ଏଣିକି ଆଉ ତଳେ ବସି ପଢ଼ିବେନି ପ୍ରାଥମିକ ସ୍କୁଲର ଛାତ୍ରଛାତ୍ରୀ

ଭୁବନେଶ୍ବର: ରାଜ୍ୟରେ ବଦଳିବ ପ୍ରାଥମିକ ଶ୍ରେଣୀ ଗୃହର ପରିବେଶ । ଆଉ ତଳେବସି ପଢିବେନି ପ୍ରାଥମିକ ସ୍କୁଲର ଛାତ୍ରଛାତ୍ରୀ । ଏଣିକି ପିଲାମାନେ ଦରିରେ ବସିବେ, ରଙ୍ଗୀନ ଡେସ୍କରେ ଲେଖିବେ । ଛାତ୍ରଛାତ୍ରୀଙ୍କୁ ଆକର୍ଷଣୀୟ ଶ୍ରେଣୀଗୃହ ସହିତ ଅତ୍ୟାଧୁନିକ ଶୈକ୍ଷିକ ଉପକରଣ ଯୋଗାଇଦିଆଯିବ ।

ପିଲାଙ୍କ ମନରେ ଶିକ୍ଷାପ୍ରତି ଆଗ୍ରହ ସୃଷ୍ଟିକରିବାକୁଏଭଳି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି  ରାଜ୍ୟ ସରକାର ।  ରାଜ୍ୟର ୧୬ଟି ଜିଲ୍ଲାର ପ୍ରାଥମିକ ସ୍କୁଲର ପରିବେଶ ଅତ୍ୟାଧୁନିକ କରାଯିବ  । ଏଥିପାଇଁ ପ୍ରାଥମିକ ପର୍ଯ୍ୟାୟରେ ୬ ହଜାରରୁ ଅଧିକ ପ୍ରାଥମିକ ସ୍କୁଲକୁ ସାମିଲ କରାଯାଇଛି  । ପ୍ରଥମରୁ ତୃତୀୟ ଶ୍ରେଣୀର ପିଲାମାନେ ପଢ଼ିବା, ଲେଖିବା, ଆବଶ୍ୟକୀୟ ଶିକ୍ଷଣ ଦକ୍ଷତା ହାସଲ କରିବା ଲକ୍ଷ୍ୟରେ ଶ୍ରେଣୀଗୃହ ପରିବେଶକୁ ଅନୁକୂଳ କରିବାର ପଦକ୍ଷେପ ନିଆଯାଉଛି । ଛାତ୍ରଛାତ୍ରୀଙ୍କ ମନରେ ଶିକ୍ଷା ପ୍ରତି ଆଗ୍ରହ, କୌତୁହଳ ଓ ଉତ୍ସାହ ଆଣିବା ଉଦ୍ଦେଶ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବ୍ୟାପକ ବ୍ୟବସ୍ଥା କରିଛି । ଶ୍ରେଣୀଗୃହକୁ ଶିଶୁ ସୁଲଭ, ଆକର୍ଷଣୀୟ, ଆନନ୍ଦମୟ କରିବା ପାଇଁ ବିଭିନ୍ନ କାନ୍ଥଚିତ୍ର, ବିଭିନ୍ନ ଆକୃତିର ଡେକ୍ସ, ଆଲମାରୀ, ଗ୍ରୀନ୍ ବୋର୍ଡ, ପ୍ରଦର୍ଶନ ବୋର୍ଡ, ଶୈକ୍ଷିକ ଉପକରଣ ଝୁଲାଇବା ପାଇଁ ହୁକ, ବସିବା ପାଇଁ ଦରି, ଶ୍ରେଣୀଗୃହର ଆବଶ୍ୟକ ମରାମତି, ବିଦ୍ୟୁତିକରଣ ଓ ଆଲୋକୀକରଣ, ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନର ବ୍ୟବସ୍ଥା ଆଦି କରାଯିବ । ଶ୍ରେଣୀଗୃହ ପରିବେଶକୁ ଆକର୍ଷଣୀୟ କରିବା ଉଦ୍ଦେଶ୍ୟରେ ମୌଳିକ ଭିତ୍ତିଭୂମିର ରକ୍ଷଣାବେକ୍ଷଣ ଏବଂ ମରାମତି ସୁବିଧା ଯୋଗାଇ ଦେବାକୁ ଆବଶ୍ୟକ ପାଣ୍ଠି ଯୋଗାଇ ଦେଇଛି ।

ଏହା ପ୍ରାଥମିକ ଛାତ୍ରଛାତ୍ରୀଙ୍କର ଶୈକ୍ଷିକ ବିକାଶରେ ଅତ୍ୟନ୍ତ ସହାୟକ ହେବ । ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ କାର୍ଯ୍ୟକ୍ରମ ପ୍ରଚଳନର ଉଦ୍ଦେଶ୍ୟ ହେଉଛି ଏହି ମୂଳଦୁଆକୁ ମଜଭୁତ କରିବା । ପ୍ରତ୍ୟେକ ଛାତ୍ରଛାତ୍ରୀ ଯେପରି ଭାଷା ଓ ଗାଣିତିକ ଜ୍ଞାନରେ ପାରଦର୍ଶୀ ହୋଇପାରିବେ ସେଥ୍ୟପ୍ରତି ଲକ୍ଷ୍ୟ ସ୍ଥିର ହୋଇଛି । ଲକ୍ଷ୍ୟ ହାସଲ ପାଇଁ ସ୍ବତନ୍ତ୍ର ଢାଞ୍ଚାରେ ପାଠ୍ୟକ୍ରମ ପ୍ରସ୍ତୁତି, ଚିନ୍ତାକର୍ଷକ ଶିକ୍ଷଣ ସାମଗ୍ରୀ, ଶିକ୍ଷକ ଦକ୍ଷତା ବିକାଶ, ମୂଲ୍ୟାଙ୍କନ ଶୈଳୀ ଇତ୍ୟାଦି ପର୍ଯ୍ୟାୟକ୍ରମ ବିକାଶ କରାଯାଇଛି । ପୂର୍ବରୁ ପାଇଲଟ୍‌ ପ୍ରକଳ୍ପ ଭାବେ ରାଜଭବନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଗ୍ରହଣ କରାଯାଇଥିଲା । ବିକଶିତ ହୋଇଥିବା ଶ୍ରେଣୀଗୃହକୁ ସମସ୍ତ ବୈଷୟିକ ଶିକ୍ଷକ ଓ ବରିଷ୍ଠ ଶିକ୍ଷକ ପରିଦର୍ଶନ କରି ତାଲିମ ନେଇଛନ୍ତି । ଏହି ବିଦ୍ୟାଳୟରେ ସମସ୍ତ ସୁବିଧା ସୁଯୋଗ କରାଯିବା ପରେ ଛାତ୍ରଛାତ୍ରୀଙ୍କ ଭିତରେ ଆକାଂକ୍ଷିତ ଶୈକ୍ଷିକ ବିକାଶ ହେଉଥୁବା ଲକ୍ଷ୍ୟ କରାଯାଇଛି । ପରେ ସମାନ ଢାଞ୍ଚାରେ ଶ୍ରେଣୀଗୃହ ପ୍ରସ୍ତୁତି କରିବା ପାଇଁ ପଦକ୍ଷେପ ନିଆଯାଇଛି । ୧୬ଟି ଜିଲ୍ଲାରେ ବିଦ୍ୟାଳୟ ସ୍ତରରେ ଏଫ୍ଏସ୍ଏନ୍ କାର୍ଯ୍ୟକ୍ରମକୁ ସଫଳ ରୂପାୟନ ପାଇଁ ସମସ୍ତ ବରିଷ୍ଠ ବୈଷୟିକ ପରାମର୍ଶଦାତାଙ୍କ ସହ ବିଭାଗୀୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି ।