ଗୃହଋଣ ଉପରେ ଆଉ ମିଳିବ ନାହିଁ ସବସିଡ଼ି

1 min read

ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ଅର୍ଥାତ ଏପ୍ରିଲ ୧ ତାରିଖରୁ ଆରମ୍ଭ ହେଉଛି ୨୦୨୨-୨୩ ଆର୍ଥିକ ବର୍ଷ । ଏହାସହ ବଦଳିବାକୁ ଯାଉଛି କିଛି ନିୟମ । ଯାହାର ପ୍ରଭାବ ଆପଣଙ୍କ ରୋଜଗାର, ଖର୍ଚ୍ଚ ଓ ସଞ୍ଚୟ ଉପରେ ପଡିବ । କେନ୍ଦ୍ର ସରକାର ଏମିତି କିଛି ବଡ ପରିବର୍ତ୍ତନ କରିଛନ୍ତି । ହେଲେ ଏସବୁ ଭିତରେ ସବୁଠାରୁ ବଡ ପରିବର୍ତ୍ତନ ଗୃହଋଣକୁ ନେଇ ରହିଛି । ଆସନ୍ତୁ ଜାଣିବା କେଉଁ କ୍ଷେତ୍ରରେ କି ପରିବର୍ତ୍ତନ ହୋଇଛି ଓ ଏହାର କିପରି ପ୍ରଭାବ ପକାଇବ ?

ଗୃହ ଋଣରେ ମିଳିବନି ସବସିଡି

ଆପଣ ଗୃହଋଣ ନେବାକୁ ଯୋଜନା କରୁଛନ୍ତି କି ? ଯଦି ହଁ, ତେବେ କେନ୍ଦ୍ର ସରକାରଙ୍କ ନୂଆ ନିୟମ ଉପରେ ଥରେ ନଜର ପକାନ୍ତୁ । ଯାହା ଆସନ୍ତାକାଲିଠାରୁ ଲାଗୁ ହେବାକୁ ଯାଉଛି । ଏଣିକି ଗୃହଋଣରେ ସବସିଡି ମିଳିବ ନାହିଁ । ପ୍ରଥମ ଥର ଘର କିଣୁ ଥିଲେ ଧାରା 80-EEA ଅନୁସାରେ ସୁଧରେ ମିଳୁଥିବା ୧.୫ ଲକ୍ଷ ଟଙ୍କାର ରିହାତି ଆଉ ମିଳିବ ନାହିଁ । ଘରର ଦାମ ୪୫ ଲକ୍ଷ ଟଙ୍କାରୁ କମ ହୋଇଥିଲେ, ସୁଧ ସୁଝିବାରେ ଦେଢ ଲକ୍ଷ ପର୍ଯ୍ୟନ୍ତ ସବସିଡି ମିଳୁଥିଲା । ଏହି ରିହାତି, ଧାରା 24-B ଅନୁସାରେ ୨ ଲକ୍ଷ ଟଙ୍କା ରିହାତି ବାଦ ମିଳୁଥିଲା । ଯାହା ଏବେ ଆଉ ମିଳିବ ନାହିଁ । ଯେଉଁମାନେ ଘର କିଣିବାକୁ ୨୦୧୯ ଏପ୍ରିଲ ୧ରୁ ୨୦୨୨ ମାର୍ଚ୍ଚ ୩୧ ମଧ୍ୟରେ ଋଣ କରିଥିଲେ ସେମାନେ ଏହି ଲାଭ ପାଉଥିଲେ ।

କେବଳ ଗୃହଋଣ ନୁହେଁ ଅନ୍ୟ କିଛି କ୍ଷେତ୍ରରେ ମଧ୍ୟ ବଡ ପରିବର୍ତ୍ତନ କରାଯାଇଛି । ଆସନ୍ତୁ ଏସବୁ ଜାଣିବା କେନ୍ଦ୍ର ସରକାରଙ୍କ ଏହି ପରିବର୍ତ୍ତନ ଆପଣଙ୍କ ଦୈନନ୍ଦୀନ ଜୀବନରେ କି ପ୍ରଭାବ ପକାଉଛି ।

ସୁଧ ଦେବେ ପିଏଫ ଧାରକ

ଏଣିକି ପ୍ରୋଭିଡିଏଣ୍ଟ ଫଣ୍ଡଧାରୀଙ୍କୁ ଆୟକର ଦେବାକୁ ପଡିବ । ଯେଉଁ ପିଏଫଧାରୀଙ୍କ ଆକାଉଣ୍ଟରେ ଅଢେଇ ଲକ୍ଷରୁ ଅଧିକ ଟଙ୍କା ରହିଛି ସେମାନଙ୍କୁ ସୁଧ ଉପରେ ଆୟକର ଦେବାକୁ ପଡିବ । ଟ୍ୟାକ୍ସ କାଲକ୍ୟୁଲେସନ ପାଇଁ ଆକାଉଣ୍ଟକୁ ଦୁଇ ଭାଗ କରାଯିବ । ଗୋଟିଏରେ ରିହାତି ବାଲା ଯୋଗଦାନ ଓ ଅନ୍ୟଟିରେ ଅଢେଇ ଲକ୍ଷରୁ ଅଧିକ ଯୋଗଦାନ ରହିବ, ଯାହା ଉପରେ ସୁଧ ଦେବାକୁ ପଡିବ । ସରକାରୀ କର୍ମଚାରୀଙ୍କ ପାଇଁ ଏହି ସୀମା ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିବ ।

କ୍ରିପଟୋ କରେନ୍ସି ବିକ୍ରି କଲେ ୩୦ ପ୍ରତିଶତ ଟ୍ୟାକ୍ସ

ଭର୍ଚୁଆଲ କରେନ୍ସି ଉପରେ ଏପ୍ରିଲ ୧ ତାରିଖରୁ ଋଣ ସମ୍ବନ୍ଧିତ ସ୍ପଷ୍ଟ ନିୟମ ଲାଗୁ ହେବାକୁ ଯାଉଛି । ଏଣିକି ଭର୍ଚୁଆଲ ଡିଜିଟାଲ କରେନ୍ସି ବା କ୍ରିପଟୋ କରେନ୍ସି ଉପରେ ୩୦ ପ୍ରତିଶତ ଟ୍ୟାକ୍ସ ଲାଗିବ । କ୍ରିପଟୋ କରେନ୍ସି ବିକ୍ରି କରି ଜଣେ ଲାଭ ପାଉଥିବାରୁ ତାହା ଉପରେ ତାଙ୍କୁ ଟ୍ୟାକ୍ସ ଦେବାକୁ ପଡିବ ବୋଲି ମତ ଦେଇଛନ୍ତି କେନ୍ଦ୍ର ସରକାର । କ୍ରିପଟୋ କରେନ୍ସି ବିକ୍ରି ଉପରେ ୧ ଜୁଲାଇରୁ ୧ ପ୍ରତିଶତ ଟିଡିଏସ କଟାଯିବ ।

ଔଷଧ ହେବ ମହଙ୍ଗା

ନୂଆ ଆର୍ଥିକ ବର୍ଷରେ ଔଷଧ ମହଙ୍ଗା ହେବାକୁ ଯାଉଛି । ପ୍ରାୟ ୮ ଶହ ପ୍ରକାର ଔଷଧର ଦାମ ୧୦ ପ୍ରତିଶତ ପର୍ଯ୍ୟନ୍ତ ବଢିବାକୁ ଯାଉଛି । ଯାହାର ପ୍ରଭାବ ଲୋକଙ୍କ ଚିକିତ୍ସା ଖର୍ଚ୍ଚ ଉପରେ ପଡିବାକୁ ଯାଉଛି ।

ପାନ୍-ଆଧାର ସଂଯୋଗରେ ପେନାଲ୍ଟି

ଏଣିକି ପାନ କାର୍ଡକୁ ଆଧାର କାର୍ଡ ସହ ସଂଯୋଗ କରିବାକୁ ହେଲେ ପେନାଲ୍ଟି ଦେବାକୁ ପଡିବ । ୨୦୨୨ ଜୁନ ମାସ ପର୍ଯ୍ୟନ୍ତ ପେନାଲ୍ଟି ୫୦୦ ଟଙ୍କା ରହିବ । ଏହାପରେ ପେନାଲ୍ଟି ବଢି ୧୦୦୦ ଟଙ୍କା ହୋଇଯିବ । ୨୦୨୩ ମାର୍ଚ୍ଚ ୧ ମଧ୍ୟରେ ପାନ୍-ଆଧାର ସଂଯୋଗ ନକରାଇଲେ ପାନ୍ କାର୍ଡ ଅଚଳ ହୋଇଯିବ ।

ଇ-ଇନଭଏସିଂ କାଟାଗୋରୀକୁ ଆସିବେ ବ୍ୟବସାୟୀ

All About GST E-Invoicing

୨୦ କୋଟି ଟଙ୍କା ଟର୍ଣ୍ଣଓଭର କରୁଥିବା ବ୍ୟବସାୟୀ ଇ-ଇନଭଏସିଂ କାଟାଗୋରୀକୁ ଆସିବେ । ସବୁ ବିଜନେସ ଟୁ ବିଜନେସ ପାଇଁ ଇ-ଇନଭଏସିଂ ଲାଗୁ ହେବ । ଯଦି ଇ-ଇନଭଏସିଂ କରାନଯାଏ ତେବେ ଟ୍ରାନ୍ସପୋର୍ଟ ସମୟରେ ମାଲ ଜବତ କରାଯାଇପାରେ । ଏହାସହ ମାଲ କିଣୁଥିବା ବ୍ୟବସାୟୀଙ୍କୁ ମିଳୁଥିବା ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍ ଉପରେ ସମସ୍ୟା ଆସିପାରେ ।