ହାଇକୋର୍ଟରେ ନୂଆ ନିୟମ; ଆଜିଠୁ ଦାଖଲ ମାମଲାର ଯାଞ୍ଚ ପରେ ମିଳିବ ନମ୍ବର

କଟକ : ଆଜିଠୁ ହାଇକୋର୍ଟରେ ନୂଆ ନିୟମ । ଦାଖଲ ମାମଲାର ଯାଞ୍ଚ ପରେ ମିଳିବ ନମ୍ବର । ହାଇକୋର୍ଟରେ ଜାମିନ ଆବେଦନ ବିଭାଗ ହେବ ପେପରଲେସ୍ । ସିଆରପିସିର ଧାରା ୪୩୮ ଓ ୪୩୯ରେ ରୁଜୁ ଜାମିନ ଆବେଦନ ଗୁଡିକର ରେକର୍ଡ ପେପରଲେସ୍ ବ୍ୟବସ୍ଥାରେ ବିଭିନ୍ନ ସଂଯୁକ୍ତ ବିଭାଗ ଯଥା ଷ୍ଟାମ୍ପ ରିପୋର୍ଟିଂ ବିଭାଗ, ଜାମିନ ବିଭାଗ, ଲିଷ୍ଟ ବିଭାଗ ମଧ୍ୟରେ ଆଦାନପ୍ରଦାନ ହେବ ।

ଅଦାଲତରେ ପେପରଲେସ୍ ବ୍ୟବସ୍ଥା କାର୍ଯ୍ୟକାରିତାକୁ ଗୁରୁତ୍ବ ଦିଆଯିବା ପ୍ରକ୍ରିୟାରେ ହାଇକୋର୍ଟଙ୍କ ଏଭଳି ନିର୍ଦ୍ଦେଶନାମା ଜାରି କରାଯାଇଛି। ନୂଆ ମାମଲା ଦାୟର ପ୍ରସଙ୍ଗରେ ମଧ୍ୟ ହାଇକୋର୍ଟ ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶନାମା ଜାରି କରିଥିଲେ । ପୂର୍ବରୁ ହାଇକୋର୍ଟରେ ନୂଆ ମାମଲା ଦାଖଲ ହେବା ପରେ ସିଧାସଳଖ ପଞ୍ଜୀକରଣ କରାଯାଉଥିଲା। ମାମଲାର ନମ୍ବର ବି ମିଳି ଯାଉଥିଲା। ଏବେ ହାଇକୋର୍ଟରେ ଦାଖଲ ନୂଆ ମାମଲାକୁ ପ୍ରଥମେ ଡାଏରି ନମ୍ବର ଦିଆଯିବ। ମାମଲାର ଯାଞ୍ଚ ପରେ ଯଦି ସବୁ ଠିକ ଥିବ ତେବେ ଏହାକୁ ପଞ୍ଜୀକରଣ କରାଯିବ ।

ଆଜିଠୁ ଯେଉଁ ସବୁ ମାମଲା ଦାଖଲ ହେବ, ତାହାକୁ ପ୍ରଥମେ ଡାଏରୀ ନମ୍ବର ଦିଆଯିବ। ତା ପରେ ଷ୍ଟାମ୍ପ ରିପୋର୍ଟରଙ୍କ ଦ୍ବାରା ମାମଲାର ଯାଞ୍ଚ କରାଯିବ। ଯଦି ମାମଲାରେ କିଛି ତ୍ରୁଟି ନଥିବ ତେବେ ଫାଇଲିଂ ସେକ୍ସନ୍ ଏହାକୁ ପଞ୍ଜୀକରଣ କରିବ । ମାମଲାର ପଞ୍ଜୀକରଣ ପରେ ଆବେଦନକାରୀଙ୍କୁ ଏକ ବୈଧ ମାମଲା ନମ୍ବର ପ୍ରଦାନ କରାଯିବ। ଡାଏରି ନମ୍ବର ଠାରୁ ମାମଲା ନମ୍ବର ଭିନ୍ନ ରହିବ । ଯଦି ଦାଖଲ ମାମଲାରେ କିଛି ତ୍ରୁଟି ଥିବ ତେବେ ଏନେଇ ହାଇକୋର୍ଟଙ୍କ ଓ୍ବେବସାଇଟରେ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦିଆଯିବ ।

ଆଇନଜୀବୀ ଓ ପକ୍ଷଙ୍କ ଦ୍ବାରା ଏପରି ମାମଲାର ତ୍ରୁଟି ଦୂର ପାଇଁ ଦାଖଲ ଠାରୁ ଏକ ମାସ ପର୍ଯ୍ୟନ୍ତ ଅପେକ୍ଷା କରାଯିବ। ଯଦି ଏକ ମାସ ଭିତରେ ତ୍ରୁଟି ଦୂର ହୁଏ ତେବେ ଫାଇଲିଂ ସେକ୍ସନ୍ ଦ୍ବାରା ଏହାର ପଞ୍ଜୀକରଣ କରାଯାଇ ନମ୍ବର ପ୍ରଦାନ କରାଯିବ। ଯଦି ଏକ ମାସ ଭିତରେ ତ୍ରୁଟି ଦୂର ନ କରାଯାଏ ତେବେ ମାମଲାକୁ ଖାରଜ କରି ଦିଆଯିବ। ବିଭିନ୍ନ କାର୍ଯ୍ୟର ସମୟ ନିର୍ଘଣ୍ଟ ନେଇ ମଧ୍ୟ ହାଇକୋର୍ଟଙ୍କ ପକ୍ଷରୁ ଆଜି ନିର୍ଦ୍ଦେଶନାମା ଜାରି କରାଯାଇଛି ।