ଗ୍ରୀନ ହାଉସ ପ୍ରଭାବରୁ ଓଡ଼ିଶାକୁ ମିଳିବ ମୁକ୍ତି 

1 min read

ଭୁବନେଶ୍ବର: ଓଡ଼ିଶା ଅକ୍ଷୟ ଶକ୍ତି ନୀତି-୨୦୨୨ କାର୍ଯ୍ୟକାରିତା ନେଇ ପରିଚାଳନାଗତ ମାର୍ଗଦର୍ଶିକାକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି । ଏଣିକି ରାଜ୍ୟରେ ସୌର, ଜଳ ବିଦ୍ୟୁତ ପ୍ରକଳ୍ପ ଅନୁମୋଦନ ପାଇଁ ନୋଡାଲ୍ ଏଜେନ୍ସି ଭାବେ କାର୍ଯ୍ୟ କରିବ ଗ୍ରିଡକୋ । ୫୦ ଓ୍ବାଟ୍ରୁ ୨୦୦ ମେଗାଓ୍ବାଟ୍ ପର୍ଯ୍ୟନ୍ତ ସିଙ୍ଗଲ୍ ଓ୍ବିଣ୍ଡୋ କ୍ଲିୟରାନ୍ସ୍ ଓ ୨୦୦ ମେଗୋଓ୍ବାଟ୍ରୁ ଅଧିକ କ୍ଷମତା ସମ୍ପନ୍ନ ପ୍ରକଳ୍ପକୁ ଉଚ୍ଚକ୍ଷମତା ସମ୍ପନ୍ନ କମିଟି ଅନୁମୋଦନ କରିବେ । ୨୦୩୦ ସୁଦ୍ଧା ରାଜ୍ୟର ୭୦ ପ୍ରତିଶତ ବିଦ୍ୟୁତ ଚାହିଦା ଅକ୍ଷୟ ଶକ୍ତି ଉତ୍ସରୁ ଯୋଗାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି ସରକାର ।

ଗ୍ରୀନ ହାଉସ ପ୍ରଭାବରୁ ଓଡ଼ିଶାକୁ ମିଳିବ ମୁକ୍ତି । ଘରେ ଘରେ ମିଳିବ ଗ୍ରୀନ୍ ଏନର୍ଜି । ତାପଜ ବିଦ୍ୟୁତ ଶକ୍ତି ବଦଳରେ ସୌର, ଜଳ ବିଦ୍ୟୁତ ଶକ୍ତିକୁ ରାଜ୍ୟ ସରକାରଙ୍କ ଗୁରୁତ୍ବ । ୨୦୩୦ ସୁଦ୍ଧା ୭୦ ପ୍ରତିଶତ ବିଦ୍ୟୁତ ଚାହିଦା ମେଣ୍ଟାଇବ ସୌର, ପବନ ଓ ଜଳ ବିଦ୍ୟୁତ ଶକ୍ତି । କାରଣ ଅକ୍ଷୟଶକ୍ତି ପରିଚାଳନା ମାର୍ଗଦର୍ଶିକାକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଶା ଅକ୍ଷୟ ଶକ୍ତି ନୀତି-୨୦୨୨ ଅନୁଯାୟୀ ରାଜ୍ୟରେ ଅକ୍ଷୟ ଶକ୍ତି ଉତ୍ପାଦନ, ପରିବହନ ଓ ବିକ୍ରି ପାଇଁ ନୋଡାଲ ଏଜେନ୍ସି ଭାବେ କାର୍ଯ୍ୟ କରିବ ଗ୍ରିଡକୋ । ଏ ନେଇ ଶକ୍ତି ବିଭାଗ ସବୁ ବିଭାଗକୁ ଚିଠି ଲେଖିଛି ।

ପୂର୍ବରୁ ଅକ୍ଷୟ ଶକ୍ତି ଉତ୍ପାଦନ କେବଳ କ୍ୟାପିଟିଭ ପାଓ୍ବାର୍ ପ୍ଲାଣ୍ଟ୍ କରିଥିଲେ । ୨୦୨୨ ଓଡ଼ିଶା ଅକ୍ଷୟ ଶକ୍ତି ନୀତି ଅନଯାୟୀ ଏଣିକି ଘରୋଇ ଡେଭଲପର୍ ଓ ବଡ଼ କମ୍ପାନୀ ବ୍ୟବସାୟିକ ଭିତ୍ତିରେ ଅକ୍ଷୟ ଶକ୍ତି ଉତ୍ପାଦନ କରି ବ୍ୟବସାୟ କରିପାରିବେ । ଆବେଦନ ପୂର୍ବରୁ ରାଜ୍ୟର ଭିତ୍ତିଭୂମି, ସରକାରୀ ପ୍ରୋତ୍ସାହନ, ଜମି ବ୍ୟାଙ୍କ ସମ୍ପର୍କରେ ଡେଭଲପ୍ର୍ ରାଜ୍ୟସ୍ତରୀୟ ସହାୟତା କେନ୍ଦ୍ର-SLFCରୁ ସମସ୍ତ ତଥ୍ୟ ନେଇପାରିବେ । ୫୦ ମେଗାଓ୍ବାଟରୁ ୨୦୦ ମେଗାଓ୍ବାଟ୍ ପର୍ଯ୍ୟନ୍ତ ପ୍ରକଳ୍ପକୁ ସିଙ୍ଗଲ୍ ଓ୍ବିଣ୍ଡୋ ଅନୁମୋଦନ କରିବ । ୨୦୦ ମେଗାଓ୍ବାଟ୍ରୁ ଅଧିକ ହେଲେ ଉଚ୍ଚକ୍ଷମତା ସମ୍ପନ୍ନ କମିଟି କରିବ ଅନୁମୋଦନ । ପ୍ରଥମେ ଡେଭଲପର୍ ନିଜ ପ୍ରକଳ୍ପ ରିପୋର୍ଟ ସହିତ ୧ ଲକ୍ଷ ୧୮ ହଜାର ଟଙ୍କା ଦେଇ ଗ୍ରିଡକୋକୁ ନିର୍ଦ୍ଧାରିତ ଫର୍ମରେ ଆବେଦନ କରିବେ। ଆବେଦନ ପତ୍ର ଗ୍ରହଣ କରିବା ପରେ ଗ୍ରିଡକୋ ପ୍ରକଳ୍ପ ସ୍ଥାପନା ପାଇଁ ପ୍ରାକ୍ ଫିଜିବିଲିଟି ରିପୋର୍ଟ ଦେବ ।

ପୂର୍ବରୁ ଜଳବିଦ୍ୟୁତକୁ ଅକ୍ଷୟ ଶକ୍ତି ଭିତରେ ନିଆ ଯାଉନଥିଲା । ଓଡ଼ିଶା ସରକାରଙ୍କ ବଳିଷ୍ଠ ଯୁକ୍ତି ଆଧାରରେ କେନ୍ଦ୍ର ସରକାର ଜଳ ବିଦ୍ୟୁତକୁ ଅକ୍ଷୟ ଶକ୍ତିରେ ଅନ୍ତର୍ଭୁକ୍ତ କରିଛନ୍ତି । ୨୦୧୬ରେ ରାଜ୍ୟ ସରକାର ଅକ୍ଷୟ ଶକ୍ତି ନୀତି ଆଣିଥିଲେ । ଯେଉଁଥିରେ ଜେଡକଲ୍ ଏବଂ ଓରେଡା ଭଳି ଏଜେନ୍ସି ଅକ୍ଷୟ ଶକ୍ତି ବିକାଶ ପାଇଁ ନିୟୋଜିତ ହୋଇଥିଲେ । ଏବେ ୨୦୨୨ରେ ରାଜ୍ୟ ସରକାର ଆଣିଥିବା ଅକ୍ଷୟ ଶକ୍ତି ନୀତି ସୌର, ପବନ, ଜଳ ବିଦ୍ୟୁତ ପ୍ରକଳ୍ପ ସ୍ଥାପନରେ ପୁଞ୍ଜି ନିବେଶକୁ ଆକୃଷ୍ଟ କରିପାରିଛି । ଅନ୍ୟ ରାଜ୍ୟ ତୁଳନାରେ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ ଓ ଇଜ୍ ଅଫ୍ ଡୁଇଙ୍ଗ ଭଲ ରହୁଥିବାରୁ ବାହାର ଦେଶରୁ ପୁଞ୍ଜି ନିବେଶକାରୀ ଓଡ଼ିଶାରେ ପୁଞ୍ଜି ଲଗାଣ ନେଇ ଆଗ୍ରହ ପ୍ରକାଶ କରିଛନ୍ତି ।