କେବଳ ଆର୍ଥିକ ପରିଚାଳନା ନୁହେଁ ଡିବିଟି କ୍ଷେତ୍ରରେ ଓଡ଼ିଶାର ଉଲ୍ଲେଖନୀୟ ସଫଳତା

ଭୁବନେଶ୍ବର: ଆର୍ଥିକ ସୁପରିଚାଳନାରେ ଓଡ଼ିଶାର ଶ୍ରେଷ୍ଠତା । କେବଳ ଏହା ନୁହେଁ ଡିବିଟି କ୍ଷେତ୍ରରେ ବି ଉଲ୍ଲେଖନୀୟ ସଫଳତା । ହିତାଧିକାରୀଙ୍କ ଖାତାକୁ ସିଧାସଳଖ ଯାଇଛି ସରକାରୀ ଅର୍ଥ । ଦୁର୍ନୀତି ମୁକ୍ତ ପ୍ରଶାସନର ଅନନ୍ୟ ଉଦାହରଣ ଭାବେ ଡିବିଟିର ସଫଳ ପରିଚାଳନାକୁ ପ୍ରଶଂସା କରିଛନ୍ତି ବିଶେଷଜ୍ଞ ।

ଓଡ଼ିଶାରେ ଡିବିଟିକୁ ବ୍ୟାପକ ସଫଳତା । ୨୦୨୧ରେ ୨୦ ହଜାର ୯୬ କୋଟି, ୨୦୨୨ରେ ୨୫ ହଜାର ୯୦୩ କୋଟି, ଚଳିତବର୍ଷ ନଭେମ୍ବର ସୁଦ୍ଧା ୧୮ ହଜାର ୭୦୮କୋଟି ଟଙ୍କା ସିଧାସଳଖ ହିତାଧିକାରୀଙ୍କ ଖାତାକୁ ଯାଇଛି ଅର୍ଥ । ମନରେଗା ଓ ଗ୍ରାମୀଣ ଗୃହ ଯୋଜନା ହିତାଧିକାରୀଙ୍କୁ ମିଳିଛି ସିଂହ ଭାଗ । ସ୍ଥିତିର ସମୀକ୍ଷା କରି ସନ୍ତୋଷ ପ୍ରକାଶ କରିଛନ୍ତି ଅର୍ଥ ସଚିବ ବିଶାଳ ଦେବ । ଚଳିତବର୍ଷ ମନରେଗାରେ ଡିବିଟି ମାଧ୍ୟମରେ ୩୪ ଲକ୍ଷ ୬୧ ହଜାର ୩ ଶହ ହିତାଧିକାରୀଙ୍କୁ ୫ ହଜାର ୭୫ କୋଟି ଟଙ୍କାର ପାଣ୍ଠି ଦିଆଯାଇଛି । ଗ୍ରାମୀଣ ଗୃହ ଯୋଜନାରେ ୨୭ ଲକ୍ଷ ୪୬ ହଜାର ୭୫୪ ହିତାଧିକାରୀଙ୍କୁ ୫ ହଜାର ୧୮୧ କୋଟି ଟଙ୍କା ହସ୍ତାନ୍ତର ହୋଇଛି । ସେହିଭଳି ଧାନ କିଣା ବାବଦକୁ ୧୬ ଲକ୍ଷ ୬୦ ହଜାର ଚାଷୀଙ୍କ ଆକାଉଣ୍ଟକୁ ୨ ହଜାର ୮୦୯ କୋଟି ଟଙ୍କା ଦିଆଯାଇଛି । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ୧୯ ଶହ ୮୯ କୋଟି, କାଳିଆ ଯୋଜନାରେ ୧୭ ଶହ ୮୬ କୋଟି, କେନ୍ଦୁପତ୍ର ତୋଳାଳିଙ୍କୁ ୨୧୮ କୋଟି ଓ କୃଷି ଯାନ୍ତ୍ରିକ ସବସିଡି ଅଧୀନରେ ୧୯୭ କୋଟି ଟଙ୍କା ହିତାଧିକାରୀଙ୍କ ଖାତାକୁ ଯାଇଛି ।

କେନ୍ଦ୍ରୀୟ ଓ ରାଜ୍ୟ ଯୋଜନାର ୨୫ଟି କାର୍ଯ୍ୟକ୍ରମ ଅଧୀନରେ ୬୧ଟି ଯୋଜନାରେ ହିତାଧିକାରୀଙ୍କ ଖାତାକୁ ସିଧାସଳଖ ଟ୍ରାନ୍ସଫର ହୋଇଛି ସରକାରୀ ଅର୍ଥ । ଛାତ୍ରବୃତ୍ତି ଯୋଜନାରେ ୨୮୫ କୋଟି, ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମରେ ୪୨୮ କୋଟି, ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ ୧୯୯ କୋଟି, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧୭୯ କୋଟି ଟଙ୍କା ହସ୍ତାନ୍ତର ହୋଇଛି । ସରକାରୀ ଯୋଜନାରେ ଜାଲିଆତି ରୋକିବା, ମଧ୍ୟସ୍ଥଙ୍କ ଭୂମିକାକୁ ମୂଳପୋଛ କରିବା, ସବୁଥିରେ ସ୍ବଚ୍ଛତା ଆଣିବା ଲକ୍ଷ୍ୟରେ ୨୦୧୩ ଜାନୁଆରୀ ପହିଲାରୁ ଡିବିଟି ବ୍ୟବସ୍ଥା ସାରା ଦେଶରେ ଆରମ୍ଭ ହୋଇଥିଲା । ଏକ୍ଷେତ୍ରରେ ବି ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ଓଡିଶା । ଡିବିଟି କାରବାର ବୃଦ୍ଧି ହେଉଥିବାରୁ ଲୋକଙ୍କ ଭରସା ସରକାରଙ୍କ ଉପରେ ବଢୁଛି ।

ଓଡ଼ିଶାର ଆର୍ଥିକ ପରିଚାଳନା, ଅର୍ଥନୀତିରେ ଅଭିବୃଦ୍ଧି, ବଳକା ରାଜସ୍ବ ଦିଗକୁ ରିଜର୍ଭ ବ୍ୟାଙ୍କ, ନୀତି ଆୟୋଗ, କେନ୍ଦ୍ର ସରକାରଙ୍କ ବାରମ୍ବାର କରିଆସିଛନ୍ତି ପ୍ରଶଂସା ।