ନୁପୂରଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ଭର୍ତ୍ସନା

1 min read

ନୂଆଦିଲ୍ଲୀ: ନିଲମ୍ବିତ ବିଜେପି ନେତ୍ରୀ ନୁପୂର ଶର୍ମାଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ । ବିବାଦୀୟ ମନ୍ତବ୍ୟ ପାଇଁ ନୁପୁରଙ୍କୁ କଡ଼ା ଭର୍ତ୍ସନା ସହିତ ଗଣମାଧ୍ୟମ ଜରିଆରେ ସାରା ଦେଶକୁ କ୍ଷମା ମାଗିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ତାଙ୍କ ବିବାଦୀୟ ମନ୍ତବ୍ୟ ପାଇଁ ଏବେ ସାରା ଦେଶରରେ ଯାହା ଘଟୁଛି ସେଥିପାଇଁ ସେ ହିଁ ଦାୟୀ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

ନୁପୂରଙ୍କ ବିବାଦୀୟ ବିବୃତ୍ତି ପରେ ସାରା ଦେଶରେ ଅନେକ ହିଂସାତ୍ମକ ଘଟଣା ଘଟୁଛି । ନିକଟରେ ରାଜସ୍ଥାନର ଉଦୟପୁରେ ଟେଲରଙ୍କ ହତ୍ୟା ମାମଲା ମଧ୍ୟ ଏହା ସହ ଜଡ଼ିତ ଥିଲା । ଯାହାପରେ ବର୍ତ୍ତମାନ ସୁପ୍ରିମକୋର୍ଟ ତାଙ୍କୁ କଡ଼ା ସମାଲୋଚନା କରିଛନ୍ତି । ଏଥି ସହିତ ଦିଲ୍ଲୀ ପୋଲିସକୁ ମଧ୍ୟ ତାଙ୍କୁ ଦାଗିଦ କରିଛନ୍ତି । ସୁପ୍ରିମ କୋର୍ଟ ନୁପୂର ଶର୍ମାଙ୍କୁ କହିଛନ୍ତି କି, ଆପଣଙ୍କ ଯୋଗୁ ଦେଶରେ ଖରାପ ପରିସ୍ଥିତି ସୃଷ୍ଟି ହୋଇଛି ଏବଂ ଆପଣ ଦୀର୍ଘ ସମୟ ଧରି କ୍ଷମା ମାଗିବାରେ ବିଳମ୍ବ କରିଛନ୍ତି । ଏବେ ଟିଭି ଜରିଆରେ ସାରା ଦେଶକୁ କ୍ଷମା ମାଗନ୍ତୁ ବୋଲି ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ।

ଏହା ସହିତ ସୁପ୍ରିମକୋର୍ଟ ନୁପୁର ଶର୍ମାଙ୍କ ଆବେଦନକୁ ପ୍ରତ୍ୟାଖାନ କରିଛନ୍ତି । ଯେଉଁଥିରେ ସେ ନିଜ ବିରୋଧରେ ରାଜ୍ୟ ମାନଙ୍କରେ ଅପିଲ କରାଯାଇଥିବା ସମସ୍ତ FIRକୁ ଦିଲ୍ଲୀ ସ୍ଥାନାନ୍ତର କରିବା ପାଇଁ ଆବେଦନ କରିଥିଲେ । ନୂପୁରଙ୍କ ବିବାଦୀୟ ବୟାନକୁ ବିନମ୍ରତାର ସହ ଫେରାଇ ନେବାକୁ ତାଙ୍କ ଓକିଲ ସୁପ୍ରିମକୋର୍ଟକୁ ଆବେଦନ କରିଥିଲେ ମଧ୍ୟ ଏହାକୁ କୋର୍ଟ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି ଏବଂ ଏଥିପାଇଁ ବହୁତ ଡେରି ହୋଇଯାଇଛି ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ।