ବିଧାନସଭାରେ ବଜେଟ ଆଗତ, ମୋଟ ବ୍ୟୟ ବରାଦ ୧ ଲକ୍ଷ ୭୦ ହଜାର କୋଟି

1 min read

ଭୁବନେଶ୍ବର: ବିଧାନସଭାରେ ବଜେଟ ଆଗତ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । କେଉଁ କ୍ଷେତ୍ରକୁ କେତେ ଅର୍ଥ ପ୍ରଦାନ କରାଯାଇଛି ? କେଉଁ କ୍ଷେତ୍ରକୁ ପ୍ରାଧାନ୍ୟ ଦିଆଯାଇଛି ? ତାହାର ସବିଶେଷ ବିବରଣୀ ପ୍ରଦାନ କରିଛନ୍ତି ଅର୍ଥମନ୍ତ୍ରୀ । ରାଜ୍ୟରେ ୧୯୯୯-୨୦୦୦ ମସିହାରୁ ୨୦୨୦-୨୧ ଆର୍ଥିକ ବର୍ଷ ମଧ୍ୟରେ ରାଜ୍ୟ ବଜେଟର ଆକାର, ସାମଗ୍ରିକ ରାଜ୍ୟ ଘରୋଇ ଉତ୍ପାଦ ର ୧୬ ପ୍ରତିଶତରୁ ବୃଦ୍ଧି ପାଇ ୨୬ ପ୍ରତିଶତରେ ପହଁଚିଛି । ମହାମାରୀର ପ୍ରଭାବୀ ପ୍ରାଧାନ୍ୟ ସତ୍ତ୍ବେ ୨୦୨୦-୨୧ ଆର୍ଥିକବର୍ଷରେ ରାଜ୍ୟରେ ନିଜସ୍ବ ୧୦ ପ୍ରତିଶତ ହାରରେ ବୃଦ୍ଧି ପାଇବ ବୋଲି ଆକଳନ ହୋଇଥିବା କହିଛନ୍ତି ଅର୍ଥମନ୍ତ୍ରୀ ।

ରାଜ୍ୟ ସରକାର ୨୦୨୧-୨୨ ଆର୍ଥିକ ବର୍ଷ ଲାଗି ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ବ୍ୟୟ ଅଟକଳ କରିଥିବା କହିଛନ୍ତି ଅର୍ଥମନ୍ତ୍ରୀ । ଏଥିମଧ୍ୟରୁ କୃଷି ଏବଂ କୃଷକଙ୍କ ପାଇଁ ସରକାର ଆରମ୍ଭ କରିଥିବା କାଳିଆ ଯୋଜନା ପାଇଁ ୧୮ଶହ କୋଟି ଟଙ୍କା,  ପ୍ରଶାସନିକ ବ୍ୟୟ ନିମନ୍ତେ ୮୫ ହଜାର କୋଟି, କାର୍ଯ୍ୟକ୍ରମ ବ୍ୟୟ ବାବଦକୁ ୭୫ ହଜାର କୋଟି, ବିପର୍ଯ୍ୟୟ ପ୍ରଶମନ ବ୍ୟୟ ଲାଗି ୩ ହଜାର ୫୦ କୋଟି ଟଙ୍କା ଏବଂ ସ୍ଥାନୀୟ ନିକାୟ ସଂସ୍ଥା ଓ ଉନ୍ନୟନ ସଂସ୍ଥାକୁ ହସ୍ତାନ୍ତର ପାଇଁ ୬ ହଜାର ୯ ଶହ ୫୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବା କହିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।

ସେହିପରି ଚଳିତ ବଜେଟରେ ରାଜ୍ୟ ଖଣିଜ ସମ୍ପଦ ଧାରକ ଅଞ୍ଚଳ ଉନ୍ନୟନ ନିଗମ, ଜିଲ୍ଲା ଖଣିଜ ପାଣ୍ଠି ଓ ସରକାରୀ ଉଦ୍ୟୋଦମାନଙ୍କ ଠାରୁ ୮ ହଜାର କୋଟି ଟଙ୍କାର ବଜେଟ ବର୍ହିଭୁତ ସମ୍ବଳ ବ୍ୟୟ କରାଯିବ । ଯାହା ସରକାରୀ ଖର୍ଚ୍ଚ ବୃଦ୍ଧିରେ ସହାୟକ ହେବ । ଅନ୍ୟପଟେ ଆର୍ଥିକ ବର୍ଷ ୨୦୨୧-୨୨ ପାଇଁ ପୁଞ୍ଜି ବ୍ୟୟ ବରାଦ ୨୫ ହଜାର ୭ ଶହ ୮୮ କୋଟି ଟଙ୍କା କରାଯାଇଛି ।

ଓଡ଼ିଶା ସରକାର ରାଜ୍ୟର ସ୍ୱାସ୍ଥ୍ୟ କ୍ଷେତ୍ରକୁ ଅତିରିକ୍ତ ୫ଶହ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଅନ୍ୟପଟେ ରାଜ୍ୟର ପ୍ରମୁଖ ଐତିହ ସ୍ଥଳୀକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନ କେନ୍ଦ୍ର କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଯେଉଁଥିପାଇଁ ଏକାମ୍ର ଯୋଜନା ଆରମ୍ଭ କରାଯାଉଛି । ଯାହା ମଧ୍ୟରେ ରାଜଧାନୀର ଅନେକ ବୃହତ ଯୋଜନା ଅନ୍ତର୍ଭୁକ୍ତ ରହିଛି । ସେହିପରି ପୁରୀର ବିକାଶ ନିମନ୍ତେ ଅବଢା ଯୋଜନା ମାଧ୍ୟମରେ ସରକାର ୫ଶହ ୪୨ କୋଟି ଟଙ୍କା ଏବଂ ଏକାମ୍ର ଯୋଜନା ପାଇଁ ୨ ଶହ କୋଟି ଟଙ୍କା ଆକଳନ କରିଛନ୍ତି । ସମଲେଇ ଯୋଜନା ପାଇଁ ମଧ୍ୟ ୨ ଶହ କୋଟି ଟଙ୍କା ପ୍ରଦାନ କରାଯାଇଥିବା କହିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।

ପଶୁଧନ ବିକାଶ ପାଇଁ ୩୦ କୋଟି, ନିରାମୟ ଯୋଜନା ପାଇଁ ୬ ଶହ କୋଟି, ନିଦାନ ପାଇଁ ୨ ଶହ ୨୯ କୋଟି ଟଙ୍କା ପ୍ରଦାନ କରାଯାଇଥିବାବେଳେ ରାଜ୍ୟ ଚିକିତ୍ସା ପାଣ୍ଠିକୁ ୧ ଶହ ୬୨ କୋଟି ଟଙ୍କା ପ୍ରଦାନ କରାଯାଇଛି । ସେହିପରି ପାଇପଯୋଗେ ପାନୀୟ ଜଳ ୧୨ ହଜାର କୋଟିରୁ ଅଧିକ ଟଙ୍କା ବ୍ୟୟ ବରାଦ କରାଯାଇଛି । ଏଥିସହ ବସୁଧା୍ ଯୋଜନା ଅଧିନରେ ୨ ହଜାର ୪ ଶହ ୧୯ କୋଟି ଏବଂ ଜଳ ଯୋଗାଣ ବ୍ୟବସ୍ଥାର ପରିଚାଳନା ତଥା ରକ୍ଷଣାବେକ୍ଷଣ ନିମ୍ନତେ ୫ ଶହ ୬୦ କୋଟି ଟଙ୍କା ପ୍ରଦାନ କରାଯାଇଥିବା ବିବୃତିରେ କହିଛନ୍ତି ଅର୍ଥମନ୍ତ୍ରୀ ।

ଗଙ୍ଗାଧର ମେହେର ଶିକ୍ଷା ମାନଙ୍କ ବୃଦ୍ଧି ଯୋଜନା ପାଇଁ ୪ ଶହ ୩୦ କୋଟି ଟଙ୍କା, ଅନୁସୁଚିତ ଜନଜାତି ଛାତ୍ରୀ ନିବାସ ଏବଂ ସହରାଞ୍ଚଳ ଛାତ୍ରାବାସ ନିର୍ମାଣ ପାଇଁ ୨ ଶହ ୭୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ସେହିପରି ଛାତ୍ରବୃତ୍ତିକୁ ଡେବିଟି ମାଧ୍ୟମରେ ବ୍ୟାଙ୍କ ଖାତାରେ ଜମା କରିବା ଲାଗି ୧ ହଜାର ୨ ଶହ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି ସରକାର । ଅନ୍ୟପଟେ ସତ୍ୟବାଦୀ ଠାରେ ଓଡିଆ ବିଶ୍ବବିଦ୍ୟାଳୟ ନିମନ୍ତେ ୧୦ କୋଟି ଟଙ୍କା, ମହିଳା ଶିଶୁ ବିକାଶ ପାଇଁ ୩ ହଜାର ୯ ଶହ ୬ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।

ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ପାଇଁ ୩ ଶହ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । PMGSY ଅଧିନରେ ଥିବା ୪ ହଜାର କିଲୋମିଟର ରାସ୍ତା ନିର୍ମାଣ ପାଇଁ ୨ ହଜାର କୋଟି, ବିମାନବନ୍ଦର ଗୁଡିକର ରାସ୍ତା ନିର୍ମାଣ ପାଇଁ ୧ଶହ କୋଟି, ରୋଳ ପ୍ରକଳ୍ପର ବିକାଶ ନିମନ୍ତେ ୩ ଶହ ୯୬ କୋଟି ଏବଂ ବ୍ଲକ ସ୍ତରୀୟ ବସ ଷ୍ଟାଣ୍ଡ ପାଇଁ ୧ ଶହ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଏହା ସହ ଆଇଟି, ସରକାରୀ ଜମିର ସୁରକ୍ଷା, ଲଘୁ ଖଣିଜ ପଦାର୍ଥ ଚୋରିକୁ ରୋକିବା ପାଇଁ ସରକାର ୨ ଶହ ୨୫ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି । ସେହିପରି ସାଗରମାଳା ଯୋଜନା ପାଇଁ ୩୪ କୋଟି ଟଙ୍କା, ଅପରାଧିକ କାର୍ଯ୍ୟର ନିୟନ୍ତ୍ରଣ, ନିବାରଣ, ଅଗ୍ନି ଜନିତ ଦୁର୍ବିପାକର ପରିଚାଳନା ଓ ନିୟନ୍ତ୍ରଣ ଇତ୍ୟାଦି ପାଇଁ ମଧ୍ୟ ୬ ହଜାର ୪ ଶହ ୨୪ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିବା ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ।

Leave a Reply