ପଦାରେ ପଡିଲା ରାଜ୍ୟ ସରକାରଙ୍କ ଡବଲ ଷ୍ଟାଣ୍ଡାର୍ଡ ନୀତି

1 min read

ନନ୍ଦିଘୋଷ ବ୍ୟୁରୋ: ପଦାରେ ପଡିଲା ରାଜ୍ୟ ସରକାରଙ୍କ ଡବଲ ଷ୍ଟାଣ୍ଡାର୍ଡ ନୀତି । ବିଧାନସଭାରେ ଆଜି ସରକାରଙ୍କ ବାଚାଳାମୀକୁ ବିରୋଧୀ ଟାର୍ଗେଟ କରିଛନ୍ତି । ଗୋଟେ ଦିନରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କୃଷି ଓ ଶକ୍ତି ବିଭାଗର ଗୋଟିଏ ପ୍ରଶ୍ନରେ ଦୁଇଟି ଭିନ୍ନ ଭିନ୍ନ ଉତ୍ତର ସରକାରଙ୍କ ସମନ୍ୱୟ ଅଭାବକୁ ସ୍ପଷ୍ଟ କରିଛି । ଭାଗ ଚାଷ ଓ ବିଦ୍ୟୁତ ଶୁଳ୍କକୁ ନେଇ ଦୁଇ ବିଧାୟକଙ୍କୁ ଦୁଇଟି ଅଲଗା ଅଲଗା ଉତ୍ତର ଦେଇଛନ୍ତି କନକ ବର୍ଦ୍ଧନ । ତାଙ୍କର ଏହି ଦ୍ବନ୍ଦ୍ବାତ୍ମକ ଉତ୍ତର ଯୋଗୁଁ ରାଜ୍ୟବାସୀ ବିଭ୍ରାନ୍ତି ହେଉଥିବା ବିରୋଧୀ ଅଭିଯୋଗ କରିଛନ୍ତି । ବିଧାନସଭାରେ ଏପରି ଭୁଲ ତଥ୍ୟ ସ୍ବାଧୀକାର ଭାଙ୍ଗିଛି । ତ୍ରୁଟି ସୁଧାରିବାକୁ ବିରୋଧୀ ଦାବି କରିଥିବାବେଳେ ଉପ ମୁଖ୍ୟମନ୍ତ୍ରୀଙ୍କ ଭୁଲ ଉତ୍ତରକୁ ନେଇ ବି ବିଜେପି ବିଧାୟକଙ୍କ ଓକିଲାତି ଜାରି ରହିଛି ।

ଉପମୁଖ୍ୟମନ୍ତ୍ରୀଙ୍କ ଅଜ୍ଞତା ନା ଜାଣିଶୁଣି ଭ୍ରମିତ କରିବାକୁ ଷଡଯନ୍ତ୍ର ! କୃଷି ଓ ଶକ୍ତି ପରି ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ଥାଇ ବିଧାନସଭାରେ ଅତ୍ଯନ୍ତ ଦାୟିତ୍ବହୀନ ଉତ୍ତର ବାଢିଛନ୍ତି ଅନୁଭବୀ କନକ ବର୍ଦ୍ଧନ ସିଂହଦେଓ । ପୂର୍ବରୁ ବହୁ ଗୁରୁ ଦାୟିତ୍ବ ସମ୍ଭାଳିଥିବା କନକବର୍ଦ୍ଧନ ଚଳିତ ବିଧାନସଭା ଅଧିବେଶନରେ ଏମିତି କଣ ହେଲା ଯେ ତାଙ୍କ ଉତ୍ତର ଗୁଡିକର ତାଳମେଳ ନାହିଁ ? ରାଜ୍ୟରେ ଭାଗଚାଷୀଙ୍କ ପ୍ରକୃତ ସଂଖ୍ୟା କେତେ ? ଏହି ପ୍ରଶ୍ନ ପଚାରିଥିଲେ ବିଜେଡି ବିଧାୟକ ଗଣେଶ୍ବର ବେହେରା ଓ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ପ୍ରଥମେ ବିଜେଡି ବିଧାୟକ ଗଣେଶ୍ୱରଙ୍କ ଲିଖିତ ପ୍ରଶ୍ନରେ ଉତ୍ତର ଦେଇ କେଭି କହିଥିଲେ ୨୦୧୫-୧୬ କୃଷି ଗଣନା ଅନୁଯାୟୀ ରାଜ୍ୟରେ ୨ ଲକ୍ଷ ୮୩ ହଜାର ୭୧ ଜଣ ଭାଗଚାଷୀ ଆକଳନ କରାଯାଇଛି । ସେହିପରି ତାରାଙ୍କ ପ୍ରଶ୍ନ ସେ କହିଥିଲେ, ଏହି ସଂଖ୍ଯା ୯ ଲକ୍ଷ ୫ ହଜାର ୧୮୪ ।

ସେହିପରି ବିଦ୍ୟୁତ ଶୁଳ୍କ ବଢିବ ନା ବଢିବନିକୁ ନେଇ ବି କେଭିଙ୍କ ଉତ୍ତରରେ ତାଳମେଳ ନଥିଲା । ଏହି ସମାନ ପ୍ରଶ୍ନର ଉତ୍ତରରେ କେଭି କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କୁ କହିଥିଲେ  ଓଇଆରସି ନିକଟରେ ତାରିଫ ବୃଦ୍ଧି ନେଇ ଡ଼ିସକମ କମ୍ପାନୀ ଗୁଡିକ କୌଣସି ପ୍ରସ୍ତାବ ଦେଇ ନାହାନ୍ତି । ସେହିପରି ବିଜେଡି ବିଧାୟିକା ସୁବାସିନୀ ଜେନାଙ୍କ ପ୍ରଶ୍ନରେ ଉପମୁଖ୍ୟମନ୍ତ୍ରୀ ଉତ୍ତର ରଖି କହିଥିଲେ ବିଜୁଳି ଶୁଳ୍କ ନିର୍ଣ୍ଣୟ ଓଇଆରସି ନିକଟରେ ବିଚାରାଧୀନ ଅଛି ।  ଏପରି ଉତ୍ତରକୁ ଉପ ମୁଖ୍ୟମନ୍ତ୍ରୀଙ୍କ ବାଚାଳାମି ଭାବେ ବିରୋଧୀ କଟାକ୍ଷ କରିଛନ୍ତି । ବିଧାନସଭାରେ ଏହା ହେବା ଦୁଃଖ ଦାୟକ ବୋଲି ବିଜେଡି କହିଛି । ଉପମୁଖ୍ୟମନ୍ତ୍ରୀ ସଠିକ ଉତ୍ତର ଦେବାକୁ ମନ୍ତ୍ରୀଙ୍କୁ କହିବାକୁ ବିଜେଡି ଦାବି କରିଛି । କାରଣ ଏହା ସ୍ବାଧୀକାର ଭଙ୍ଗ । ଅପରପକ୍ଷରେ କୃଷି ଓ ଶକ୍ତି ବିଭାଗ ସ୍ଥାଣୁ ପାଲଟି ଯାଇଥିବାରୁ ଭ୍ରମାତ୍ମକ ଉତ୍ତର ଦେଉଥିବା କଂଗ୍ରେସ ଅଭିଯୋଗ କରିଛି ।

ଉପମୁଖ୍ୟମନ୍ତ୍ରୀଙ୍କ ଡବଲ ଉତ୍ତର ସରକାରୀ ଦଳକୁ ବ୍ୟାକଫୁଟକୁ ନେଇ ଆସିଛି । ଡ୍ଯାମେଡ କଣ୍ଟ୍ରୋଲ କରିବାକୁ ଯାଇ ବାଧ୍ଯ ହୋଇ ବିଜେପି ସଫେଇ ଦେଇଛି ଯେ, ତଥ୍ୟକୁ ସରକାର ବିଚାର କରୁଛନ୍ତି । ବିଜେପି ଠିକ ଭାବେ ସରକାର ଚଳାଇ ପାରୁ ନଥିବା ଅଭିଯୋଗ ବାରମ୍ବାର ହୋଇ ଆସୁଛି । ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ପରି ଅଭିଜ୍ଞତା ସମ୍ପନ୍ନ ମନ୍ତ୍ରୀ ଯଦି ଭ୍ରମ ସୃଷ୍ଟି କଲା ପରି ଉତ୍ତର ଦେବେ, ତେବେ ପ୍ରଥମ ଥର ବିଧାୟକ କି ମନ୍ତ୍ରୀ ହୋଇଥିବା ବିଜେପି ନେତାଙ୍କ ଜ୍ଞାନ ଗାରିମାକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ କଥା ।