ସୈତାନଙ୍କ ସରିନି ଖେଳ, ଫାଶୀ ଘୁଞ୍ଚାଇବାକୁ ପୁଣି ଚାଲ୍‌ !

ନୂଆଦିଲ୍ଲୀ: ଫାଶୀରୁ ବର୍ତ୍ତିବା ପାଇଁ ପୁଣି ଚାଲ ଖେଳିବାକୁ ଯାଉଛନ୍ତି ନିର୍ଭୟାକାଣ୍ଡର ସୈତାନ । ମୁକେଶ ସିଂହ ପରେ ଏବେ ଫାଶୀରୁ ବଞ୍ଚିବା ପାଇଁ ପୱନ, ଅକ୍ଷୟ ଓ ବିନୟ ରାଜକ୍ଷମା ଆବେଦନ କରିବାକୁ ଇଛା କରିଛନ୍ତି । ସୁପ୍ରିମକୋର୍ଟରେ ପୱନ ଓ ଅକ୍ଷୟ କ୍ୟୁରେଟିଭ ପିଟିସନ ଦାଖଲ କରିବାକୁ ଚାହୁଁଥିବାବେଳେ ରାଜକ୍ଷମା ଆବେଦନ ଲାଗି ତିନିହେଁ ଇଛା ପ୍ରକାଶ କରିଛନ୍ତି । ଏ ନେଇ ଓକିଲ ଏ ପି ସିଂହ ପଟିଆଲା ହାଉସ କୋର୍ଟରେ ଆବେଦନ କରିଛନ୍ତି । କିନ୍ତୁ ତିହାର ଜେଲ କର୍ତ୍ତୃପକ୍ଷ ଏ ସଂପର୍କୀତ ଜରୁରୀ କାଗଜପତ୍ର ହସ୍ତାନ୍ତର କରିବାକୁ ବିଳମ୍ବ କରୁଥିବା ଆବେଦନପତ୍ରରେ ଅଭିଯୋଗ କରିଛନ୍ତି ଓକିଲ । ଜାଣିଶୁଣି ତିହାର କର୍ତ୍ତୃପକ୍ଷ କାଗଜପତ୍ର ଦେଉନାହାଁନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ଦାବି ମୁତାବକ କାଗଜପତ୍ରରେ ସେମାନଙ୍କ ଡାଏରୀରେ ଲେଖାଯାଇଥିବା ପରିବାର ପ୍ରତି ଦାୟିତ୍ୱ, ବିଭିନ୍ନ ସମୟରେ ସେମାନଙ୍କ ଉପରେ କରାଯାଇଥିବା ମେଡିକାଲ ରିପୋର୍ଟ ଆଦି ରହିଛି । ଯଦି ତିହାର କର୍ତ୍ତୃପକ୍ଷ କାଗଜପତ୍ର ହସ୍ତାନ୍ତର କରନ୍ତି ତେବେ ଫେବ୍ରୁଆରୀ ପହିଲାକୁ ଧାର୍ଯ୍ୟ ଫାଶୀ ଟଳିଯିବ । ଯଦି ସେମାନଙ୍କ ଆବେଦନ ସୁପ୍ରିମକୋର୍ଟରେ ଖାରଜ ହୋଇଯାଏ ଏହାପରେ ସେମାନେ ରାଷ୍ଟ୍ରପତିଙ୍କ ନିକଟରେ ଦଣ୍ଡକୁ ଆଜୀବନ କରିବା ଲାଗି ଗୁହାରୀ କରି ରାଜକ୍ଷମା ଆବେଦନ କରିପାରନ୍ତି । ତେଣୁ ଫାଶୀ ଟଳିବ ପକ୍କା ।

ସେପଟେ ଫାଶୀକୁ ଆଉ ୭ଦିନ ବାକି ଅଛି । ଡେଥ ୱାରଣ୍ଟ ଜାରି ହେବା ପରେ ସେମାନଙ୍କୁ ଭେଟିବା ପାଇଁ ତାଙ୍କ ପରିବାର ଲୋକଙ୍କୁ ଚିଠି ଲେଖିଥିଲେ ତିହାର ଜେଲ୍‌ କର୍ତ୍ତୃପକ୍ଷ । ଜେଲ୍‌ ମାନୁଆଲ୍‌ ଅନୁସାରେ ସପ୍ତାହକୁ ୨ଦିନ ହେଉଥିବା ସାକ୍ଷାତକାରରେ ଦୋଷୀଙ୍କୁ ସେମାନଙ୍କ ପରିବାର ସଦସ୍ୟ ଭେଟୁଛନ୍ତି । କିନ୍ତୁ ଜେଲ କର୍ତ୍ତୃପକ୍ଷ ଶେଷ ସାକ୍ଷାତର ତାରିଖ ମାଗିଥିଲେ ସୁଦ୍ଧା ୪ ଦୋଷୀଙ୍କ ପରିବାର ଲୋକ ନିରବ ଅଛନ୍ତି । କେହି ବି ତାରିଖ ଫିକ୍ସ କରିନାହାଁନ୍ତି । ଯାହା ସୂଚନା ମିଳୁଛି, ସେମାନଙ୍କ ପରିବାର ଶେଷ ଥର ପାଇଁ ଭେଟିବାକୁ ଚାହୁଁନାହାଁନ୍ତି ବୋଲି କୁହାଯାଉଛି ।

Leave a Reply