ରାଜ୍ୟରେ ବଢ଼ୁଛି ଟେଷ୍ଟିଂ, କମୁଛି ପଜିଟିଭ୍ ହାର୍

ଭୁବନେଶ୍ୱର: କରୋନା ସଂକ୍ରମଣକୁ ମାତ୍ ଦେଉଛି ଓଡ଼ିଶା । ରାଜ୍ୟରେ ଦୈନିକ କରୋନା ପରୀକ୍ଷଣ ବୃଦ୍ଧି ପାଇବାରେ ଲାଗିଛି । ଏବେ ଦୈନିକ ହାରାହାରି ପ୍ରାୟ ୫୦ ହଜାର ନମୁନା ପରୀକ୍ଷା କରାଯାଉଥିବା ବେଳେ ସଂକ୍ରମଣ ହାର କମୁଥିବା ଜଣାପଡ଼ିଛି । ଜୁସାଇ ୨୧ ସୁଦ୍ଧା ଓଡ଼ିଶା ଦୈନିକ ୧୦ ହଜାର ନମୁନା ପରୀକ୍ଷା କରୁଥିଲା । ସେତେବେଳେ ୧୦୭୮ଟି ପଜିଟିଭ୍ କେସ୍ ଥିବା ବେଳେ ଏହା ୧୦.୭୮ ପ୍ରତିଶତ ଥିଲା ।

ତିନି ସପ୍ତାହ ମଧ୍ୟରେ ରାଜ୍ୟର ଟେଷ୍ଟିଂ ୫ଗୁଣା ବୃଦ୍ଧି ପାଇ ୫୦ ହଜାର ପାଖାପାଖି ପହଞ୍ଚିଛି । ଅଗଷ୍ଟ ୧୪ ତାରିଖରେ ପ୍ରାୟ ୫୦ ହଜାର ନମୁନା ପରୀକ୍ଷା କରାଯାଇଥିବା ବେଳେ ୨୪୯୬ଟି ପଜିଟିଭ୍ କେସ୍ ମିଳିଛି । ପଜିଟିଭ୍ ହାର ୫.୨ ପ୍ରତିଶତକୁ ଖସିଛି । ୧୦ ହଜାର ନମୁନା ପରୀକ୍ଷା ତୁଳନାରେ ପଜିଟିଭ୍ କେସ୍ ସଂଖ୍ୟା ୧୦୭୮ରୁ ୫୦୦ ପର୍ଯ୍ୟନ୍ତ ଖସି ଆସିଛି । କମ୍ ସମୟ ମଧ୍ୟରେ ପଜିଟିଭ୍ ସଂଖ୍ୟା ଖସିବା ଭଲ କଥା ।

ଗତକାଲି ୪୭ ହଜାର ୮୮୭ଟି ସାମ୍ପୁଲ ପରୀକ୍ଷା ହୋଇଛି । ଗତକାଲି ହୋଇଥିବା ଟେଷ୍ଟିଂ ଏଯାବତ୍ ସର୍ବାଧିକ ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି । ୫ ଦିନ ମଧ୍ୟରେ ଟେଷ୍ଟିଂ ୨୦ ହଜାରରୁ ବୃଦ୍ଧି ପାଇ ୫୦ ହଜାର ପାଖାପାଖି ପହଞ୍ଚିଛି । ରାଜ୍ୟରେ ଏବେ ପର୍ଯ୍ୟାପ୍ତ ପରିମାଣରେ ଟେଷ୍ଟିଂ କିଟ୍ ଉପଲବ୍ଧ ଥିବା ସରକାର ସୂଚନା ଦେଇଛନ୍ତି ।

ଟେଷ୍ଟିଂରେ କେନ୍ଦ୍ରାପଡ଼ା ଜିଲ୍ଲା ଅଗ୍ରଣୀ ଭୂମିକା ନିଭାଇଛି । ଜିଲ୍ଲାରେ ଏଯାବତ୍ ୪୦ ହଜାର ୨୬୭ଟି ନମୁନା ପରୀକ୍ଷଣ ସରିଲାଣି । କେନ୍ଦ୍ରାପଡ଼ାରେ ୧୦ ଲକ୍ଷ ଜନସଂଖ୍ୟାରେ ୨୬ ହଜାର ୮୦୦ ଲୋକଙ୍କ ଟେଷ୍ଟିଂ କରାଯାଉଛି । ଯେତେବେଳେ କି ଜାତୀୟ ସ୍ତରରେ ୧୦ ଲକ୍ଷ ଲୋକରେ ୨୦ ହଜାର ୫୧୪ ଜଣଙ୍କ ପରୀକ୍ଷା କରାଯାଉଛି । ରାଜ୍ୟରେ ପଜିଟିଭ୍ ହାର ୧.୯୫ ପ୍ରତିଶତ ଥିବାବେଳେ ଜାତୀୟ ସ୍ତରରେ ପଜିଟିଭ୍ ହାର୍ ୮.୮୯ ପ୍ରତିଶତ ରହିଛି ।

ଅଗଷ୍ଟ ୧୪ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲାରେ ୩୦୯୯ଟି ନମୁନା ପରୀକ୍ଷା ହୋଇଥିବା ବେଳେ ୧୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ପ୍ରତି ୧୦ ଲକ୍ଷ ଲୋକରେ ଦୈନିକ ୧୯୯୭ ଜଣଙ୍କ ଟେଷ୍ଟିଂ କରାଯାଉଛି । ଯେତେବେଳେ କି ଜାତୀୟ ସ୍ତରରେ ପ୍ରତି ୧୦ ଲକ୍ଷରେ ମାତ୍ର ୬୦୨ ଜଣଙ୍କ କରୋନା ପରୀକ୍ଷା ହେଉଛି । ପଜିଟିଭ୍ ହାର ୦.୪୩ ପ୍ରତିଶତରୁ କମ୍ ରହିଛି । ଯାହାକି ସଂକ୍ରମଣ କଣ୍ଟ୍ରୋଲ ଭିତରେ ଥିବା ଦର୍ଶାଉଛି ।

Leave a Reply