ନନ୍ଦିଘୋଷ ବ୍ୟୁରୋ : ଛତିଶଗଡ଼ର ମନମାନି, କଲମା ବ୍ୟାରେଜରୁ ମନଇଚ୍ଛା ପାଣି ଛାଡୁଛି, ବନ୍ୟାରେ ଭାସୁଛି ଓଡ଼ିଶା। ଚଳିତବର୍ଷ ବର୍ଷା ସହ ମହାନଦୀକୁ ଆସିଛି ଚତୁର୍ଥ ବନ୍ୟା। ଏହାକୁ ଛୋଟ ବନ୍ୟା ବୋଲି କହିଛି ଜଳ ସମ୍ପଦ ବିଭାଗ। ଯଦି ବଡ଼ ବନ୍ୟା ଆସେ, ତାହେଲେ ପୁଣି ଥରେ ଧନଜୀବନ ପ୍ରଭାବିତ ହେବାର ଆଶଙ୍କା ରହିଛି। ମୌସୁମୀରେ ସମସ୍ତ ୬୬ ଗେଟ୍ ଖୋଲି ଦେଉଛି ଛତିଶଗଡ଼। ମୁଖ୍ୟତଃ କଲମାର ଗେଟ୍ ଖୋଲିବାରୁ ଓଡ଼ିଶା ବନ୍ୟାରେ ଉବୁଟୁବୁ ହେଉଛି। ରାଜ୍ୟରେ ବାରମ୍ବାର ବନ୍ୟା ଲାଗି ରହିଥିବାରୁ ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଏଥିପାଇଁ ମହାନଦୀ ଜଳ ପରିଚାଳନା ନେଇ ଛତିଶଗଡ଼ ସରକାର ଓଡ଼ିଶା ସହ ସମନ୍ୱୟ ରଖୁନଥିବା ଅଭିଯୋଗ ହେଉଛି। ଓଡ଼ିଶା ଓ ଛତିଶଗଡ଼ ସୀମାନ୍ତ ଶେଷ ଭାଗରେ ଥିବା କଲମା ବ୍ୟାରେଜ କେତେବେଳେ ଗେଟ୍ ବନ୍ଦ କରୁଛି ତ କେତେବେଳେ ଅଚାନକ ଗେଟ୍ ଖୋଲୁଛି। ଏ ନେଇ ହୀରାକୁଦ ଜଳଭଣ୍ଡାର କର୍ତ୍ତୃପକ୍ଷଙ୍କୁ ଆଗରୁ ସୂଚନା ଦେଉନାହାନ୍ତି ଛତିଶଗଡ଼ ସରକାର।
ସେପଟେ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି, ପ୍ରତି ତିନି ଘଣ୍ଟାରେ ଓଡ଼ିଶା ଓ ଛତିଶଗଡ଼ର ଗଜ ମିଟର ରିଡରମାନେ ନଦୀର ସ୍ଥିତି ନେଇ ତଥ୍ୟ ଆଦାନପ୍ରଦାନ କରୁଛନ୍ତି। ଏଥିପାଇଁ ଓଡ଼ିଶାର ୨୦ ଜଣ ଅଧିକାରୀ ୬ଟି ଗଜ ଷ୍ଟେସନରେ ଅଛନ୍ତି। ଅପରପକ୍ଷେ, ଛତିଶଗଡ଼ର ମନମାନିକୁ ଜଳ ସମ୍ପଦ ବିଭାଗ ଅସ୍ୱୀକାର କରିଛି। ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ହେବାରୁ ସେମାନେ ଗେଟ୍ ଖୋଲି ପାଣି ଛାଡ଼ିଥିଲେ, ଯାହାର ପ୍ରଭାବ ଓଡ଼ିଶାରେ ପଡ଼ିଲା। କଲମା ଗେଟ୍ ମଧ୍ୟ ଖୋଲା ହୋଇଥିଲା। ହେଲେ ଗାଇଡଲାଇନ ଅନୁସାରେ ଛତିଶଗଡ଼ ଗେଟ୍ ଖୋଲୁଥିବା ନେଇ ଓଡ଼ିଶାର ଜଳ ସମ୍ପଦ ବିଭାଗ ସ୍ପଷ୍ଟୀକରଣ ଦେଇଛି। ଏହା ଭିତରେ ମହାନଦୀ ଜଳ ବିବାଦର ପାଖାପାଖି ୬୦ ଶୁଣାଣି ହେଲାଣି। ଅକ୍ଟୋବର ପହିଲାରେ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଡାକି ବୈଠକ କରିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ। ହେଲେ ଅଂଶୀଦାରମାନଙ୍କ ମତାମତ ନିଆଯାଇନଥିବାରୁ ଆପତ୍ତି ଉଠାଇଛି ମହାନଦୀ ବଞ୍ଚାଓ ଅଭିଯାନ।

