ବୁଧବାର ଅପରାହ୍ନ ୨ଟାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତିଶ

ପାଟନା: ବିଜେପି ମେଣ୍ଟରୁ ଅଲଗା ହୋଇ ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ନୀତିଶ କୁମାର ଏବେ ପୁଣିଥରେ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ବୁଧବାର ଅପରାହ୍ନ ୨ଟାରେ ନୀତିଶ ପୁଣିଥରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ନେବେ । ତାଙ୍କ ସହ ଉପମୁଖ୍ୟମନ୍ତ୍ରୀ ମଧ୍ୟ ଶପଥ ନେବେ । ଶପଥଗ୍ରହଣ ଉତ୍ସବ ରାଜଭବନରେ ଆୟୋଜିତ ହେବ । ଉପମୁଖ୍ୟମନ୍ତ୍ରୀ ପଦ ପାଇଁ ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି । ଏହା ପୂର୍ବରୁ ସନ୍ଧ୍ୟା ୪ଟାରେ ଶପଥ ଉତ୍ସବ ଆୟୋଜନ ହେବାର ଖବର ଆସିଥିଲା ।

ମଙ୍ଗଳବାର ସନ୍ଧ୍ୟାରେ ନୀତିଶ କୁମାର ରାଜ୍ୟପାଳ ଫଗୁ ଚୌହ୍ୱାନଙ୍କୁ ୭ ଦଳର ୧୬୪ ବିଧାୟକଙ୍କ ସମର୍ଥନ ଥିବା ଚିଠି ହସ୍ତାନ୍ତର କରିଥିଲେ । ଯେହେତୁ ସବୁଠୁ ଅଧିକ ବହୁମତ ତାଙ୍କ ପାଖରେ ଅଛି ସେଥିପାଇଁ ସରକାର ଗଠନ ପାଇଁ ସେ ଦାବି କରିଥିଲେ । ଏହି ଅବସରରେ ଆରଜେଡି ନେତା ତେଜସ୍ୱୀ ଯାଦବ ମଧ୍ୟ ତାଙ୍କ ସହ ରାଜଭବନରେ ଉପସ୍ଥିତ ଥିଲେ । ଦୁଇ ନେତା ରାଜ୍ୟପାଳଙ୍କୁ ଭେଟିବା ପରେ ସାମ୍ବାଦିକ ସମ୍ମିଳନୀ କରିଥିଲେ । ନୀତିଶ ଏହି ସମୟରେ କହିଥିଲେ, ଆମେ ରାଜ୍ୟପାଳଙ୍କୁ ଭେଟି ୭ଦଳର ୧୬୪ ବିଧାୟକଙ୍କ ସମର୍ଥନ କଥା କହିଥିଲୁ ।

ଏବେ ରାଜ୍ୟପାଳଙ୍କ ଉପରେ ନିର୍ଭର ଯେ ସେ କେବେ ସରକାର ଗଠନ ପାଇଁ ନିମନ୍ତ୍ରଣ କରୁଛନ୍ତି । ଏହାପରେ ବିଜେପି ଉପରେ ପ୍ରବଳ ବର୍ଷିଥିଲେ ତେଜସ୍ବୀ ଯାଦବ  । ବିଜେପି ସହ ଯିଏ ବି ମେଣ୍ଟ କରିଛି ସେ ଧ୍ବଂଶ ହୋଇଯାଇଛି  । ବିଜେପି ବିରୋଧୀଙ୍କୁ ଶେଷ କରିଦେବାକୁ ଷଡ଼ଯନ୍ତ୍ର କରେ  । ବିଧାୟକଙ୍କୁ କିଣା ବିକା କରେ  । ବିକାଶ ନାଁରେ ବିନାଶ କରେ ବୋଲି ତେଜସ୍ବୀ ଯାଦବ କହିଛନ୍ତି  । ବିହାରର ବିକାଶ ପାଇଁ ନୀତୀଶ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ସ୍ବାଗତ ଯୋଗ୍ୟ ବୋଲି ତେଜସ୍ବୀ କହିଥିଲେ । ବର୍ତ୍ତମାନ ଯେଉଁ ସରକାର ଗଠନ ହେବାକୁ ଯାଉଛି ଏହାହିଁ ପ୍ରକୃତ ଜନାଦେଶ  ।