ବଢୁଛି ଆଣବିକ ପ୍ରତିଯୋଗିତା, ନିଜର ଆଣବିକ ଅସ୍ତ୍ର ସଂଖ୍ଯା ଦୁଇଗୁଣ କରିଛି ଚୀନ

ନୂଆଦିଲ୍ଲୀ: ବଢୁଛି ଆଣବିକ ପ୍ରତିଯୋଗିତା। ଚୀନ ନିଜର ଆଣବିକ ଅସ୍ତ୍ର ସଂଖ୍ଯା ଦୁଇଗୁଣ କରିଥିବାବେଳେ ପାକିସ୍ତାନଠାରୁ ଅଧିକ ଆଣବିକ ଅସ୍ତ୍ର ରଖିଛି ଭାରତ। ବଡ଼କଥା ହେଉଛି ଗତ ୨୦୨୩ ଜାନୁଆରୀରେ ଚୀନ ନିକଟରେ ୪୧୦ ଆଣବିକ ଅସ୍ତ୍ର ରହିଥିବାବେଳେ ୨୦୨୪ ଜାନୁଆରୀରେ ଏହି ସଂଖ୍ଯା ହୋଇଛି ୫୦୦।

ଷ୍ଟକହୋମ ଇଣ୍ଟରନ୍ଯାସନାଲ ପିସ୍ ରିସର୍ଚ୍ଚ ସେଣ୍ଟର ବା ସିପ୍ରି ପକ୍ଷରୁ କରାଯାଇଥିବା ସର୍ଭେରେ କୁହାଯାଇଛି ଭାରତ, ପାକିସ୍ତାନ, ଚୀନ ସମେତ ୯ଟି ଆଣବିକ ଅସ୍ତ୍ରଶସ୍ତ୍ର ସମ୍ପନ୍ନ ରାଷ୍ଟ୍ରରେ ଆଣବିକ ଅସ୍ତ୍ର ପ୍ରତିଯୋଗିତା ବୃଦ୍ଧି ପାଇଛି। ଏହା ସହ ସେମାନେ ନିଜର ଆଣବିକ ଅସ୍ତ୍ରଶସ୍ତ୍ରକୁ ଆଧୁନିକୀକରଣ କରିବାରେ ଲାଗିଛନ୍ତି। ଅନ୍ଯ ଯେଉଁ ରାଷ୍ଟ୍ରମାନେ ପ୍ରତିଯୋଗିତାରେ ଲିପ୍ତ ରହିଛନ୍ତି ସେମାନେ ହେଲେ ଆମେରିକା, ବ୍ରିଟେନ, ରୁଷିଆ, ଫ୍ରାନ୍ସ, ଉତ୍ତରକୋରିଆ ଓ ଇସ୍ରାଏଲ।

ସିପ୍ରିର ରିପୋର୍ଟ ଅନୁସାରେ ବିଶ୍ବରେ ଯେତେ ପରିମାଣର ଆଣବିକ ଅସ୍ତ୍ରଶସ୍ତ୍ର ରହିଛି ତାହାର ୯୦ ଭାଗ କେବଳ ରହିଛି ଆମେରିକା ଓ ରୁଷିଆ ନିକଟରେ। ସେମାନଙ୍କ ମଧ୍ଯରୁ ଅଧିକାଂଶ ରାଷ୍ଟ୍ର ନୂଆ ଆଣବିକ ସାମର୍ଥ୍ଯସମ୍ପନ୍ନ ଅସ୍ତ୍ରଶସ୍ତ୍ର ବି ମୁତୟନ କରିଛନ୍ତି। ଆମେରିକା ଓ ରୁଷିଆର ପ୍ରାୟ ୨୧ ଶହ ଆଣବିକ ଅସ୍ତ୍ରଶସ୍ତ୍ର ହାଇ ଅପରେସନାଲ ଆଲର୍ଟରେ ରହିଥିବା ସୂଚନା ଦିଆଯାଇଛି। ଚୀନ ମଧ୍ଯ ପ୍ରଥମ ଥର ଲାଗି ଏହି ମୋଡରେ ରହିଛି। ୨୦୨୪ ଜାନୁଆରୀରେ ଭାରତ ନିକଟରେ ୧୭୨ଟି ଆଣବିକ ଅସ୍ତ୍ର ରହିଛି। ତେବେ ପାକିସ୍ତାନଠାରୁ ଏହି ସଂଖ୍ଯା ମାତ୍ର ୨ ଅଧିକ।

ଗତ ୨୦୨୩ରୁ ଦୁଇ ରାଷ୍ଟ୍ର ବି ନ୍ଯୁକ୍ଳିୟର ଡେଲିଭରୀ ସିଷ୍ଟମର ବିକାଶ କରୁଥିବା ସୂଚନା ମିଳିଛି। ପାକିସ୍ତାନର ଆଣବିକ କାର୍ଯ୍ୟକ୍ରମ ଉପରେ ଭାରତ ନଜର ରଖିଛି। ଏପରିକି ଭାରତ କେତେକ ଦୂରଗାମୀ କ୍ଷେପଣାସ୍ତ୍ର ହାସଲ କରିଛି ଯାହାକି ଚୀନର ଯେ କୌଣସି ସ୍ଥାନକୁ ବି ଟାର୍ଗେଟ କରିପାରିବ। ଭାରତ, ପାକିସ୍ତାନ ଓ ନର୍ଥକୋରିଆ ରାଷ୍ଟ୍ର ରୁଷିଆର ପଦାଙ୍କ ଅନୁସରଣ କରୁଥିବା ରିପୋର୍ଟରେ ଦର୍ଶାଯାଇଛି।