‘ଓଡ଼ିଶା ମିଲେଟ୍ ମିଶନ’ ଏବଂ ‘ମୋ ଉପକାରୀ ବଗିଚା’ ନିତି ଆୟୋଗଙ୍କ ଦ୍ୱାରା ପ୍ରଶଂସିତ
1 min read
ଭୁବନେଶ୍ୱର: ନିତି ଆୟୋଗ, ଭାରତ ସରକାରଙ୍କ ଦ୍ୱାରା ସ୍ୱାସ୍ଥ୍ୟ ଏବଂ ପୁଷ୍ଟି ସାଧନ କ୍ଷେତ୍ରରେ ବିଭିନ୍ନ ରାଜ୍ୟମାନେ ଆପଣେଇଥିବା ଉତ୍ତମ କାର୍ଯ୍ୟକ୍ରମ ସମୁଚିତ ରିପୋର୍ଟ ‘ସ୍ୱାସ୍ଥ୍ୟ ଓ ପୋଷଣ ଅଭ୍ୟାସ ଅନ୍ତର୍ଦୃଷ୍ଟି’ରେ ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ଦ୍ୱାରା ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ‘ଓଡ଼ିଶା ମିଲେଟ୍ ମିଶନ’ ଏବଂ ‘ମୋ ଉପକାରୀ ବଗିଚା’ ଯୋଜନା ଯଥାର୍ଥ ଉପକ୍ରମ ଭାବେ ସ୍ଥାନିତ ହୋଇଛି । ଏହି ଦୁଇଟି ଯୋଜନା ଗର୍ଭବତୀ, ପ୍ରସୂତି ମହିଳା, କିଶୋରୀ ଏବଂ ଶିଶୁମାନଙ୍କ ଖାଦ୍ୟ ସାରଣୀରେ ବିବିଧତା ଆଣିବା ସହ ପୁଷ୍ଟି ସାଧନ କ୍ଷେତ୍ରରେ ତୃଣମୂଳ ସ୍ତରରେ ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ
ହୋଇଛି ବୋଲି ଉଲ୍ଲେଖ କରିବା ସହ ଅନ୍ୟ ରାଜ୍ୟମାନେ ମଧ୍ୟ ଏହିଭଳି ଉତ୍ତମ କାର୍ଯ୍ୟକ୍ରମକୁ ଆପଣେଇବା ନିମନ୍ତେ ନିତି ଆୟୋଗ ପରାମର୍ଶ ଦେଇଛନ୍ତି ।
ପ୍ରକାଶ ଥାଉ କି, ଓଡ଼ିଶାରେ ମାଣ୍ଡିଆ ଉତ୍ପାଦନ ବୃଦ୍ଧି ମାଧ୍ୟମରେ କୃଷକମାନଙ୍କୁ ବିବିଧ କୃଷି ପାଇଁ ପ୍ରୋତ୍ସାହିତ କରିବା ଏବଂ ଖାଦ୍ୟରେ ମାଣ୍ଡିଆର ବହୁଳ ବ୍ୟବହାର ମାଧ୍ୟମରେ ପୁଷ୍ଟିସାଧନକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ୨୦୧୭ ମସିହାରେ ଓଡ଼ିଶା ମିଲେଟ୍ ମିଶନ ଆରମ୍ଭ କରାଯାଇଥିଲା । ମାଣ୍ଡିଆ ଉତ୍ପାଦନ ବୃଦ୍ଧି ସହ ବଜାର ସୃଷ୍ଟି ନିମନ୍ତେ ସମନ୍ୱିତ ଶିଶୁ ବିକାଶ ଯୋଜନା, ମଧ୍ୟାହ୍ନ ଭୋଜନ ଏବଂ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ମାଣ୍ଡିଆକୁ ସାମିଲ କରିବା ନେଇ ବହୁମୂଖୀ ଯୋଜନାମାନ ମଧ୍ୟ ପ୍ରସ୍ତୁତ ହୋଇଥିଲା । ବର୍ତ୍ତମାନ
ପାଇଲଟ୍ ପ୍ରକଳ୍ପ ଭାବେ କେନ୍ଦୁଝର ଜିଲ୍ଲାରେ ୩୩୫ଟି ଅଙ୍ଗନୱାଡ଼ି ଏବଂ ସୁନ୍ଦରଗଡ଼ ଜିଲ୍ଲାର ୫୪୯ଟି ଅଙ୍ଗନୱାଡ଼ି କେନ୍ଦ୍ରରେ ପ୍ରାକ୍-ବିଦ୍ୟାଳୟ ଶିଶୁମାନଙ୍କୁ ସକାଳ ଜଳଖିଆରେ ମାଣ୍ଡିଆ ଲଡୁ ଖାଇବାକୁ ଦିଆଯାଉଛି । ଅଙ୍ଗନୱାଡ଼ି କେନ୍ଦ୍ରରେ ମାଣ୍ଡିଆ ଲଡ଼ୁ ବିତରଣକୁ ମଧ୍ୟ ନିତି ଆୟୋଗ ଉଚ୍ଚ ପ୍ରଶଂସା କରିଛନ୍ତି ।
ସେହିଭଳି ଗୁରୁତର ଗର୍ଭବତୀ ମହିଳା, କିଶୋରୀ ଏବଂ ଅତିଶୟ ପୁଷ୍ଟିହୀନ ଶିଶୁମାନଙ୍କୁ ପରିପୂରକ ପୁଷ୍ଟିସାଧନ ପାଇଁ ଅଧିକ ପୁଷ୍ଟିଯୁକ୍ତ ଖାଦ୍ୟ ପ୍ରଦାନ ଲକ୍ଷ୍ୟରେ ମହିଳା ଓ ଶିଶବୁିକାଶ ବିଭାଗ, ଓଡ଼ିଶା ଜୀବିକା ମିଶନ ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ସମ୍ମିଳିତ ଉଦ୍ୟମରେ ଅକ୍ଟୋବର, ୨୦୧୯ରୁ ‘ମୋ ଉପକାରୀ ବଗିଚା’ ଯୋଜନା ଆରମ୍ଭ କରାଯାଇଛି । ବିଶେଷ କରି ଅଙ୍ଗନୱାଡ଼ି କେନ୍ଦ୍ର ଗୁଡ଼ିକରେ ପ୍ରାକ୍-ବିଦ୍ୟାଳୟ ଶିଶୁମାନଙ୍କୁ ଋତୁକାଳୀନ ପନିପରିବା ଓ ଫଳ ଆଦି ଖାଇବାକୁ ଦେଇ ସେମାନଙ୍କ ପୁଷ୍ଟିସାଧନକୁ ସୁନିଶ୍ଚିତ କରିବା ନିମନ୍ତେ ଉଦ୍ୟମ କରାଯାଇଛି । ଏପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଙ୍ଗନୱାଡ଼ି କେନ୍ଦ୍ରରେ ୧୭ ହଜାର ‘ମୋ ଉପକାରୀ ବଗିଚା’ ସୃଷ୍ଟି କରାଯାଇଛି । ଗ୍ରାମାଞ୍ଚଳରେ ପୁଷ୍ଟିହୀନତା ଦୂରୀକରଣ ଦିଗରେ ଏହି ଯୋଜନା ଯଥେଷ୍ଟ ଫଳପ୍ରଦ ସାବ୍ୟସ୍ତ ହୋଇଛି ।