କୃଷି କ୍ଷେତ୍ରରେ ଅଭିବୃଦ୍ଧିକୁ ନୀତି ଆୟୋଗର ପ୍ରଶଂସା: କାମ କରିଥିଲେ ନବୀନ, ପ୍ରଶଂସା ସାଉଣ୍ଟୁଛି ଓଡ଼ିଶା
ଭୁବନେଶ୍ବର: ଓଡ଼ିଶାକୁ ନୀତି ଆୟୋଗର ପ୍ରଶଂସା । ଗତ ୧୦ ବର୍ଷରେ ଓଡ଼ିଶାର କୃଷି କ୍ଷେତ୍ରରେ ହୋଇଛି ବିରାଟ ପରିବର୍ତ୍ତନ । ୫ ଥର ମିଳିଛି କୃଷି କର୍ମଣ ପୁରସ୍କାର । ଶସ୍ୟ ଉତ୍ପାଦନରେ ଦେଶ ତୁଳନାରେ ଓଡ଼ିଶାର ଶସ୍ୟ ଉତ୍ପାଦନ ହାର ରହିଛି ଦୁଇଗୁଣା । କିନ୍ତୁ ପଶୁଧନ କ୍ଷେତ୍ରରେ ରାଜ୍ୟର ଅଭିବୃଦ୍ଧି ଅପେକ୍ଷା ଦେଶର ଅଭିବୃଦ୍ଧି ଆଗରେ ରହିଛି । ମୋଟା ମୋଟି ଭାବେ କୃଷିର ସବୁ କ୍ଷେତ୍ରରେ ଦେଶ ତୁଳନାରେ ଓଡ଼ିଶା ଯଥେଷ୍ଟ ଆଗରେ ରହିଛି । ତେଣୁ ଆଗକୁ କୃଷି କ୍ଷେତ୍ରରେ ଅଧିକ ଅଭିବୃଦ୍ଧି କରିବାକୁ ଯଥେଷ୍ଟ ସମ୍ଭାବନା ଥିବା କହିଛନ୍ତି ନୀତି ଆୟୋଗ ସଦସ୍ୟ ।
ଗତ ୧୦ ବର୍ଷର କୃଷି ଅଭିବୃଦ୍ଧିକୁ ନୀତି ଆୟୋଗ ପ୍ରଶଂସା କରିବା ପରେ ଭିନ୍ନ ଭିନ୍ନ ମତ ରଖିଛନ୍ତି ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଓଡ଼ିଶା ସବୁ କ୍ଷେତ୍ରରେ ଆଗରେ ରହିଛି । ତାହା ବିଭିନ୍ନ ରିପୋର୍ଟରେ ପ୍ରକାଶ ପାଇଛି ବୋଲି କହିଛି ବିଜେଡି । ନବୀନ ପଟ୍ଟନାୟକ ଚାଷ ଓ ଚାଷୀଙ୍କୁ ସର୍ବାଧିକ ଗୁରୁତ୍ବ ଦେବା ସହ ଆଣିଥିଲେ ସ୍ବତନ୍ତ୍ର କୃଷି ବଜେଟ୍ । କାଳିଆ, ବଳରାମ ପରି ଯୋଜନା କରି ନବୀନ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡଙ୍କୁ ମଜବୁତ କରିଥିଲେ ବୋଲି କହିଛନ୍ତି ବିଜେଡି ବିଧାୟକ ରମାକାନ୍ତ ଭୋଇ । ସେହିପରି କଂଗ୍ରେସ ବିଧାୟକ ଅଶୋକ ଦାସ କହିଛନ୍ତି, ଚାଉଳ ଉତ୍ପାଦନରେ ଓଡ଼ିଶା ଦେଶଠୁ ଆଗରେ ରହିଛି । ହେଲେ କୃଷି କ୍ଷେତ୍ରରେ ରାଜ୍ୟର ଅଭିବୃଦ୍ଧିକୁ ନୀତି ଆୟୋଗର ପ୍ରଶଂସାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେପି ବିଧାୟକ ଅଶୋକ ମହାନ୍ତି ।
ନବୀନଙ୍କ ନେୃତୃତ୍ବରେ ୫ ଥର କୃଷି କର୍ମଣ ପୁରସ୍କାର ପାଇଛି ଓଡ଼ିଶା । ମାଣ୍ଡିଆର ପ୍ରଚାର ଓ ପ୍ରସାର ପାଇଁ ମଧ୍ୟ ଓଡ଼ିଶା ସାରା ଦେଶରେ ସୃଷ୍ଟି କରିଛି ସ୍ବତନ୍ତ୍ର ପରିଚୟ । କିନ୍ତୁ ପଶୁଧନ କ୍ଷେତ୍ରରେ ଓଡିଶାର ଅଭିବୃଦ୍ଧି ଅପେକ୍ଷା ଦେଶର ଅଭିବୃଦ୍ଧି ଆଗରେ ରହିଛି । ମୋଟାମୋଟି ଭାବେ କହିବାକୁ ଗଲେ, କୃଷି ଅଭିବୃଦ୍ଧିରେ ଓଡ଼ିଶା ଦେଶଠୁ ଆଗରେ ରହିବା ପୂର୍ବ ସରକାରଙ୍କ ସଫଳତାକୁ ପ୍ରତିପାଦନ କରୁଛି ବୋଲି ମତ ପ୍ରକାଶ ପାଇଛି ।