । ଦିନେ କେବଳ ଧାତବ ଶିଳ୍ପ ପାଇଁ ପରିଚିତ ଓଡ଼ିଶା ଏବେ ପର୍ଯ୍ୟଟନ, ଖାଦ୍ୟ ପ୍ରକ୍ରିୟାକରଣ, କେମିକାଲ, ଇଲେକ୍ଟୋନିକ୍ସ, ବୟନ ଶିଳ୍ପ କ୍ଷେତ୍ରରେ ବି ଆଗୁଆ ରାଜ୍ୟ ଭାବେ ଉଭା ହେଉଛି । ୨୦୨୫ ସୁଦ୍ଧା ଅଢେଇ ଲକ୍ଷ କୋଟିର ପୁଞ୍ଜିନିବେଶ ସାଙ୍ଗକୁ ୩୦ ଲକ୍ଷର ନିଯୁକ୍ତି ସୃଷ୍ଟି କରିବା ଦିଗରେ ଆଗେଇ ଚାଲିଛି ଓଡ଼ିଶା ।

ପୁଞ୍ଜି ନିବେଶର ପେଣ୍ଠସ୍ଥଳ ପାଲଟିଛି ଓଡ଼ିଶା । ୧୩ ଲକ୍ଷ ୨୩ ହଜାର ୬୮୯ କୋଟିର ପୁଞ୍ଜିନିବେଶ ପ୍ରସ୍ତାବ । ୮ ଲକ୍ଷ ୫୧ ହଜାର ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ । ୨୦୨୫ ସୁଦ୍ଧା ଅଢେଇ ଲକ୍ଷ କୋଟି ପୁଞ୍ଜି ହେବ ଗ୍ରାଉଣ୍ଡିଙ୍ଗ । ସୃଷ୍ଟି ହେଉଛି ୩୦ ଲକ୍ଷ ପ୍ରତ୍ୟକ୍ଷ ପରୋକ୍ଷ ନିଯୁକ୍ତି । ଦିନେ କେବଳ ମେଟାଲ ସେକ୍ଟରକୁ ଗୁରୁତ୍ବ ମିଳୁଥିବା ବେଳେ, ଏବେ ରାଜ୍ୟ ସରକାରଙ୍କ ଫୋକସରେ ରହିଛି ୬ଟି ସେକ୍ଟର । ପର୍ଯ୍ୟଟନ ଓ ସେବା, ଖାଦ୍ୟ ପ୍ରକ୍ରିୟାକରଣ, କେମିକାଲ ଓ ପେଟ୍ରୋ-କେମିକାଲ, ଇଲେକ୍ଟ୍ରୋନିକ୍ସ ଓ ନିର୍ମାଣ, ମେଟାଲ ଆନ୍ସିଲାରୀ, ଟେକ୍ସଟାଇଲ ଓ ଆପାରେଲ କ୍ଷେତ୍ର ଉପରେ ରହିଛି ସରକାରଙ୍କ ନଜର । ୮ରୁ ୧୦ଟି ଶିଳ୍ପାଞ୍ଚଳରେ ସୀମିତ ଥିବା ଓଡ଼ିଶାରେ ଏବେ ୧୦୬ଟି ଶିଳ୍ପାଞ୍ଚଳ ପ୍ରସ୍ତୁତ । ପୂର୍ବରୁ ଶିଳ୍ପ ପାଇଁ ଜମି ଖୋଜିବାକୁ ନାକେଦମ ହେବାକୁ ପଡୁଥିଲା । ଆଉ ଏବେ ଲକ୍ଷେ ୨୫ ହଜାର ଏକର ଲ୍ୟାଣ୍ଡ ବ୍ୟାଙ୍କ କରାଯାଇଛି । ଜିଲ୍ଲାପାଳ ସ୍ତରରୁ ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ କମିଟି ଯାଏଁ, ପୁଞ୍ଜିନିବେଶ ଉପରେ ନିଆଯାଉଛି ତୁରନ୍ତ ନିଷ୍ପତ୍ତି । ଯାହାଦ୍ବାରା ପୁଞ୍ଜି ନିବେଶ କ୍ଷେତ୍ରରେ ଓଡ଼ିଶା ଏବେ ଦେଶର ଟପ୍ ପ୍ଲେୟାର ଭାବେ ଉଭା ହୋଇଛି ।

ପୁଞ୍ଜି ନିବେଶରେ ଦେଶଠୁ ଆଗରେ ଓଡ଼ିଶା । ଜାତୀୟ ହାର ୨୨ ପ୍ରତିଶତ ଥିବା ବେଳେ, ଓଡ଼ିଶାରେ ୪୫ରୁ ୪୭ ପ୍ରତିଶତ ରହିଛି । ମେକ୍ ଇନ୍ ଓଡ଼ିଶା ୨୦୧୬ରେ ୮୪ଟି ଶିଳ୍ପ ପାଇଁ ୨ ଲକ୍ଷ ୩୨ ହଜାର ୩୫ କୋଟିର ପୁଞ୍ଜିନିବେଶ ପ୍ରସ୍ତାବ ଆସିଥିଲା । ୨୦୧୮ରେ ୨୦୨ଟି ଶିଳ୍ପ ପାଇଁ ଆସିଥିଲା ପ୍ରସ୍ତାବ । ଯେଉଁଥିରେ ୪ ଲକ୍ଷ ୨୩ ହଜାର ୧୧୫ କୋଟିର ନିବେଶ ପ୍ରତିଶ୍ରୁତି ମିଳିଥିଲା । ହେଲେ ୨୦୨୨ରେ ୭୪୧ଟି ଶିଳ୍ପ ପାଇଁ ୧୦ ଲକ୍ଷ ୪୮ ହଜାର ୮୦୭ କୋଟି ଟଙ୍କାର ନିବେଶ କରିବାକୁ ଆଗେଇ ଆସିଥିଲେ ପୁଞ୍ଜିପତି । ଏସବୁ କାର୍ଯ୍ୟକାରୀ ହେଲେ ୧୦ ଲକ୍ଷ ୩୭ ହଜାର ୮୦୧ ନିଯୁକ୍ତି ସୃଷ୍ଟି ହେବ । ଡାଉନଷ୍ଟ୍ରିମ ଇଣ୍ଡଷ୍ଟ୍ରି ପାଇଁ ମଧ୍ୟ ୩୬ଟି ଶିଳ୍ପ ସଂସ୍ଥା ସହ ଚୁକ୍ତି ହୋଇଛି । ଏମ୍ଏସଏମଇ ସେକ୍ଟରକୁ ଅଧିକ ପ୍ରାଧାନ୍ୟ ଦିଆଯାଉଥିବାରୁ ନିଯୁକ୍ତି ସୁଯୋଗ ମଧ୍ୟ ବଢିବାରେ ଲାଗିଛି । ରାଜ୍ୟରେ ସ୍ଥିର ସରକାର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି, ପ୍ରଶାସନିକ ପ୍ରତିବଦ୍ଧତା ଯୋଗୁଁ ଦେଶ ତଥା ଦେଶ ବାହାରର ପୁଞ୍ଜିପତିଙ୍କୁ ଆକୃଷ୍ଟ କରିବାରେ ସଫଳ ହୋଇଛି ଓଡ଼ିଶା ।