ଆଜି ବର୍ଷର ପ୍ରଥମ ସଂକ୍ରାନ୍ତି, ପଣା ଭୋଗର ବାସ୍ନାରେ ମହକୁଛି ଗାଁ ଠୁ ସହର

ଭୁବନେଶ୍ବର: ଓଡ଼ିଆ ସଂସ୍କୃତି ଓ ଭାବନାର ଦିନଟିଏ । ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି । ଓଡ଼ିଆ ପଞ୍ଜିକାର ଗଣନା ଅନୁସାରେ ବର୍ଷର ପ୍ରଥମ ସଂକ୍ରାନ୍ତି । ବସନ୍ତ ଋତୁର ଶେଷ ଓ ଗ୍ରୀଷ୍ମର ଆରମ୍ଭ ଅବସରରେ ଆଜିଠୁ ଆରମ୍ଭ ଓଡିଆ ନବବର୍ଷ । ସ୍ୱତନ୍ତ୍ର ପୂଜା, ଭୋଗ, ହୋମରେ ମହକୁଛି ପରିବେଶ । ପାରମ୍ପରିକ ରୀତିନୀତି ଅନୁସାରେ ଓଡ଼ିଶାରେ ଘରେ ଘରେ ପଣା ଭୋଗର ମହକ ।

ନୂଆବର୍ଷ ପାଳନ ସହ ବେଲ, ଦହି, ଗୁଡ଼, କଦଳୀ ଓ ନଡିଆ ପଣା ସବୁରି ପ୍ରାଣରେ ଖେଳାଇଥାଏ ପୁଲକ । ମହାବିଷୁବ ସଂକ୍ରାନ୍ତିରେ ବିଭିନ୍ନ ମନ୍ଦିରରେ ଛତୁଆ ଓ ପଣା ଭୋଗର ବିଧି ବି ହେଉଛି ପାଳନ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ଦିନଠାରୁ ୧ ମାସ ପର୍ଯ୍ୟନ୍ତ ସୂର୍ଯ୍ୟ ମେଷ ରାଶିରେ ଅବସ୍ଥାନ କରିଥାନ୍ତି। ଦୋଳପୂର୍ଣ୍ଣିମାରେ ଦୋଳଗୋବିନ୍ଦଙ୍କ ନିକଟରେ ସମର୍ପଣ ହୋଇଥିବା ପାଞ୍ଜି ପଣାସଂକ୍ରାନ୍ତିରୁ ବି ହୋଇଥାଏ ପ୍ରଚଳନ । ବିଶ୍ବାସ ରହିଛି ଚଉଁରାରେ ପୂଜା ପାଉଥିବା ତୁଳସୀ ବୃକ୍ଷ ଉପରେ ଛାମୁଡ଼ିଆ କରି ଘଡ଼ିରେ ଜଳ ରଖିଲେ ମିଳିଥାଏ ଅଶେଷ ପୁଣ୍ୟ । ସୂର୍ଯ୍ୟଙ୍କ ପ୍ରବଳ ତାପମାତ୍ରା ଯୋଗୁ ପ୍ରଭୁ ବିଷ୍ଣୁଙ୍କ ପ୍ରିୟ ତୁଳସୀ ମୂଳରେ ପଣା ଅର୍ପଣ କରାଯାଇଥାଏ ।

ସୂର୍ଯ୍ୟ ବିଷୁବ ରେଖା ଉପରେ ଥିବାରୁ ଏହାକୁ ବିଷୁବ ସଂକ୍ରାନ୍ତି ବି କୁହାଯାଏ । ଉଭୟ ଅଗ୍ନି ଓ ବାୟୁଙ୍କ ପ୍ରକୋପରୁ ରକ୍ଷାପାଇବା ପାଇଁ ବି ପାଳନ କରାଯାଏ ହନୁମାନ ଜୟନ୍ତୀ । ସଂକ୍ରାନ୍ତି ପର ଠାରୁ ବୃକ୍ଷଜଗତ ଓ ଜୀବଜଗତକୁ ଜଳ ପ୍ରଦାନ କରାଯାଉଥିବାରୁ ସଂକ୍ରାନ୍ତିର ଅନ୍ୟ ନାମ ବି ରହିଛି ଜଳ ସଂକ୍ରାନ୍ତି । କାଳ କାଳର ପରମ୍ପରା ଅନୁସାରେ ଆଜି ଉଦଯାପିତ ହୋଇଥାଏ ଝାମୁଯାତ୍ରା । ମାସାଧିକ କାଳ ଧରି ଚାଲିଥିବା ଦଣ୍ଡ ଯାତ୍ରାର ଅନ୍ତ ଭାବେ କଠୋର ତାପ ସହ୍ୟ କରିବାର ଶକ୍ତିର ଉଦାହରଣ ଦେଇଥାନ୍ତି ବ୍ରତଧାରୀ ।

ମେରୁ ଯାତ୍ରା ଉତ୍ସବମୁଖର ହୋଇଥାଏ ଦକ୍ଷିଣ ଓଡିଶା ସମେତ ଅନ୍ୟାନ୍ୟ ଜିଲ୍ଲା । କେବଳ ଓଡ଼ିଶାରେ ନୁହେଁ, ବିଦେଶରେ ବି ହିନ୍ଦୁଧର୍ମାବଲମ୍ବୀଙ୍କ ଲାଗି ପବିତ୍ର ଦିନଟିଏ ପଣା ସଂକ୍ରାନ୍ତି । ଆଜିର ଦିନରେ ହନୁମାନ ମନ୍ଦିରରେ ୧୦୮ ହନୁମାନ ଚାଳିଶା ପାଠ କରି ନିଜର ମନସ୍କାମନା ପୂରଣ କରିଥାନ୍ତି ଭକ୍ତ । ଆଜି ବି ଶ୍ରୀମନ୍ଦିରରେ ହେବ ସ୍ବତନ୍ତ୍ର ନୀତିକାନ୍ତି ।