ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ, ଆଜିଠାରୁ ଆରମ୍ଭ ଓଡ଼ିଆ ପଞ୍ଜିକା

ନନ୍ଦିଘୋଷ ବ୍ୟୁରୋ: ଆଜି  ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତି । ଓଡ଼ିଆ ନବବର୍ଷ ମଧ୍ୟ । ଆଜିଠାରୁ ଆରମ୍ଭ ହେଉଛି ଓଡ଼ିଆ ପଞ୍ଜିକା । ବିଦାୟ ନେବ ବସନ୍ତ ଆଉ ଆରମ୍ଭ ହେବ ଗ୍ରୀଷ୍ମ । ଘରେ ଘରେ ପଣାର ଆସର ସହିତ ସବୁଠି ଉତ୍ସାହର ମାହୋଲ । ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ସ୍ୱତନ୍ତ୍ର ନୀତିକାନ୍ତି । ସକାଳ ଧୂପ ନୀତି ସରିବା ପରେ ଦକ୍ଷିଣ ଘରେ ଥିବା ଶ୍ରୀ ହନୁମାନଙ୍କୁ ରତ୍ନ ସିଂହାସନକୁ ଅଣାଯାଇ ଆଜ୍ଞା ମାଳ ଦିଆଯିବ । ବିମାନରେ ହନୁମାନ ବିଜେ ହୋଇ ପୂର୍ବ ଦ୍ୱାରରେ ଥିବା ହନୁମାନଙ୍କ ନିକଟକୁ ଯାଇ ସ୍ୱତନ୍ତ୍ର ପୂଜାର୍ଚ୍ଚନା ହେବ । ପରେ ଜଗନ୍ନାଥ ବଲ୍ଲଭ ମଠ ଓ ଦରିଆ ମହାବୀରଙ୍କ ନିକଟରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ ।

ଓଡ଼ିଆ ପଞ୍ଜିକାର ଗଣନା ଅନୁସାରେ ମହାବିଷୁବ ସଂକ୍ରାନ୍ତି ହିଁ ବର୍ଷର ପ୍ରଥମ ସଂକ୍ରାନ୍ତି ଭାବରେ ଗ୍ରହଣ କରାଯାଏ । ଏହି ଦିନଟିକୁ ଓଡ଼ିଆ ନବବର୍ଷ ଭାବରେ ପାଳନ କରାଯାଏ । ବର୍ଷାରମ୍ଭ ହେଉଥିବାରୁ ଓଡ଼ିଆ ପରିବାରରେ ଦେବଦେବୀଙ୍କଠାରେ ସ୍ୱତନ୍ତ୍ର ପୂଜା, ଭୋଗ, ହୋମ ଆଦି କରାଯାଇଥାଏ । ଏହି ସମୟରେ ସୂର୍ଯ୍ୟ କିରଣ ବୃଦ୍ଧି ପାଇବା ସହ ହଜମ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ । ଗରିଷ୍ଠ ଖାଦ୍ୟ ହଜମ ହେଉଥିବାରୁ ବୁଟଛତୁ ପରି ଗରିଷ୍ଠ ଖାଦ୍ୟପଦାର୍ଥ ଗ୍ରହଣ ପାଇଁ ଆୟୋଜନ ଥାଏ । ଦେହର ଅତ୍ୟଧିକ ତାପ ଶକ୍ତି ସମ ଅବସ୍ଥାକୁ ଆଣିବା ପାଇଁ ପଣାପାନର ବ୍ୟବସ୍ଥା ମଧ୍ୟ ଅଛି । ତେଣୁ ମହାବିଷୁବ ସଂକ୍ରାନ୍ତି ଦିନରେ ବିଭିନ୍ନ ଦେବଦେବୀ ମନ୍ଦିରମାନଙ୍କରେ ଛତୁ ଓ ପଣା ଭୋଗର ବିଧି ରହିଛି ।

ଏହି ଦିନ ସାହି ପଡ଼ିଶା, ବନ୍ଧୁବାନ୍ଧବ ଓ ବ୍ରାହ୍ମଣମାନଙ୍କୁ ପଣା ଦିଆଯାଏ । ତେଣୁ ଏହି ଦିନକୁ ପଣାସଂକ୍ରାନ୍ତି ବୋଲି ମଧ୍ୟ କହାଯାଏ । ପଣାସଂକ୍ରାନ୍ତିଠାରୁ ରାସ୍ତାକଡ଼ରେ ପଥିକମାନଙ୍କର ତୃଷ୍ଣା ନିବାରଣ ପାଇଁ ଜଳଛତ୍ରମାନ ଖୋଲାଯାଏ । ଏହା ସହିତ ବୃକ୍ଷମୁଳରେ ଜଳଦାନର ପ୍ରଥା ଆମ ସମାଜରେ ପ୍ରଚଳିତ । ସେଥିପାଇଁ ହିନ୍ଦୁ ପରିବାରରେ ଚଉଁରାରେ ପୁଜା ପାଉଥିବା ତୁଳସୀ ବୃକ୍ଷ ଉପରେ ଛାମୁଡ଼ିଆ କରି ଘଡ଼ିରେ ଜଳ ରଖି ତାର ନିମ୍ନ ଅଂଶରେ ସରୁ କଣାକରି ସୂକ୍ଷ୍ମ ଧାରରେ ଜଳଦାନ କରାଯାଇଥାଏ । ଏହି ସଂକ୍ରାନ୍ତି ପରଠାରୁ ବୃକ୍ଷଜଗତ ଏବଂ ଜୀବଜଗତକୁ ଜଳ ପ୍ରଦାନ କରାଯାଉଥିବାରୁ ଏହି ସଂକ୍ରାନ୍ତିର ଅନ୍ୟ ନାମ ଜଳସଂକ୍ରାନ୍ତି ବୋଲି କହିଥାନ୍ତି ।

 ଏହି ସଂକ୍ରାନ୍ତି ପରଠାରୁ ବାୟୁର ଗତି ମଧ୍ୟ ପ୍ରଖର ହୁଏ । ଉଭୟ ଅଗ୍ନି ଓ ବାୟୁଙ୍କ ପ୍ରକୋପରୁ ରକ୍ଷାପାଇବା ପାଇଁ ଏହି ସମୟରେ ହନୁମାନ ଜୟନ୍ତି ପାଳନ କରାଯାଏ । ଏହିଦିନ ପବିତ୍ର ଝାମୁ ବ୍ରତର ଉଦ୍‌ଯାପନ କରାଯାଏ । ଯେଉଁମାନେ ଏହି ବ୍ରତ ପାଳନ କରନ୍ତି ତାଙ୍କୁ ପାଟୁଆ ବୋଲି କୁହାଯାଏ । ବ୍ରତ ଉଦ୍‌ଯାପନ ଦିନ ବ୍ରତଧାରୀ କଣ୍ଟା ବା ଜଳନ୍ତା ଅଗ୍ନିରେ ଚାଲନ୍ତି । ଓଡ଼ିଶାର ଅନେକ ଅଞ୍ଚଳରେ ଏହି ବ୍ରତ ଉପଲକ୍ଷେ ଯାତ୍ରା ହୁଏ ଏହାକୁ ଝାମୁ ବା ପାଟୁଆ ଯାତ୍ରା କହନ୍ତି । ବ୍ରତଧାରୀମାନେ ସମାଜକୁ କଠୋର ତାପ ସହ୍ୟ କରିବାର ଶକ୍ତି ସମ୍ପର୍କରେ ଶିକ୍ଷା ପ୍ରଦାନ କରିଥାନ୍ତି ।